ଗଞ୍ଜାମ: ସରିଲା ଦଣ୍ଡନାଚ, ମେରୁ କୁଣ୍ଡରେ ଝୁଲିଲେ ପାଟଭୁକ୍ତା  | News Room Odisha

ଗଞ୍ଜାମ: ସରିଲା ଦଣ୍ଡନାଚ, ମେରୁ କୁଣ୍ଡରେ ଝୁଲିଲେ ପାଟଭୁକ୍ତା 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗତ ୨୧,୧୮ ବା ୧୩ ଦିନ ଧରି ବିଭିନ୍ନ ସ୍ଥାନରେ ଚାଲିଥିବା ପ୍ରସିଦ୍ଧ ଦଣ୍ଡ ନାଚ ମେରୁ ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତିରେ ଶେଷ ହୋଇଛି। କାଳୀ ମନ୍ଦିର ମାନଙ୍କରେ ଦଣ୍ଡ ଯାତ୍ରା ଶେଷ ଦିନରେ ମେରୁ ପର୍ବ ହୋଇଛି। ହଜାର ହଜାର ଭକ୍ତଙ୍କ ସମାଗମ ମଧ୍ୟରେ ଏହି ପର୍ବ ଶାନ୍ତିଶୃଙ୍ଖଳା ସହ ପାଳିତ ହୋଇଛି।

ଦଣ୍ଡ ନାଚ ଅବଧିର ଅନ୍ୟ ଦିନ ପରି ଆଜି ମଧ୍ୟ ଠାକୁରଙ୍କ ନିକଟରେ ଧୂଳି ଦଣ୍ଡ, ପାଣି ଦଣ୍ଡ ସମ୍ପନ୍ନ ହେବା ପରେ ମେରୁ କୁଣ୍ଡରେ ଅଗ୍ନି ସଂଯୋଗ କରାଯାଇଥିଲା। ପାଟଭୁକ୍ତାଙ୍କୁ ମେରୁ କୁଣ୍ଡରେ ସଂଯୋଗ ଅଗ୍ନିର ଠିକ୍ ଉପରେ ଗୋଡ଼ ଦୁଇଟିକୁ ଉପର ଓ ମୁହଁ ତଳକୁ କରି ବନ୍ଧା ଯାଇଥିଲା ମୁହଁଟିକୁ ଅଗ୍ନି କୁଣ୍ଡ ଉପରକୁ କିଛି ସମୟ ରଖାଯିବା ପରେ ମେରୁ ଯାତ୍ରା ଶେଷ ହୋଇଥିଲା। ମେରୁ କୁଣ୍ଡ ନିକଟରେ ମାନସିକଧାରୀମାନେ ନଡ଼ିଆ ଭାଙ୍ଗି ପୂଜା କରିଥିଲେ। ମାନସିକଧାରୀମାନେ ମା’ଙ୍କ ପୀଠରେ ସେମାନଙ୍କର ପରିବାରର ପିଲାମାନଙ୍କ ମୁଣ୍ଡନ କରିବା ସହ ପିଞ୍ଛ, ବାନା, ବାଡ଼ି ଅର୍ପଣ କରିଥିଲେ। ଏପରି କି ପାଣିଦଣ୍ଡରେ ମାନସିକଧାରୀମାନେ ଗୁହାରିଆ ପଡିବା ଦୃଶ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ଆଜି ରାତିରେ ପୁଣି ଅଗ୍ନି ଦଣ୍ଡ ଖେଳାଯିବ। ତାହା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମହାଦେବ ଠାକୁର ଏବଂ ଦେବୀ କାଳୀ ନିଜ ମନ୍ଦିର କୁ ଫେରିବେ। ଆସନ୍ତାକାଲି ଭୁକ୍ତାମାନେ ଜାତି ଭୋଜି ଖାଇ ନିଜ ନିଜ ଘରକୁ ଫେରିବେ।