ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ | News Room Odisha

ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର – ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ନେବାକୁ ଥିବା ପଦକ୍ଷେପ ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ମଇ ମାସ ୧ ତାରିଖରୁ ବିଭାଗ ଓ ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଚାଲୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କଣ୍ଟ୍ରୋଲ୍‌ ରୁମ୍ ଦାୟିତ୍ଵରେ ଜଣେ ପ୍ରଥମ ଶ୍ରେଣୀ ଅଧିକାରୀ ରହିବେ । ଜୁନ୍ ୧୮ ଓ ୧୯ ତାରିଖରେ ପ୍ରତ୍ୟେକ ବର୍ଷ ଭଳି ସମସ୍ତ ଜିଲ୍ଲା ସଦର ମହକୁମା, ବନ୍ୟା/ ବାତ୍ୟା ଆଶ୍ରୟସ୍ଥଳୀ, ବ୍ଲକ ସ୍ତରରେ ଟେବୁଲ୍ ଟପ୍ ଏକ୍ସରସାଇଜ ଓ ବାତ୍ୟା ମକ୍ ଡ୍ରିଲ ଅନୁଷ୍ଠିତ ହେବ । ୩୧୭ଟି ଫାୟାର ଷ୍ଟେସନରେ ଆବଶ୍ୟକୀୟ ସନ୍ଧାନ ଓ ଉଦ୍ଧାର ଉପକରଣ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ତାଲିମପ୍ରାପ୍ତ ଅଧିକାରୀମାନେ ଅବସ୍ଥାନ କରିଛନ୍ତି । ସେମାନେ ବାତ୍ୟା ପୂର୍ବରୁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଆଗୁଆ ନିୟୋଜିତ ହେବେ । ରାଜ୍ୟରେ ୩୪୨ ଆଞ୍ଚଳିକ ଅଗ୍ନିଶମସେବା ବାହିନୀ ଯେକୌଣସି ଆପଦକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଏନ୍‌ଡିଆର୍‌ଏଫ୍ ତୃତୀୟ ବାଟାଲିୟନରେ ୧୭ଟି ଟିମ୍ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ୧୬ଟି ଟିମ ମୁଣ୍ଡଳୀଠାରେ ଏବଂ ଗୋଟିଏ ଟିମ ବାଲେଶ୍ଵରଠାରେ ଅବସ୍ଥାପିତ ଅଛନ୍ତି । ଏହି ଏନଡିଆର ଏଫ ଟିମ୍ ଓସଡମା ଏବଂ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ସହ ସମନ୍ଵୟ ରଖି କାର୍ଯ୍ୟ କରୁଛନ୍ତି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଏନ୍‌ଡିଆର୍‌ଏଫ୍ ଟିମ୍ ନିୟୋଜିତ ପାଇଁ ସେମାନଙ୍କର ବ୍ୟବହୃତ ଗାଡିକୁ ବିଡିଓ ଓ ତହସିଲଦାରମାନେ ଆବଶ୍ୟକୀୟ ତେଲ ଦେବାପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯିବ ।

୮୭୯ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସମ୍ଭାବ୍ୟ ବାତ୍ୟା ପୂର୍ବରୁ ସ୍ଥାନାନ୍ତରିତ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ୟବହାର କରାଯାଉଛି । ଏହି ଆଶ୍ରୟସ୍ଥଳୀଗୁଡିକରେ ଥିବା ବିଭିନ୍ନ ଆପଦକାଳୀନ ଉପକରଣ ଓ ଯନ୍ତ୍ରପାତି ଏବଂ ଲାଇଟ୍ ଓ ଜେନେରେଟରଗୁଡିକୁ ଯାଞ୍ଚ କରିବା ପାଇଁ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଛି । ଆଶ୍ରୟସ୍ଥଳୀମାନଙ୍କରେ ଥିବା ଟାୱାର ଲାଇଟ୍‌ର କାର୍ଯ୍ୟକ୍ଷମ ଉପରେ ଯାଞ୍ଚ କରି ସଚଳ ଟାୱାର ଲାଇଟ୍‌ଗୁଡିକର ତାଲିକା ପ୍ରସ୍ତୁତ କରିବା ପାଇଁ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଶ୍ରୟସ୍ଥଳୀମାନଙ୍କରେ ଥିବା ଶକ୍ତିଚାଳିତ କରତର କାର୍ଯ୍ୟକାରିତା ଉପରେ ଯାଞ୍ଚ କରିବା ପାଇଁ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଅଛି ।

