ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି | News Room Odisha

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ନେଇ ଆଜି ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରିବ। ସମଲିଙ୍ଗୀ ବିବାହକୁ ଏକ ସହରୀ ଆଭିଜାତ୍ୟ ଚିନ୍ତାଧାରା କହି କେନ୍ଦ୍ର ବିରୋଧ କରିଛି । କୋର୍ଟ ତାଙ୍କ ତରଫରୁ ବିବାହର ଏକ ନୂଆ ଅନୁଷ୍ଠାନ ସୃଷ୍ଟି କରିପାରିବେ ନାହିଁ। ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ନିଷ୍ପତ୍ତି ନେବା କୋର୍ଟଙ୍କ ନୁହେଁ ବରଂ ସଂସଦର କାମ ବୋଲି କେନ୍ଦ୍ର ନିଜ ଜବାବରେ କହିଛି |

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ମାର୍ଚ୍ଚ ୧୩ରେ ପାଞ୍ଚ ଜଣିଆ ସାମ୍ବିଧାନିକ ପୀଠକୁ ଏହି ମାମଲା ହସ୍ତାନ୍ତର କରିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ସମେତ ଏହି ସାମ୍ବିଧାନିକ ପୀଠର ଅନ୍ୟ ଚାରି ବିଚାରପତି ହେଲେ ଜଷ୍ଟିସ ଏସକେ କୌଲ୍, ଜଷ୍ଟିସ ହିମା କୋହଲି, ଜଷ୍ଟିସ ରବିନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ ପିଏସ ନରସିଂହ।

ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ଦାବି କରି ଦିଲ୍ଲୀ ହାଇକୋର୍ଟ ସହ ବିଭିନ୍ନ କୋର୍ଟରେ ଅନେକ ପିଟିସନ ଦାୟର ହୋଇଥିଲା । ଚଳିତ ବର୍ଷ ଜାନୁଆରୀ ମାସରେ ସୁପ୍ରିମକୋର୍ଟ ସବୁ ପିଟିସନକୁ ନିଜ ପାଖକୁ ସ୍ଥାନାନ୍ତର କରିଥିଲେ ।

ଏହି ମାମଲାରେ ଦାଖଲ ହୋଇଥିବା ସମସ୍ତ ଆବେଦନକୁ କେନ୍ଦ୍ର ଖାରଜ କରିବାକୁ କହିଛି। କେନ୍ଦ୍ର ପକ୍ଷରୁ କୁହାଯାଇଥିଲା ଯେ ସୁପ୍ରିମକୋର୍ଟ ଆଇପିସିର ଧାରା ୩୭୭କୁ ନିରପରାଧକରଣ କରିଥାଇ ପାରନ୍ତି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆବେଦନକାରୀମାନେ ସମଲିଙ୍ଗୀ ବିବାହ ପାଇଁ ମୌଳିକ ଅଧିକାର ଦାବି କରିବେ ।