ବ୍ରହ୍ମପୁର ବୁଢ଼ି ଠାକୁରାଣୀ ଯାତ୍ରାରେ ବେଶ ଆକର୍ଷଣ  | News Room Odisha

ବ୍ରହ୍ମପୁର ବୁଢ଼ି ଠାକୁରାଣୀ ଯାତ୍ରାରେ ବେଶ ଆକର୍ଷଣ 

ବ୍ରହ୍ମପୁର: ଆଉ ଦୁଇ ଦିନ ପରେ ଶେଷ ହେବ ବ୍ରହ୍ମପୁର ବୁଢ଼ି ଠାକୁରାଣୀ ଯାତ୍ରା। ସୋମବାର ମଧ୍ୟରାତ୍ରିରେ ବାପଘରୁ ବିଦାୟ ନେଇ ନିଜସ୍ବ ମୂଳ ମନ୍ଦିରକୁ ଫେରିଯିବେ ମା’ ସାଆନ୍ତାଣୀ। ଯେହେତୁ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତେଣୁ ବାକି ରହି ଯାଇଥିବା ରୀତିନୀତି ଓ ପରମ୍ପରା ସମ୍ପନ୍ନ କରିବା ବେଳ ମଧ୍ୟ ଉପନୀତ। ସାହି ସାହିରେ ରଥ ଓ କଳାକୁଞ୍ଜର ସମ୍ଭାରରେ ପରିପୂର୍ଣ୍ଣ ହୋଇ ଉଠୁଛି ଯାତ୍ରା ସ୍ଥଳର ଆଧ୍ୟାତ୍ମିକ ପରିବେଶ। କେବଳ ଦେଶୀବେହେରା ସାହି କିମ୍ବା ବଡ଼ବଜାର ନୁହେଁ, ଏବେ ପ୍ରାୟ ସହରସାରା ଘୁରି ବୁଲୁଛନ୍ତି ବିଭିନ୍ନ ବେଶଧାରୀ। ଏକାକୀ ହେଉ କିମ୍ବା ୨ରୁ ୪ ଜଣ ଅଥବା ଦଳବଳ ସମେତ ବେଶଧାରୀମାନେ ଆସି ଦେବୀ ଦର୍ଶନ କରୁଛନ୍ତି। ପୁଣି ସହରସାରା ଘୁରି ବୁଲୁଛନ୍ତି।

ଅଶୋକ ନଗରରୁ ଏକକାଳୀନ ୧୧ଟି ବାଘ ବେଶଧାରୀ ଯେତେବେଳେ ଶୁକ୍ରବାର ସନ୍ଧ୍ୟାରେ ଦଳବଳ ହୋଇ ବାହାରିଥିଲେ ଦେଖଣାହାରୀ ସେହି ଦୃଶ୍ୟରେ ଚମତ୍କୃତ ହୋଇ ଉଠିଥିଲେ। ବାଜାର ତାଳେ ତାଳେ ସେମାନଙ୍କ ନାଚ ଦର୍ଶକଙ୍କୁ ଯାତ୍ରା ପ୍ରତି ଆକୃଷ୍ଟ କରିଥିଲା। ସେମାନଙ୍କ ମଧ୍ୟରେ ଥିଲେ ଦୁଇ ନାବାଳକ ବା ଦୁଇ ଭାଇ ସୋହନ୍ ଓ ରୋହିତ। ଉଲ୍ଲେଖଯୋଗ୍ୟ ଯେ ଯାତ୍ରାରେ ପୂର୍ବରୁ ମଧ୍ୟ କୁନି ବାଘ ବେଶଧାରୀଙ୍କୁ ଦେଖିବାକୁ ମିଳିଥିଲା।

ଯାତ୍ରାର ଅନ୍ୟତମ ଆକର୍ଷଣ ବା ପାରମ୍ପରିକ ବିଜିପୁରର ଲଣ୍ଡା ବେଶ ମଧ୍ୟ ଶୁକ୍ରବାର ସନ୍ଧ୍ୟାରେ ପଟୁଆରରେ ବାହାରିଥିଲା। ଚଳିତ ଥର ୯୦ ବର୍ଷରେ ପହଞ୍ଚି ଥିଲା ଲଣ୍ଡା ବେଶ। ୧୯୩୩ ମସିହାରେ ଏହି ସାମୂହିକ ବେଶ ଆରମ୍ଭ ହୋଇଥିବା କୁହାଯାଏ। ଚଳିତ ବର୍ଷ ୨୭୬ ଜଣ ନିଜ ମସ୍ତକ ମୁଣ୍ଡନ କରି ଏହି ବେଶ ପଟୁଆରରେ ସାମିଲ ହୋଇଥିଲେ। ଲଣ୍ଡିତ ମସ୍ତକ, ମୁହଁରେ ଚିତା ଚୈତନ୍ୟ, ଦେହରେ ପ୍ରାୟତଃ ଧଳା ଧୋତି ଗୁଡ଼ାଇ ହୋଇଥିଲେ। ଦେଶୀବେହେରା ସାହିରେ ଏହି ବେଶଧାରୀମାନେ ପହଞ୍ଚିବା ପରେ ସମସ୍ତଙ୍କ ନଜର ସେମାନଙ୍କ ଉପରେ ଲାଖି ରହି ଯାଇଥିଲା।

ସେହିପରି ଅନ୍ୟତମ ପାରମ୍ପରିକ ମଦିନା ବେଶରେ ସୁସଜ୍ଜିତ ବୟସ୍କ ଓ ଛୁଆ, ପୁରୁଷ ଓ ବାଳକ ବାଳିକାଙ୍କୁ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମାଇଥିବା। ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଓ ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତିତ୍ବ ଦେବୀ ଦର୍ଶନ କରିଛନ୍ତି।