ଜଳସମ୍ପଦ ବିଭାଗ ଠିକ୍ ସମୟରେ ବନ୍ୟାର ପୂର୍ବାନୁମାନ, ବିଭିନ୍ନ ନଦୀ ପ୍ରଣାଳୀର ଜଳସ୍ତର ଏବଂ ଜଳ ପ୍ରବାହ ଏବଂ ଜଳଭଣ୍ଡାରର ସୁପରିଚାଳନାକୁ ନିଶ୍ଚିତ କରିବେ । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ଵଚ୍ଛତା ଏବଂ ପରିମଳ ଉପରେ ଆବଶ୍ୟକୀୟ ପଦେକ୍ଷପ ନେବା ପାଇଁ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବେ । ରାଜ୍ୟ ଓ ଜିଲ୍ଲା ସ୍ତରରେ ପର୍ଯ୍ୟାପ୍ତ ପରିମାଣର କ୍ଲିଚିଂ ପାଉଡର, କ୍ଲୋରିନ୍ ଟାବଲେଟ୍‌, ଚୂନ ପାଉଡର ଇତ୍ୟାଦି ମହଜୁଦ୍ ରଖିବେ । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପାଖରେ ୧୦ ଟି ମୋବାଇଲ ଟ୍ରିଟମେଣ୍ଟ ପ୍ଲାଣ୍ଟ ମହଜୁଦ୍ ଅଛି । ଏହି ପ୍ଲାଣ୍ଟଗୁଡିକୁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଆଗୁଆ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି । ପାଣି ଟ୍ୟାଙ୍କର ମାଧ୍ୟମରେ ମଧ୍ୟ ପାନୀୟ ଜଳ ପ୍ରଭାବିତ ଅଞ୍ଚଳକୁ ଯୋଗାଇ ଦିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି । ବାତ୍ୟା ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ହୋଇଥିବା
ଜଳଯୋଗାଣ ପ୍ରକଳ୍ପକୁ ତୁରନ୍ତ ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି ।

ଏହି ଅବସରରେ ଉପସ୍ଥିତ ରହି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ଵତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ କହିଥିଲେ ଯେ ଗ୍ରାମ୍ୟ ଉନ୍ନୟନ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସେମାନଙ୍କର ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ନିଶ୍ଚିତ କରିବେ । ଏହି ବିଭାଗମାନେ ବାତ୍ୟା ପୂର୍ବରୁ ଆବଶ୍ୟକୀୟ ମାନବସମ୍ବଳ, ଯନ୍ତ୍ରପାତି ଆଗୁଆ ନିୟୋଜିତ କରିବା ପାଇଁ ବ୍ୟବସ୍ଥା କରିବେ । ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବାତ୍ୟା ପରବର୍ତୀ ସମୟରେ ଖୁବ୍ କମ୍ ସମୟ ମଧ୍ୟରେ ରିଲିଫ୍ ଲାଇନ କ୍ଲିୟରାନ୍ସ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କ୍ଷତିଗ୍ରସ୍ତ ରାସ୍ତାର ତୁରନ୍ତ ପୁନରୁଦ୍ଧାର ପାଇଁ ବ୍ୟବସ୍ଥା କରିବେ । ଏତଦ୍‌ବ୍ୟତୀତ ଏହି ବିଭାଗମାନେ ଜରୁରୀକାଳୀନ ଯନ୍ତ୍ରପାତିର ତାଲିକା ଆଗୁଆ ପ୍ରସ୍ତୁତ କରି ଜିଲ୍ଲା ମୁଖ୍ୟାଳୟରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି ।

