ସାଇ ମନ୍ଦିରରୁ ଦାନବକ୍ସ, ଲକ୍ଷାଧିକ ଟଙ୍କାର ମୁକୁଟ ଚୋରି | News Room Odisha

ସାଇ ମନ୍ଦିରରୁ ଦାନବକ୍ସ, ଲକ୍ଷାଧିକ ଟଙ୍କାର ମୁକୁଟ ଚୋରି

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି କେନାଲ ରୋଡ୍‌ରେ ନୂଆ ପ୍ରତିଷ୍ଠା ହୋଇଥିବା ଶିରିଡି ସାଇ ମନ୍ଦିରରେ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମନ୍ଦିର ପୂଜକ ରୁଦ୍ର ନାରାୟଣ ଦାଶ ଏନେଇ ବରପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ସେ ପ୍ରତିଦିନ ଭଳି ବୁଧବାର ଭୋର୍‌ ୫ଟାରେ ମନ୍ଦିରରେ ପହଞ୍ଚିଥିଲେ। ପହଞ୍ଚିବା ପରେ ମନ୍ଦିରର ମୁଖ୍ୟଦ୍ୱାର ଖୋଲା ରହିଥିବା ଦେଖି ଭିତରକୁ ଯାଇଥିଲେ ଏବଂ ବାବାଙ୍କ ରୁପା ମୁକୁଟ, ଗଣେଶଙ୍କ ରୁପା ମକୁଟ ତଥା ଦାନ ବାକ୍ସ କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ମନ୍ଦିର କମିଟିର ସଭ୍ୟମାନଙ୍କୁ ଫୋନ୍‌ ଯୋଗେ ଜଣାଇଥିଲେ। ପରେ ବରପାଲି ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜାରି ରଖିଛି। ଖୋଲା ଦାନବାକ୍ସକୁ ମନ୍ଦିର କିଛି ଦୂରରେ ଏକ ବୁଦା ଭିତରୁ ପୋଲିସ ଉଦ୍ଧାର କରିଛି। ଅନ୍ୟପଟେ ଏପର୍ଯ୍ୟନ୍ତ ବାବାଙ୍କ ମୁକୁଟ ଉଦ୍ଧାର ହୋଇପାରି ନାହିଁ। ଚୋରି ହୋଇଥିବା ଦୁଇଟି ମୁକୁଟର ଆନୁମାନିକ ମୂଲ୍ୟ ୧ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ପୂଜକ ପ୍ରକାଶ କରିଛନ୍ତି।