ପୋଲିସ କର୍ମଚାରୀଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ହେବ, ଏମକେସିଜି ସହ ଚୁକ୍ତି ସ୍ବାକ୍ଷର | News Room Odisha

ପୋଲିସ କର୍ମଚାରୀଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ହେବ, ଏମକେସିଜି ସହ ଚୁକ୍ତି ସ୍ବାକ୍ଷର

ବ୍ରହ୍ମପୁର: ରାଜ୍ୟ ସରକାର ୨୦୨୧ ମସିହାରେ ୪୦ ବର୍ଷରୁ ଊର୍ଦ୍ଧ୍ବ ବୟସର ପୋଲିସ କର୍ମଚାରୀଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ। ବିଶେଷ କରି କୋଭିଡ୍ ସଂକ୍ରମଣ କାଳରେ ନିଜ ଡ୍ୟୁଟି ସମ୍ପାଦନ ବେଳେ ଅନେକ ପୋଲିସ କର୍ମଚାରୀ ମହାମାରୀର ଶିକାର ମଧ୍ୟ ହୋଇଥିଲେ।ଏବେ ବ୍ରହ୍ମପୁର ପୋଲିସ ଜିଲ୍ଲା ତରଫରୁ ଏହି ପଦକ୍ଷେପକୁ ଆଉ ପାଦେ ଆଗକୁ ବଢ଼ାଇ ନିଆଯାଇଛି। ବ୍ରହ୍ମପୁର ପୋଲିସ ସହ ଏମକେସିଜି ମେଡିକାଲ କଲେଜ ହସପିଟାଲ୍ କର୍ତ୍ତୃପକ୍ଷଙ୍କ ଚୁକ୍ତି ସ୍ବାକ୍ଷରିତ ହୋଇଛି। ୪୦ ବର୍ଷରୁ ଊର୍ଦ୍ଧ୍ବ ବୟସର ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଇବେ। ଏଥିପାଇଁ ସେମାନଙ୍କୁ କୌଣସି ଦେୟ ପୈଠ କରିବାକୁ ପଡିବ ନାହିଁ। ସେମାନେ ଯେପରି ସୁସ୍ଥ ରହିବେ ସେଥିପାଇଁ ବିଭିନ୍ନ ପରୀକ୍ଷା କରାଇବା ସହ ଆବଶ୍ୟକ ଔଷଧ, ଡାକ୍ତରୀ ପରାମର୍ଶ ଗ୍ରହଣ କରିବେ। ଦକ୍ଷିଣାଞ୍ଚଳ ପୋଲିସ ଆଇଜି ସତ୍ୟବ୍ରତ ଭୋଇ ଏବଂ ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ୍ ଙ୍କ ପ୍ରୟାସ ସ୍ବରୂପ ଏହା ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି। ପ୍ରଥମେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଏହା ଆରମ୍ଭ ହୋଇଥିବା ବେଳେ ପରେ ଦକ୍ଷିଣାଞ୍ଚଳର ଅନ୍ୟ ପୋଲିସ ଜିଲ୍ଲାମାନଙ୍କରେ ଏହା ଲାଗୁ ହେବ।

ପ୍ରକାଶ ଥାଉକି ବ୍ରହ୍ମପୁର ପୋଲିସ ଜିଲ୍ଲାରେ ୪୦ ବର୍ଷରୁ ଅଧିକ ବୟସର ତଥା ବିଭିନ୍ନ ବର୍ଗର ଅଧିକାରୀ ଓ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୫୫୦। ପୋଲିସ ଷ୍ଟାଫ୍ ପ୍ରାୟ କର୍ମବ୍ୟସ୍ତତା, ଅତ୍ୟଧିକ ଚାପ କାରଣରୁ ମାନସିକ ଓ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ରୋଗରେ ଆକ୍ରାନ୍ତ ହୋଇ ପଡୁଛନ୍ତି। ଠିକ୍ ଭାବେ ସ୍ବାସ୍ଥ୍ୟ ପରୀକ୍ଷା କରାଇପାରୁ ନାହାନ୍ତି। ଏଣିକି ନିୟମିତ ପରୀକ୍ଷା ଦ୍ଵାରା ସେମାନେ ନିଜ ସ୍ବାସ୍ଥ୍ୟ ସମ୍ପର୍କରେ ସଜାଗ ରହି ନିଜକୁ ସୁସ୍ଥ ରଖିପାରିବେ। ଚୁକ୍ତି ମୁତାବକ ପ୍ରତ୍ୟେକ ଦିନ ଏମକେସିଜି ମେଡିକାଲରେ ୨୦ ଜଣ ପୋଲିସ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ପାରିବେ। ପ୍ରଥମ ଦିନ ୨୫ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା କହିଛନ୍ତି ଏସପି ଡା. ସର୍ବଣା ବିବେକ ଏମ୍ ସୂଚାଇଛନ୍ତି।