ବାତ୍ୟା ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବନ୍ୟା ସମ୍ବନ୍ଧୀୟ ରୋଗ ପାଇଁ ଆବଶ୍ୟକୀୟ ଔଷଧ, ଜଳ ବିଶୋଧକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାପକାମୁଡା ଇଞ୍ଜେକ୍ସନ ମହଜୁଦ୍ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି ।

ସତର୍କ ସୂଚନା ପାଇବା ପରେ ଗର୍ଭବତୀ ମହିଳାମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ / ସିଏଚସି/ ପିଏଚସି/ ମା’ ଗୃହକୁ ଆଣିବା ପାଇଁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି । ପିଏଚସି / ସିଏଚସି /ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ବିକଳ୍ପ ବିଦ୍ୟୁତ ବ୍ୟାକ୍ ଅପ୍ ରଖିବା ପାଇଁ ପଦକ୍ଷେପ ନେବେ । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ବାତ୍ୟା ସମୟରେ ଗୋଖାଦ୍ୟ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବେ । ମୌସୁମୀ ପୂର୍ବରୁ ପ୍ରାଣୀ ଚିକିତ୍ସାଳୟରେ ଆବଶ୍ୟକୀୟ ପଶୁ ଔଷଧ ମହଜୁଦ୍
ରଖିବା ଏବଂ ଗୋରୁଗାଈମାନଙ୍କ ଟୀକାକରଣ ଉପରେ ଆଗୁଆ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ସମ୍ଭାବ୍ୟ ବାତ୍ୟା ପୂର୍ବରୁ ବାତ୍ୟା ସମ୍ପର୍କିତ ସତର୍କ ସୂଚନା ମତ୍ସ୍ୟଜୀବୀମାନଙ୍କୁ ଆଗୁଆ ପ୍ରସାରଣ କରିବା ପାଇଁ ପଦକ୍ଷେପ ନେବେ ।

ଶକ୍ତି ବିଭାଗ ବିଦ୍ୟୁତ ବିତରଣ କମ୍ପାନୀଗୁଡିକୁ ସେମାନଙ୍କର ବିପର୍ଯ୍ୟୟ ପରିଚାଳନା ଯୋଜନା ସମୀକ୍ଷା କରି କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେବେ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଯୋଗାଣର ଶୀଘ୍ର ପୁନରୁଦ୍ଧାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବେ । ବାତ୍ୟା ପୂର୍ବରୁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଆବଶ୍ୟକୀୟ ମାନବସମ୍ବଳ ଏବଂ ଜରୁରୀକାଳୀନ ଯନ୍ତ୍ରପାତି ଆଗୁଆ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି । ମହିଳା ଏବଂ ଶିଶୁ ବିକାଶ ବିଭାଗ ଶିଶୁ ଏବଂ ମହିଳାମାନଙ୍କ ଯନ୍ତ୍ର ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ପାଇଁ ଆଗୁଆ ଛତୁଆ ଯୋଗାଣ ଉପରେ ଗୁରୁତ୍ଵ ଦେବେ । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବର୍ଷା ଋତୁ ପୂର୍ବରୁ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଆଗୁଆ ଖାଦ୍ୟ ସାମଗ୍ରୀ ଏବଂ ପିଡିଏସ ଦ୍ରବ୍ୟ ମହଜୁଦ୍ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି ।

ପେଟ୍ରୋଲ ପମ୍ପଗୁଡିକରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ | ଡିଜେଲ ମହଜୁଦ୍ ରଖିବା ପାଇଁ ପଦକ୍ଷେପ ନେବେ । ଚୁଡା, ଗୁଡ, ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ସାମଗ୍ରୀ, ମହମବତୀ, ଦିଆସିଲି ଇତ୍ୟାଦି କ୍ରୟ ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଯୋଗାଣକାରୀଙ୍କ ତାଲିକା ଆଗୁଆ ଚୂଡାନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି । କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ବାତ୍ୟା | ବନ୍ୟା ପରିସ୍ଥିତି ସମୟରେ ଆବଶ୍ୟକୀୟ ଫସଲ ଉପଦେଶ ପ୍ରସାର କରିବା ପାଇଁ ପଦକ୍ଷେପ ନେବେ । ୨୦୨୩ ବର୍ଷ ପାଇଁ ଏହି ବିଭାଗ ଆପଦକାଳୀନ ଫସଲ ଯୋଜନା ପ୍ରସ୍ତୁତ କରିବା ପାଇଁ ପଦକ୍ଷେପ ନେବେ । ବିଭିନ୍ନ ବିଭାଗମାନେ ସେମାନଙ୍କର ନୋଡାଲ ଅଫିସରମାନଙ୍କର ମୋବାଇଲ୍ ନମ୍ବର, ହ୍ୱାଟ୍ସଆପ୍ ନମ୍ବର ଓ ଟେଲିଫୋନ୍ ନମ୍ବର ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟଳୟକୁ ଏପ୍ରିଲ୍ ମାସ ୩୦ ତାରିଖ ସୁଦ୍ଧା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି ।

