୬ ଗୋଟି ଜାତୀୟ ପଞ୍ଚାୟତ ପୁରସ୍କାର ଗ୍ରହଣ କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ | News Room Odisha

୬ ଗୋଟି ଜାତୀୟ ପଞ୍ଚାୟତ ପୁରସ୍କାର ଗ୍ରହଣ କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

ଛତ୍ରପୁର: ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ୬ ଗୋଟି ଜାତୀୟ ପଞ୍ଚାୟତ ପୁରସ୍କାର ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ସୋମବାର ନୂଆଦିଲ୍ଲୀରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗଞ୍ଜାମ ଜିଲ୍ଲା ସାରା ଦେଶରେ ଏ କ୍ଷେତ୍ରରେ ଶୀର୍ଷ ସ୍ଥାନ ହାସଲ କରିଛି। ସେହିପରି ହିଞ୍ଜିଳି ବ୍ଲକ୍‌ ଦେଶର ଅନ୍ୟ ସମସ୍ତ ବ୍ଲକ୍‌କୁ ପଛରେ ପକାଇ ଏ କ୍ଷେତ୍ରରେ ୧ ନମ୍ବର ବ୍ଲକ୍‌ ହୋଇଛି। ଏଥିପାଇଁ ଗଞ୍ଜାମ ଜିଲ୍ଲା ପରିଷଦକୁ ୫ କୋଟି ଟଙ୍କା ଏବଂ ହିଞ୍ଜିଳି ବ୍ଲକ୍‌କୁ ୨ କୋଟି ଟଙ୍କାର ପୁରସ୍କାର ମିଳିଛି। ଏଥିସହ ଦ୍ବିତୀୟ ଶ୍ରେଷ୍ଠ ସ୍ବାସ୍ଥ୍ୟ ପଞ୍ଚାୟତ ଭାବେ ହିଞ୍ଜିଳି ବ୍ଲକ୍‌ର କଞ୍ଚୁଡୁ, ଦ୍ବିତୀୟ ଶ୍ରେଷ୍ଠ ସ୍ବଚ୍ଛ ଓ ସବୁଜ ପଞ୍ଚାୟତ ଭାବେ ଏହି ବ୍ଲକର ଶାସନଆମ୍ବଗାଁ, ଦ୍ବିତୀୟ ଶ୍ରେଷ୍ଠ ସାମାଜିକ ସୁରକ୍ଷିତ ପଞ୍ଚାୟତ ରୂପେ ଭଞ୍ଜନଗର ବ୍ଲକ୍‌ର କୁଲାଡ଼ ଏବଂ ଦ୍ୱିତୀୟ ଶ୍ରେଷ୍ଠ ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ଭାବେ ପାତ୍ରପୁର ବ୍ଲକ୍‌ର ଆଙ୍କୁଲି ଗ୍ରାମ ପଞ୍ଚାୟତ ୭୫ ଲକ୍ଷ ଲେଖାଏଁ ଆର୍ଥିକ ପୁରସ୍କାର ପାଇଛନ୍ତି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ ପୁରସ୍କାର ବିତରଣ କରିଥିଲେ। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତି ଭାସନ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସି ଏହି ପୁରସ୍କାର ଗ୍ରହଣ କରିଥିଲେ। ଏଥିସହ ସମ୍ପୃକ୍ତ ବ୍ଲକ୍‌ ଓ ପଞ୍ଚାୟତ ଗୁଡ଼ିକର ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଗ୍ରାମାଞ୍ଚଳରେ ପ୍ରଭାବଶାଳୀ ଓ ଦକ୍ଷ ସ୍ଥାନୀୟ ସ୍ୱାୟତ୍ତ ଶାସନ ପାଇଁ ପଞ୍ଚାୟତରାଜ ପ୍ରତିଷ୍ଠାନ ଗୁଡ଼ିକୁ ସରକାରଙ୍କ ଦ୍ଵାରା ପ୍ରୋତ୍ସାହିତ କରାଯାଉଛି। କାରଣ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରମୁଖ ଯୋଜନାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନରେ ସେମାନେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ଅନୁଷ୍ଠାନମାନଙ୍କ ଦ୍ୱାରା କରାଯାଉଥିବା ଉତ୍ତମ କାର୍ଯ୍ୟକୁ ଚିହ୍ନଟ ସହିତ ସେମାନଙ୍କୁ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିବା ସକାଶେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ବାରା ଏକ ପୁରସ୍କାର ଯୋଜନା କରାଯାଇଥିଲା। ଏଥି ଅନ୍ତର୍ଗତ ‘ଜାତୀୟ ପଞ୍ଚାୟତ ପୁରସ୍କାର’ ଶ୍ରେଷ୍ଠ ପ୍ରଦର୍ଶନକାରୀ ପଞ୍ଚାୟତ ଯଥା ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତକୁ ସ୍ଥାନୀୟ ପ୍ରାଥମିକତା ଅଧୀନରେ ନଅଗୋଟି ଚିହ୍ନିତ ବିଷୟବସ୍ତୁ ଉପରେ ଅନୁଧ୍ୟାନ କରି ଉତ୍ତମ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରାଯାଇ ଆସୁଛି। ଏହି ନଅ ଗୋଟି ପୋଷଣୀୟ ବିକାଶଧାରା କାର୍ଯ୍ୟ ମଧ୍ୟରେ ଦାରିଦ୍ର୍ୟମୁକ୍ତ ଏବଂ ବର୍ଦ୍ଧିତ ଜୀବିକା, ସ୍ୱାସ୍ଥ୍ୟବାନ, ଶିଶୁ ବନ୍ଧୁ, ପର୍ଯ୍ୟାପ୍ତ ଜଳ, ସ୍ବଚ୍ଛ ଏବଂ ସବୁଜ ପଞ୍ଚାୟତ, ଆତ୍ମନିର୍ଭରଶୀଳ ଭିତ୍ତିଭୂମି, ସାମାଜିକ ସୁରକ୍ଷା, ଉତ୍ତମ ଶାସନ, ମହିଳା ବନ୍ଧୁତ୍ଵପୂର୍ଣ୍ଣ ଆଦି ରହିଛି। ଏଥସହ କାର୍ବନ୍ ନିରପେକ୍ଷ ଏବଂ ଗ୍ରାମ ଉର୍ଜା ସ୍ୱରାଜ ପୁରସ୍କାର ସ୍ବତନ୍ତ୍ର ଭାବେ ପ୍ରଦାନ କରାଯାଉଛି। ଉପରୋକ୍ତ ୯ ଗୋଟି ବିଷୟ ଅନ୍ତର୍ଗତ ୧୧୩ ପାରାମିଟର ଆଧାରିତ ଏକ ବିସ୍ତୃତ ମୂଲ୍ୟାଙ୍କନ କ୍ଷେତ୍ରସ୍ତରରେ ହେବା ପରେ ଏବଂ ପୁନର୍ବାର କ୍ଷେତ୍ର ଯାଞ୍ଚ ସହିତ ପୁରସ୍କାର ଚୂଡ଼ାନ୍ତ କରାଯାଇଥିଲା। ଜିଲ୍ଲାର ସମ୍ପୃକ୍ତ ଗ୍ରାମପଞ୍ଚାୟତର ପ୍ରଦର୍ଶନ ତଥା ବ୍ଲକ୍‌ର ସମସ୍ତ ପଞ୍ଚାୟତର ପ୍ରଦର୍ଶନ ଆଧାରରେ ଗଞ୍ଜାମ ଜିଲ୍ଲା ପରିଷଦ ତଥା ହିଞ୍ଜିଳିକାଟୁ ବ୍ଲକ୍‌ ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ଉଭୟଙ୍କୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ଶ୍ରେଣୀରେ ପୁରସ୍କୃତ କରାଯାଇଛି। ଏଥିସହ ଅନ୍ୟ ୪ଟି ପଞ୍ଚାୟତ ବିଭିନ୍ନ ବିଷୟ ନେଇ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି। ଏହି ସଫଳତା ପାଇଁ ନିରନ୍ତର ସହଯୋଗ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସାଧୁବାଦ ଜଣାଇଛନ୍ତି।