ବିଦ୍ୟୁତ ଚାଳିତ ଗାଡି କିଣାରେ ରିହାତି ପରିମାଣ ବଢାଇଲେ ରାଜ୍ୟ ସରକାର  | News Room Odisha

ବିଦ୍ୟୁତ ଚାଳିତ ଗାଡି କିଣାରେ ରିହାତି ପରିମାଣ ବଢାଇଲେ ରାଜ୍ୟ ସରକାର 

ଭୁବନେଶ୍ୱର – ଓଡ଼ିଶା ବିଦ୍ୟୁତ ଚାଳିତ ଯାନ ନୀତି-୨୦୨୧ରେ ସଂଶୋଧନ ପ୍ରସ୍ତାବ କ୍ୟାବିନେଟ ଅନୁମୋଦନ କରିବା ପରେ ଆଜି ରାଜ୍ୟ ସରକାର ବୈଦ୍ୟୁତିକ ଗାଡ଼ି କିଣାରେ ରିହାତି ପରିମାଣ ବୃଦ୍ଧି କରିଛନ୍ତି। ସଂଶୋଧିତ ନୀତି ଅନୁସାରେ ଏଣିକି ଦୁଇଚକିଆ ବୈଦ୍ୟୁତିକ ଗାଡ଼ି କିଣିଲେ ସର୍ବାଧିକ ୨୦ ହଜାର ଟଙ୍କା, ତିନିଚକିଆ ଯାନରେ ୩୦ ହଜାର ଟଙ୍କା ଓ ଚାରିଚକିଆ ଯାନରେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେବେ ସରକାର। ଇଲେକ୍ଟ୍ରିକ ଗାଡି କିଣାକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଆଜି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ରିହାତି ପରିମାଣ ବୃଦ୍ଧି ସଂପର୍କିତ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।

ସରକାର ୨୦୨୫ ମସିହା ସୁଦ୍ଧା ରାଜ୍ୟରେ ୨୦ ପ୍ରତିଶତ ବିଦ୍ୟୁତ ଚାଳିତ ଯାନ ଚଳାଚଳ ଲକ୍ଷ୍ୟ ହାସଲ ପାଇଁ ଗତ ସୋମବାର ଓଡ଼ିଶା ବିଦ୍ୟୁତଚାଳିତ ଯାନ ନୀତି-୨୦୨୧ରେ ସଂଶୋଧନ କରିଛନ୍ତି । ଦୁଇଚକିଆ ଯାନ ଉପରେ ରିହାତି କିଲୋୱାଟ ପିଛା ୫ ହଜାର ଟଙ୍କା ଓ ସର୍ବାଧିକ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ସେହିପରି ତିନିଚକିଆ ଗାଡ଼ିରେ ୩୦ହଜାର ଟଙ୍କା(ଗାଡ଼ି ପିଛା) ରିହାତି ମିଳିବ ଏବଂ ଚାରିଚକିଆ ବିଦ୍ୟୁତ ଚାଳିତ ଯାନରେ କିଲୋୱାଟ ପିଛା ୧୦ ହଜାର ଟଙ୍କା ହିସାବରେ ସର୍ବାଧିକ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ ।