ଝାରସୁଗୁଡ଼ା ଉପନିର୍ବାଚନ: ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ଉପରେ ନଜର ରଖିବା ପାଇଁ ଆସିଲେ ପର୍ଯ୍ୟବେକ୍ଷକ  | News Room Odisha

ଝାରସୁଗୁଡ଼ା ଉପନିର୍ବାଚନ: ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ଉପରେ ନଜର ରଖିବା ପାଇଁ ଆସିଲେ ପର୍ଯ୍ୟବେକ୍ଷକ 

ଝାରସୁଗୁଡା – ଉପନିର୍ବାଚନ ପାଇଁ ଝାରସୁଗୁଡ଼ାରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଥିବା ବେଳେ ପ୍ରଚାର ବି ଜମିବାରେ ଲାଗିଲାଣି । ଏଣେ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ଉପରେ କଡା ନଜର ରଖାଯାଉଛି । ଏଥିପାଇଁ ଭାରତୀୟ ରାଜସ୍ବ ସେବା ଅଧିକାରୀ ଡକ୍ଟର ରବିରାଜ ଖୋଗରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଛନ୍ତି । ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଖର୍ଚ୍ଚ କରୁଛନ୍ତି କି ନାହିଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ତାହା ତଦାରଖ କରିବେ ।

ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଛନ୍ତି ଖର୍ଚ୍ଚ ପର୍ଯ୍ୟବେକ୍ଷକ ଡ. ରବିରାଜ ଖୋଗରେ । ନିର୍ବାଚନୀ ଖର୍ଚ୍ଚ ସମ୍ପର୍କରେ ସୂଚନା ପ୍ରଦାନ ପୂର୍ବକ ଯଥା ସମୟରେ ଏହାର ସମ୍ପୂର୍ଣ୍ଣ ବିବରଣୀ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ନିକଟରେ ଦାଖଲ ସହ ନିର୍ବାଚନ ଆୟୋଗଙ୍କ ଦ୍ବାରା ଜାରି ନିର୍ଦ୍ଦେଶାବଳୀର ସଠିକ ଅନୁପାଳନ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ଜିଲ୍ଲା ନିର୍ବାଚନ ଅଧିକାରୀ । ନିର୍ବାଚନୀ ଖର୍ଚ୍ଚ ସମ୍ବନ୍ଧୀୟ କୌଣସି ଅଭିଯୋଗ ଥିଲେ ମୋବାଇଲ ନମ୍ବର ୮୮୯୫୮୧୯୪୫୨ ଯୋଗେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ଯୋଗାଯୋଗ କରିବାକୁ ଅବଗତ କରାଯାଇଛି ।