କେକେଆର୍‌କୁ ହରାଇ ଟେବୁଲ ଶୀର୍ଷରେ ଗୁଜରାଟ | News Room Odisha

କେକେଆର୍‌କୁ ହରାଇ ଟେବୁଲ ଶୀର୍ଷରେ ଗୁଜରାଟ

କୋଲକାତା : ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଚଳିତ ଆଇପିଏଲରେ ଜୟଯାତ୍ରା ଜାରି ରଖିଛି । ଶନିବାର ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ଏକ ମ୍ୟାଚରେ ଅଲରାଉଣ୍ଡ ପ୍ରଦର୍ଶନ ସହ ଘରୋଇ ଦଳ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌)କୁ ୭ ୱିକେଟରେ ହରାଇଛି ଗୁଜରାଟ । କ୍ରମାଗତ ତୃତୀୟ ବିଜୟ ସହ ଟାଇଟନ୍ସ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି । ଆଠଟି ମ୍ୟାଚରୁ ଗୁଜରାଟର ଏହା ଷଷ୍ଠ ବିଜୟ । ଅନ୍ୟପକ୍ଷରେ କେକେଆର୍ ୯ଟି ମ୍ୟାଚରୁ ଷଷ୍ଠ ପରାଜୟ ବରଣ କରି ସପ୍ତମ ସ୍ଥାନରେ ରହିଛି ।

କେକେଆର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଓପନର ରହମନୁଲ୍ଲା ଗୁୁରବାଜଙ୍କ ଅର୍ଦ୍ଧଶତକ ବଳରେ ୭ ୱିକେଟ୍ ହରାଇ ୧୭୯ ରନ୍ କରିଥିଲା । ଏହାର ଜବାବରେ ଗୁଜରାଟ ମାତ୍ର ୧୭.୫ ଓଭରରେ ୩ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା । ଦଳପ କ୍ଷରୁ ବିଜୟ ଶଙ୍କର ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଶୁଭମାନ ଗିଲ୍ ଓ ଡେଭିଡ୍ ମିଲର ଉପଯୋଗୀ ପାଳି ଖେଳିଥିଲେ ।

ଶଙ୍କର ୨୪ଟି ବଲରେ ୨ଟି ଚୌକା ଓ ୫ଟି ଛକା ସହ ୫୧ ରନ୍ କରି ଅପରାଜିତ ରହିଥିଲେ । ମିଲର ମଧ୍ୟ ୧୮ଟି ବଲରେ ୨ଟି ଚୌକା ଓ ସମାନ ସଂଖ୍ୟକ ଛକା ସହ ଅପରାଜିତ ୩୨ ରନ୍ କରିଥିଲେ ।

