ଶ୍ରୀମନ୍ଦିରରେ ଆଜି ରୁକ୍ମିଣୀ ଅମାବାସ୍ୟା ନୀତି  | News Room Odisha

ଶ୍ରୀମନ୍ଦିରରେ ଆଜି ରୁକ୍ମିଣୀ ଅମାବାସ୍ୟା ନୀତି 

ଅମାବାସ୍ୟା ପ୍ରତିପଦ ପୂର୍ଶ ହେଲେ ସକାଳ ଧୂପ ପରେ ଏହି ନୀତି ସମ୍ପର୍ଣ୍ଣ ହେବ । ସକାଳ ଧୂପ ଶେଷ ହୋଇ ଧୋପଖାଳ ହେବା ପରେ ମହାଜନମାନେ ଦକ୍ଷିଣୀ ଘରୁ ଶ୍ରୀନାରାୟଣ ବିଗ୍ରହଙ୍କୁ ଆଣି ସିଂହାସନରେ ବିଜେ କରାଇବେ । ଉକ୍ତ ବିଗ୍ରହଙ୍କୁ ଶ୍ରୀଜଗନ୍ନାଥଙ୍କର ଲାଗି ହେଇଥିବା ତୁଳସୀ ମିଶା ଆଜ୍ଞାମାଳ ପୂଜାପଣ୍ଡା ପ୍ରଦାନ କଲାପରେ ତାଙ୍କୁ ମହାଜନମାନେ ନେଇ ଝୁଲଣମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କରାଇବେ । ପାଲିଙ୍କି ବିମାନବଡୁମାନେ ବୋହି ସମୁଦ୍ରକୂଳ ସ୍ ର୍ଗଦ୍ବାରକୁ ବିଜେ କରାଇବେ । ସାଥିରେ ହୋମ ପାଳିଆ ପୂଜାପଣ୍ଡା, ଆସ୍ଥାନ ପଢ଼ିଆରୀ, ଗରାବଡ଼, ଘଣ୍ଟୁଆ, ଛତାର, କାହାଳିଆ ପଟୁଆରରେ ଯିବେ । ସେଠାରେ ଗରାବଡୁ ରୁପା ପିଙ୍ଗଣରେ ସମୁଦ୍ରରୁ ଜଳ ଆଣି ପୂଜାପଣ୍ଡାଙ୍କୁ ଦେଲାପରେ ପୂଜାପଣ୍ଡା ତାହା ସଂସ୍କାର କରି ଠାକୁରଙ୍କୁ ଲାଗି କରାଇବେ । ସେଠାରେ ସାବତ ନିଯୋଗ ତରଫରୁ ପଣାଭୋଗ ସମର୍ପଣ ହେବ। ଆଳତି, ବନ୍ଦାପନା ପରେ ଠାକୁରଙ୍କୁ ନେଇ ଯମେଶ୍ବର ମହାଦେବଙ୍କ ମନ୍ଦିର ଭିତର ଗମ୍ଭୀରାରେ ବିଜେ କରାଯିବ। ସେଠାରେ ଠାକୁରଙ୍କୁ ପଞ୍ଚାମୃତରେ ମହାସ୍ନାନ କରାଯାଏ । ପଞ୍ଚପଚାର ପୂଜା ଅନୁଷ୍ଠିତ ହେବ । ଶୀତଳ ଭୋଗ ଓ ବନ୍ଦାପନା ପରେ ଠାକୁରଙ୍କର ବାହୁଡ଼ା ବିଜେ ହେବ। ଠାକୁର ଦକ୍ଷିଣୀ ଘରକୁ ବିଜେ କରିବେ । ଏହାପରେ ଦୈନନ୍ଦିନ ନୀତି ଅନୁଷ୍ଠିତ ହେବ।

⁠ନିମ୍ନଲିଖିତ ସେବକମାନେ ଏହି ନୀତି ସହ ସଂପୃକ୍ତ –
⁠ମହାଜନ, ପୂଜାପଣ୍ଡା, ବିମାନବଡୁ, ହୋମ ପାଳିଆ ପୂଜାପଣ୍ଡା, ଆସ୍ଥାନ ପଢ଼ିଆରୀ, ବାସି ପାଳିଆ ଗରାବଡ଼ୁ, ଘଣ୍ଟୁଆ, ଛତାର ଓ କାହାଳିଆ ।