ଡିଏସିପି ଯୋଜନାରେ ସଂଶୋଧନ, ଏଣିକି ଓଏମଏଚଏସ କ୍ୟାଡର ଡ଼ାକ୍ତରଙ୍କୁ ୪ ଥର କ୍ୟାରିୟର ପଦୋନ୍ନତି | News Room Odisha

ଡିଏସିପି ଯୋଜନାରେ ସଂଶୋଧନ, ଏଣିକି ଓଏମଏଚଏସ କ୍ୟାଡର ଡ଼ାକ୍ତରଙ୍କୁ ୪ ଥର କ୍ୟାରିୟର ପଦୋନ୍ନତି

ଭୁବନେଶ୍ୱର – ଓଡ଼ିଶା ମେଡିକାଲ ଓ ହେଲଥ ସର୍ଭିସରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ସେମାନଙ୍କର କ୍ୟାରିୟର ମଧ୍ୟରେ ୪ ଥର ପ୍ରମୋସନ ମିଳିବ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଡାଇନାମିକ ଆସ୍ୟୁରଡ୍ କ୍ୟାରିୟର ପ୍ରୋଗ୍ରେସନ – ଡିଏସପି ଯୋଜନାରେ ସଂଶୋଧନ କରାଯାଇଛି । ପୂର୍ବରୁ ଡିଏସିପି ଯୋଜନାରେ ୩ଥର ପଦୋନ୍ନତି ମିଳୁଥିଲା । ଏବେ ଓପିଏସସି ଜରିଆରେ ନିଯୁକ୍ତି ପାଉଥିବା ଡାକ୍ତରମାନେ ନିୟମିତ ନିଯୁକ୍ତି ପରଠାରୁ ନୂଆ ପଦୋନ୍ନତି ସୁବିଧା ପାଇବେ । ଏବେ ପ୍ରତି ୬ ବର୍ଷରେ ଡାକ୍ତରଙ୍କୁ ମିଳିବ ପଦୋନ୍ନତି । ଚାକିରିର ୬, ୧୨, ୧୮ ଓ ୨୪ ବର୍ଷରେ ପଦୋନ୍ନତି ମିଳିବ ।

ପୂର୍ବରୁ ଡାକ୍ତରମାନେ କ୍ୟାରିଅରର ୭, ୧୪ ଓ ୨୧ବର୍ଷରେ ପଦୋନ୍ନତି ପାଉଥିଲେ । ଡିଏସପି ନିୟମ ଲାଗୁ ହେବା ପରେ ଡାକ୍ତରମାନେ ଅଧିକ ପାରିଦର୍ଶିତା ଦେଖାଇବେ । ୬ବର୍ଷ ନିୟମିତ ଚାକିରି ପରେ ଲେବୁଲ ୧୨ରୁ ୧୩ ଆର୍ଥିକ ସୁବିଧା ରହିଛି । ସେହିପରି ୧୨ବର୍ଷ ନିୟମିତ ପରେ ଲେବୁଲ ୧୩ରୁ ୧୪, ୧୮ବର୍ଷ ନିୟମିତ ପରେ ଲେବୁଲ ୧୪ରୁ ୧୫ ଓ ୨୪ବର୍ଷ ନିୟମିତ ପରେ ଲେବୁଲ ୧୫ରୁ ୧୬ ଆର୍ଥିକ ସୁବିଧା ମିଳିବାର ବ୍ୟବସ୍ଥା ରହିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ଏହି ସୂଚନା ଦେଇଛନ୍ତି।