ଆଜି ବି ବାରିପଦା ଓଡ଼ିଶାର ଉତ୍ତପ୍ତ ସହର, ବିଶ୍ୱର ଦ୍ୱିତୀୟ ଗରମ ସ୍ଥାନ | News Room Odisha

ଆଜି ବି ବାରିପଦା ଓଡ଼ିଶାର ଉତ୍ତପ୍ତ ସହର, ବିଶ୍ୱର ଦ୍ୱିତୀୟ ଗରମ ସ୍ଥାନ

ଭୁବନେଶ୍ବର – ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଜି ବି ବାରିପଦା ରାଜ୍ୟର ଉତ୍ତପ୍ତ ସହର ହୋଇଛି । ଆଜି ବାରିପଦାର ତାପମାତ୍ରା ଥିଲା ୪୪ ଡିଗ୍ରୀ ସେଲସିୟସ । ଏଥିସହ ବାରିପଦା ଆଜି ବିଶ୍ୱର ଉତ୍ତପ୍ତ ସହର ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଗୁରୁବାର ବାରିପଦା ପ୍ରଥମ ସ୍ଥାନରେ ଥିଲା । ଆଜି ଝାରସୁଗୁଡ଼ାର ତାପମାତ୍ର ୪୨ ଡିଗ୍ରୀ ସେଲସିୟସ ଥିଲାବେଳେ ସମ୍ବଲପୁରରେ ୪୧.୮, କଟକରେ ୪୧ .୨ ଡିଗ୍ରୀ, ଭୁବନେଶ୍ବରରେ ୪୦.୨ ଡିଗ୍ରୀ ଓ ଚାନ୍ଦବାଲିରେ ୪୦ ଡିଗ୍ରୀ, ହୀରାକୁଦରେ ୪୦, କେନ୍ଦୁଝରରେ ୩୮, ବାଲେଶ୍ବରରେ ୩୬.୪, ଗୋପାଳପୁର ଓ ପୁରୀରେ ତାପମାତ୍ରା ୩୩.୨, ପାରାଦ୍ବୀପରେ ୩୨.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୭ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ତେବେ ଶନିବାରଠାରୁ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏପ୍ରିଲ ୧୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ।