ମାନବବାଦୀ ଏସଓଜି ଯବାନ, ବୃଦ୍ଧାଙ୍କୁ ଦୋଲାରେ ବୋହିଲେ ୩ କିଲୋମିଟର, ପହଞ୍ଚାଇଲେ ଡାକ୍ତରଖାନା,ବଞ୍ଚିଲା ଜୀବନ | News Room Odisha

ମାନବବାଦୀ ଏସଓଜି ଯବାନ, ବୃଦ୍ଧାଙ୍କୁ ଦୋଲାରେ ବୋହିଲେ ୩ କିଲୋମିଟର, ପହଞ୍ଚାଇଲେ ଡାକ୍ତରଖାନା,ବଞ୍ଚିଲା ଜୀବନ

ଫୁଲବାଣୀ: ମାଓ ପ୍ରବଣ କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କୁ ଦମନ କରିବା ପାଇଁ ନିୟୋଜିତ ହୋଇଛନ୍ତି ଏସଓଜି ( ସ୍ପେଶାଲ ଅପରେସନ ଗ୍ରୁପ୍) ଯବାନ । ଅନେକ ସମୟରେ ମାଓବାଦୀଙ୍କୁ ଦମନ କରି ପ୍ରଶଂସା ସାଉଣ୍ଟିଛନ୍ତି। ଗତକାଲି ଜିଲ୍ଲାର ଗୋଛାପଡ଼ା ଥାନା ଅଞ୍ଚଳରେ ନିୟୋଜିତ ହୋଇଥିବା ଯବାନ ମାନେ ମାନବିକତା ଦେଖାଇ ସମସ୍ତଙ୍କର ପ୍ରିୟ ହୋଇଛନ୍ତି । ଯବାନ ମାନେ ବିଭିନ୍ନ ସମୟରେ ଫିରିଙ୍ଗିଆ ଓ ଗୋଛାପଡ଼ା ଥାନା ଅନ୍ତର୍ଗତ ବିଭିନ୍ନ ଦୁର୍ଗମ ଅଞ୍ଚଳରେ କମ୍ବିଂ ଅପରେସନ କରିଥାନ୍ତି ।

ଗତକାଲି ଏସ୍ଓଜି ଯବାନ ମାନେ ଗୋଛାପଡ଼ା ଥାନା ଅନ୍ତର୍ଗତ ବାରାହାଲା ଗ୍ରାମର ଲବେରିକେଟା ଅଞ୍ଚଳରେ କମ୍ବିଂ ଅପରେସନରେ ଯାଇଥିବାବେଳେ ସେହି ଅଞ୍ଚଳରେ ଜଣେ ବୃଦ୍ଧା ଗୁରୁତର ଭାବେ ବିିଭିନ୍ନ ରୋଗରେ ପିଡ଼ିତ ହୋଇ ଚିକିତ୍ସା ସୁବିଧା ନପାଇ ଘରେ ପଡ଼ିରହିଥିଲେ। କିଛି ବାଟ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଆସୁଥଲେ । ରୋଗୀର ଗୁରୁତ୍ବର ଅବସ୍ଥାକୁ ଅନୁଭବ କରି ଏସଓଜି ଯବାନ ମାନେ ପ୍ରାୟ ୩ କିଲୋମିଟର ବାଟ ଚାଲି ଚାଲି ରାସ୍ତାକୁ ଆଣିଥିଲେ ଓ ସେଠାରୁ ଏକ ଗାଡ଼ିରେ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଯବାନ ମାନଙ୍କର ଏଭଳି ମାନବିକତାକୁ ଅଞ୍ଚଳବାସୀ ପ୍ରଶଂସା କରିଥିବା ବେଳେ ଖବର ପାଇ କନ୍ଧମାଳ ଏସ୍.ପି ଶୁଭେନ୍ଦୁ ପାତ୍ର ପୀଡ଼ିତା ମହିଳାଙ୍କୁ ଚିକିତ୍ସା ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଳା ପୁଲିସ ପାଣ୍ଠିରୁ ତୁରନ୍ତ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ଏସପି। ବୃଦ୍ଧାଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଧିକ ସହାୟତା ଆବଶ୍ୟକ ହେଲେ ଦିଆଯିବ ବୋଲି ଏସପି କହିଛନ୍ତି।

ବନ୍ଧୁକ ଧରି ମାଓବାଦୀଙ୍କୁ ଦମନ କରୁଥିବା ଦୂର୍ଧର୍ଷ ଏସଓଜି ଯବାନଙ୍କ ମଧ୍ୟ ଏକ ମାନବବାଦୀ ହୃଦୟ ରହିଛି ଏବଂ ଏହାହିଁ ଲୋକଙ୍କ ମନ ଓ ହୃଦୟକୁ ଜିଣି ପାରିଛି।