୨୦୦ ବର୍ଷରୁ ଅଧିକ କାଳ ସୁକୁଣ୍ଡାରେ ହେଉଛି ଚନ୍ଦନ ଯାତ୍ରା  | News Room Odisha

୨୦୦ ବର୍ଷରୁ ଅଧିକ କାଳ ସୁକୁଣ୍ଡାରେ ହେଉଛି ଚନ୍ଦନ ଯାତ୍ରା 

ବ୍ରହ୍ମପୁର: ରେଶମ ସହର ଉପକଣ୍ଠ ସୁକୁଣ୍ଡା ଠାରେ ରହିଛି ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ମନ୍ଦିର। ପ୍ରାୟ ଦୁଇ ଶହ ବର୍ଷରୁ ଅଧିକ ସମୟ ପ୍ରାଚୀନ ଏହି ମନ୍ଦିରକୁ ଦକ୍ଷିଣ ଓଡ଼ିଶାର ସର୍ବପୁରାତନ ନୃସିଂହ ମନ୍ଦିର ବା ଦକ୍ଷିଣ ଓଡ଼ିଶାର ସୀମାଞ୍ଚଳମ୍ ବୋଲି କୁହାଯାଏ। ଏଠାରେ ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ଆଡ଼ମ୍ବର ସହକାରେ ଅକ୍ଷୟ ତୃତୀୟା ତିଥିରୁ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ତିନିଦିନିଆ ଯାତ୍ରା ପାଇଁ ମନ୍ଦିରକୁ ବିଭିନ୍ନ ଫୁଲରେ ସଜାଯାଇ ଥିଲା। ଭୋର ୩ଟାରୁ ଆରମ୍ଭ ହୋଇଥିଲା ଠାକୁରଙ୍କ ନୀତିକାନ୍ତି। ପାରମ୍ପରିକ ଭାବେ ସ୍ବର୍ଣ୍ଣ ଅଳଙ୍କାର କାର୍ଯ୍ୟକ୍ରମ ଅନ୍ତର୍ଗତ ଠାକୁରଙ୍କ ଚନ୍ଦନ ଛଡ଼ାଯିବା ପରେ ନିଜ ରୂପ ଦର୍ଶନ, ବାଳ ଭୋଗ, ଆଳତୀ, ଠାକୁରଙ୍କ ଆରାଧନା, ଭଜନ କୀର୍ତ୍ତନ, ରାଜଭୋଗ, କୋଳ ସେବା ଓ ଶେଷରେ ପ୍ରସାଦ ସେବନ ହୋଇଥାଏ। ଗଞ୍ଜାମ ଜିଲ୍ଲା, ଆଖପାଖ ଜିଲ୍ଲା ଏପରିକି ପଡୋଶୀ ଆନ୍ଧ୍ରପ୍ରଦେଶରୁ ମଧ୍ୟ ବହୁ ଭକ୍ତ ଏଠାକୁ ଦର୍ଶନ କରିବା ପାଇଁ ଆସିଥିଲେ ।

ସପ୍ତାହକ ପରେ ଏଠାରେ ପାଳିତ ହେବ ନୃସିଂହ ଚତୁର୍ଦ୍ଦଶୀ ପର୍ବ। ବ୍ରହ୍ମପୁରରୁ ସୁକୁଣ୍ଡା ମନ୍ଦିରର ଦୂରତା ମାତ୍ର ୩ କିମି। ୫ ଏକର ଜାଗାରେ ଭୂପତନ ଠାରୁ ପ୍ରାୟ ୫୦ ଫୁଟ ଉଚ୍ଚରେ ବିଜେ ଲକ୍ଷ୍ମୀ ନୃସିଂହ। ସ୍ଥାନୀୟ ପୂଜକ ମାନଙ୍କ କହିବା ମୁତାବକ ୧୮୧୦ ମସିହାରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିଲା। ପୂର୍ବରୁ ଚନ୍ଦନିଆ ପାହାଡ଼ ଓ ଘଞ୍ଚ ଜଙ୍ଗଲ ଥିଲା। ଏକଦା ଘଞ୍ଚ ଜଙ୍ଗଲରେ ଏକାକୀ ଦୀପ ଜଳୁଥିବା ଦେଖିବାକୁ ପାଇଥିଲେ ଡେରା ବୁଣାକାର ସମ୍ପ୍ରଦାୟର ଦୁଇ ଜଣ ବ୍ୟକ୍ତି। ପରେ ଦୁହେଁ ସ୍ବପ୍ନରେ ସେଠାରେ ନୃସିଂହ ଠାକୁର ଥିବା ଜାଣି ପୂଜା ଅର୍ଚ୍ଚନା ଆରମ୍ଭ କରିଥିଲେ। ଆଉ ଆଜି ସେହି ସ୍ଥାନରେ ସୁନ୍ଦର ପୁରାତନ ମନ୍ଦିରଟିଏ ଠିଆ ହୋଇଛି। ଆନ୍ଧ୍ରପ୍ରଦେଶର ସୀମାଞ୍ଚଳମ୍ ମନ୍ଦିର ଭଳି ଏଠାରେ ଦୈନିକ ନୀତି ପାଳିତ ହୁଏ।