ଏହି ଅବସରରେ ଅତିରିକ୍ତ ରିଲିଫ୍ କମିଶନର ଡ. ଜ୍ଞାନ ଦାସ କହିଲେ ଯେ ପାରାଦ୍ଵୀପ ଏବଂ ଗୋପାଳପୁରରେ ଡୋପଲର ରାଡାର କାର୍ଯ୍ୟ କରୁଛି ଯାହା ସାଇକ୍ଲୋନନ୍ ଟ୍ରାକିଂ ଏବଂ ପାଣିପାଗ ପୂର୍ବାନୁମାନ କରିବାରେ ସାହାଯ୍ୟ କରିବ । ଏହି ରାଡାରଗୁଡିକ ଟର୍ନାଡୋ | ବଜ୍ରପାତ | କୁଆପଥର ପୂର୍ବାନୁମାନ କରିବାରେ ମଧ୍ୟ ସାହାଯ୍ୟ କରେ ।

ସାଇକ୍ଲୋନ ପରିସ୍ଥିତିରେ ଟେଲିକମ୍ ସିଷ୍ଟମକୁ କାର୍ଯ୍ୟକ୍ଷମ ରଖିବା ପାଇଁ ବିଏସ୍ଏନ୍‌ଏଲ୍‌ ଏବଂ ଟେଲିକମ୍‌ ସେବା ପ୍ରଦାନକାରୀଙ୍କ ଦ୍ଵାରା ଆପଦକାଳୀନ ବ୍ୟବସ୍ଥା କରାଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଆଗୁଆ ମୋବାଇଲ୍‌ ଟାୱାରଗୁଡିକୁ ନିୟୋଜିତ କରିବା ପାଇଁ ଯୋଜନା କରାଯାଇଅଛି । ସମ୍ଭାବ୍ୟ ବାତ୍ୟାପ୍ରବଣ ଅଞ୍ଚଳର ସମସ୍ତ ସେଲ ଫୋନ୍‌ ଗ୍ରାହକଙ୍କୁ ଭଏସ୍ ମେସେଜ୍ ସହିତ ଏସ୍ଏମ୍ଏସ୍ ମାଧ୍ୟମରେ ସାଇକ୍ଲୋନ୍ ଚେତାବନୀ ଏବଂ ଆଇଏମ୍‌ର ଆଲର୍ଟ ମେସେଜ୍ ପଠାଇବାକୁ ବିଏସ୍ଏସ୍ଏଲ୍‌କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ସୂଚନା | ପାଣିପାଗ ପୂର୍ବାନୁମାନ ଏବଂ ଆନୁସଙ୍ଗିକ ସ୍ଵତନ୍ତ୍ର ବୁଲେଟିନ୍ ଅଲ ଇଣ୍ଡିଆ ରେଡିଓ, ଏଫଏମ ଚ୍ୟାନେଲ, ଦୂରଦର୍ଶନ, ସମସ୍ତ ଟିଭି ଚ୍ୟାନେଲ ଏବଂ ଲୋକାଲ କେବୁଲ ଚ୍ୟାନେଲ ଦ୍ଵାରା ପ୍ରସାରିତ କରିବା ପାଇଁ ଭାରତୀୟ ପାଣିପାଗ ବିଭାଗ ପଦକ୍ଷେପ ନେଇଛନ୍ତି ।