କେକେଆର୍ ପ୍ରଦତ୍ତ ୧୮୦ ରନର ଲକ୍ଷ୍ୟ ଜବାବରେ ଗୁଜରାଟ ଶୀଘ୍ର ଓପନର ରିଦ୍ଧିମାନ ଶାହା (୧୦)ଙ୍କ ୱିକେଟ୍ ହରାଇଥିଲା । ଏହାପରେ ଗିଲ୍ ଓ ଅଧିନାୟକ ପାଣ୍ଡ୍ୟା ୫୦ ରନ୍ ଯୋଗକରି ସ୍କୋରକୁ ଆଗେଇ ନେଇଥିଲେ । ପାଣ୍ଡ୍ୟା ପୁଣି ଏକ ଭଲ ଷ୍ଟାର୍ଟକୁ ବଡ଼ ସ୍କୋରରେ ପରିଣତ କରିବା ସୁଯୋଗ ହାତଛଡ଼ା କରିଥିଲେ । ସେ ୨୦ଟି ବଲରେ ୨ଟି ଚୌକା ଓ ଗୋଟିଏ ଛକା ସହ ୨୬ ରନ୍ କରି ହର୍ଷିତ ରାଣାଙ୍କ ବଲରେ ଆଉଟ୍ ହୋଇଥିଲେ । ଗିଲ୍ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ସେ ୩୫ଟି ବଲ୍ ଖେଳି ୮ଟି ଚୌକା ସହ ୪୯ ରନ୍ କରିଥିଲେ । ଗିଲ୍ ଆଉଟ୍ ହେବା ବେଳକୁ ଗୁଜରାଟର ସ୍କୋର ଥିଲା ୯୩/୩ । ଏଠାରୁ ଶଙ୍କର ଓ ମିଲର ଦାୟିତ୍ୱ ସମ୍ଭାଳିଥିଲେ । ଦୁହେଁ କେକେଆର୍ ବୋଲରଙ୍କୁ କୌଣସି ସୁଯୋଗ ନ ଦେଇ ଗୁଜରାଟକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ । ଉଭୟ ଅବିଭକ୍ତ ଚତୁର୍ଥ ୱିକେଟ୍ ଭାଗିଦାରୀରେ ୮୭ ରନ୍ ଯୋଗ କରିଥିଲେ । କେକେଆର୍ ତରଫରୁ ହର୍ଷିତ, ଅଣ୍ଡ୍ରେ ରସେଲ ଓ ସୁନୀଲ ନାରାଇନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ପୂର୍ବରୁ ଗୁଜରାଟ ଅଧିନାୟକ ପାଣ୍ଡ୍ୟା ଟସ୍ ଜିତି କେକେଆରକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ଜାସନ ରୟଙ୍କ ସ୍ଥାନରେ ଆଜି ଗୁରବାଜଙ୍କୁ ସୁଯୋଗ ମିଳିଥିଲା । ଏହି ଆଫଗାନ୍ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଓ ଏନ୍ ଜଗଦୀଶନ କେକେଆର୍ ଇନିଂସ୍ ଆରମ୍ଭ କରିଥିଲେ । ତେବେ ଜଗଦୀଶନ ମାତ୍ର ୧୯ ରନ୍ କରି ମହମ୍ମଦ ସାମିଙ୍କ ଶିକାର ହୋଇଥିଲେ । ବ୍ୟାଟିଂ ଅର୍ଡରରେ ଆଗୁଆ ଆସିଥିବା ଶାର୍ଦ୍ଦୁଲ ଠାକୁର ଫେଲ୍ ମାରିଥିଲେ । ସେ ଖାତା ମଧ୍ୟ ଖୋଲିପାରିନଥିଲେ । ତାଙ୍କୁ ମଧ୍ୟ ସାମି ଆଉଟ୍ କରିଥିଲେ । ଦୁଇ ଇନ୍ ଫର୍ମ ବ୍ୟାଟର ଭେଙ୍କଟେଶ ଆୟର (୧୧) ଓ ଅଧିନାୟକ ନୀତିଶ ରାଣା (୪) ବି ଶସ୍ତାରେ ଆଉଟ୍ ହୋଇଥିଲେ । ହେଲେ ଗୁରବାଜ ଏକ ଧମାକାଦାର ପାଳି ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ତେବେ ତାଙ୍କ ୱିକେଟ୍ ପରେ ରନ୍ ଗତି ଧିମେଇ ଯାଇଥିଲା । ଗୁରବାଜ କେବଳ ୩୯ଟି ବଲରେ ୫ଟି ଚୌକା ଓ ୭ଟି ବିଶାଳ ଛକା ସହ ୮୧ ରନର ଆକର୍ଷଣୀୟ ଇନିଂସ୍ ଖେଳିଥିଲେ । ବ୍ୟାଟିଂ ସେନସେସନ୍ ରିଙ୍କୁ ସିଂ (୧୯) ଆଜି ବିଶେଷ କମାଲ କରିପାରିନଥିଲେ । ରସେଲ ୧୯ଟି ବଲରେ ଦ୍ରୁତ ୩୪ ରନ୍ କରିଥିବା ବେଳେ କେକେଆର୍ ୭ ୱିକେଟ୍ ହରାଇ ମାତ୍ର ୧୭୯ ରନ୍ କରିବାକୁ ସମର୍ଥ ହୋଇଥିଲା ।

ଗୁଜରାଟ ତରଫଣୁ ସାମି ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଜୋସ୍ ଲିଟିଲ୍ ଓ ନୂର ଅହମ୍ମଦ ୨ଟି ଲେଖାଏଁ ୱିକେଟ୍ ହାତେଇଥିଲେ । ଲିଟିଲ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।