ସୁପ୍ରିମକୋର୍ଟର ଚାରି ବିଚାରପତିଙ୍କୁ କରୋନା, ସମଲିଙ୍ଗୀ ବିବାହ ଶୁଣାଣି ସ୍ଥଗିତ | News Room Odisha

ସୁପ୍ରିମକୋର୍ଟର ଚାରି ବିଚାରପତିଙ୍କୁ କରୋନା, ସମଲିଙ୍ଗୀ ବିବାହ ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଚାରିଜଣ ଜଜ୍ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି କାରଣରୁ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରସଙ୍ଗ ଉପରେ ସମ୍ବିଧାନ ପୀଠ କରୁଥିବା ଶୁଣାଣି ସ୍ଥଗିତ ରଖାଯାଇଛି।

ଅବଶିଷ୍ଟ ମାମଲାଗୁଡ଼ିକର ଶୁଣାଣି ପାଇଁ ସମ୍ବିଧାନ ଖଣ୍ଡପୀଠକୁ ନିଲମ୍ବିତ କରାଯାଇଛି ବୋଲି ଜଣାପଡ଼ିଛି। ଏହାଛଡ଼ା ଆଉ କିଛି ଖଣ୍ଡପୀଠର ପୁନର୍ଗଠନ କରାଯାଇଛି |

ସୁପ୍ରିମକୋର୍ଟର ରେଜିଷ୍ଟ୍ରିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୁପ୍ରିମକୋର୍ଟର ଚାରିଜଣ ବିଚାରପତି ଜଷ୍ଟିସ୍ ଏସ୍ ରବିନ୍ଦ୍ର ଭଟ୍ଟ, ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରା କରୋନା ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ଜଷ୍ଟିସ ସୂର୍ଯ୍ୟକାନ୍ତ ମଧ୍ୟ ସପ୍ତାହେ ପୂର୍ବରୁ କରୋନାରୁ ସୁସ୍ଥ ହୋଇଛନ୍ତି ।

ଏମାନଙ୍କ ମଧ୍ୟରୁ ଜଷ୍ଟିସ୍ ଭଟ୍ଟ ସମଲିଙ୍ଗୀ ବିବାହ ମାମଲାର ଶୁଣାଣି କରୁଥିବା ସମ୍ବିଧାନ ଖଣ୍ଡପୀଠର ପାଞ୍ଚଜଣ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ।

ସମଲିଙ୍ଗୀ ବିବାହ ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠର ଆଉ ଜଣେ ସଦସ୍ୟ ଜଷ୍ଟିସ ସଞ୍ଜୟ କିଶନ କୌଲ ମଧ୍ୟ ଅସୁସ୍ଥତା କାରଣରୁ ସୋମବାର କୋର୍ଟକୁ ଆସିବେ ନାହିଁ ବୋଲି ସୂତ୍ରରୁ ପ୍ରକାଶ।