ସମ୍ବଲପୁରରେ କର୍ଫ୍ୟୁ କୋହଳ ଅବଧି ବଢ଼ିବ | News Room Odisha

ସମ୍ବଲପୁରରେ କର୍ଫ୍ୟୁ କୋହଳ ଅବଧି ବଢ଼ିବ

ସମ୍ବଲପୁର – ସ୍ଥିତିରେ ଉନ୍ନତି ଆସିଥିବାରୁ ସମ୍ବଲପୁରରେ କର୍ଫ୍ୟୁ ଆହୁରି କୋହଳ କରାଯାଇଛି । ଆସନ୍ତାକାଲିଠୁ କର୍ଫ୍ୟୁ କୋହଳ ଅବଧି ବଢ଼ିବ । ସକାଳ ୭ଟା ୩୦ରୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଓ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏ ସଂପର୍କରେ ସମ୍ବଲପୁର ଉପଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କର୍ଫ୍ୟୁ ବେଳେ ଲାଗୁଥିବା ଅନ୍ୟ ସମସ୍ତ କଟକଣା ପୂର୍ବପରି ବଳବତ୍ତର ରହିଛି । ହନୁମାନ ଜୟନ୍ତୀରେ ହିଂସାକାଣ୍ଡ ପରେ ୧୪ ତାରିଖ ରାତିରୁ ସହରର ୬ଟି ଟାଉନ ଥାନା ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିଲା। ଆଜି ବିଭିନ୍ନ ପରୀକ୍ଷା ଥିବାରୁ ପରୀକ୍ଷାର୍ଥୀଙ୍କ ପାଇଁ କର୍ଫ୍ୟୁ କୋହଳ କରାଯାଇଥିଲା । ଏଣେ ଡିଜିପି ସୁନୀଲ ବଂଶଲ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଆଜି ସମ୍ବଲପୁରରେ ସ୍ଥିତିର ସମୀକ୍ଷା କରିଥିଲେ ।