(ପୁଣ୍ୟ ଜୟନ୍ତୀ ଅବସରରେ )
ଅଚ୍ୟୁତାନନ୍ଦଙ୍କ ‘ଉଦୟ କାହାଣୀ’ ଅନୁସାରେ ଜଗନ୍ନାଥ ଦାସ ଓ ଯଶୋବନ୍ତ ଦାସ ଏକା ବର୍ଷରେ ଜନ୍ମଗ୍ରହଣ କରିଥିଲେ । ବଳରାମ ଦାସ ଏହି ଉଭୟଙ୍କଠୁଁ ଚାରିବର୍ଷ ବଡ଼ । ଏଣୁ ‘ଉଦୟ କାହାଣୀ’ ଅନୁସାରେ ଯଶୋବନ୍ତ ଖ୍ରୀଷ୍ଟାବ୍ଦ ୧୪୮୭ରେ ଜନ୍ମଗ୍ରହଣ କରିଥିଲେ ବୋଲି ଧରାଯାଏ ।
କଟକ ଜିଲ୍ଲା ଅନ୍ତର୍ଗତ ଜଗତସିଂହପୁର ନିକଟସ୍ଥ ଅଢ଼ଙ୍ଗଗଡ଼ ଅନ୍ତର୍ଗତ ନନ୍ଦୀଗ୍ରାମରେ ଯଶୋବନ୍ତ ଜନ୍ମଲାଭ କରିଥିଲେ । ତାଙ୍କ ପିତାଙ୍କ ନାମ ଜଗୁ ମଲ୍ଲିକ ଓ ମାତାଙ୍କ ନାମ ରେଖାଦେବୀ । ଯଶୋବନ୍ତ ଦାସ ନିଜ ବା ନିଜ ପରିବାର ବିଷୟ ରେ କୌଣସି ସନ୍ତୋଷଜନକ ପରିଚୟ ନିଜ ଗ୍ରନ୍ଥ ମାନଙ୍କରେ ଦେଇନାହାନ୍ତି ।ଚନ୍ଦ୍ର ବଂଶରେ ଜାତ ଯଶୋବନ୍ତ । କ୍ଷତ୍ରିୟ କୁଳ ସେ କଲେ ପବିତ୍ର ।।
—ଅବତାର ମାଳିକା
ସେ ମହାନାୟକ ବା କ୍ଷତ୍ରିୟ ଥିଲେ ବୋଲି କେତେକଙ୍କ ମତ ରହିଛି । ଅନ୍ୟମତେ ସେ କୃଷକ ପରିବାରରେ ଜନ୍ମଲାଭ କରିଥିଲେ ।ଯଶୋବନ୍ତଙ୍କ ପିତା ମାତା ବହୁତ ଧର୍ମ ପରାୟଣ ଥିଲେ । ଯଶୋବନ୍ତଙ୍କ ଉପରେ ସେମାନଙ୍କ ଗଭୀର ପ୍ରଭାବ ପଡ଼ିଥିଲା । ଏଣୁ ସେ ଧର୍ମ ପ୍ରତି ଆକୃଷ୍ଟ ହୋଇ ଥିଲେ ।
ସୁଦର୍ଶନ ଦାସଙ୍କ ଲିଖିତ ‘ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା’ ନାମକ ଗ୍ରନ୍ଥରେ ଯଶୋବନ୍ତଙ୍କ ବାଲ୍ୟ ଜୀବନର ବର୍ଣ୍ଣନା ରହିଛି । ସୁଦର୍ଶନ ଦାସ ଯଶୋବନ୍ତଙ୍କ ନିଜ ଶିଷ୍ୟ ଥିଲେ । ଏହି ଗ୍ରନ୍ଥରେ ଯଶୋବନ୍ତଙ୍କ ବିଷୟରେ ବହୁ ବିସ୍ମୟକାରୀ କିମ୍ବଦନ୍ତୀ ରହିଛି ।
ଯଶୋବନ୍ତଙ୍କ ପିତା ଜଣେ ଦରିଦ୍ର ବ୍ୟକ୍ତି ଥିଲେ । ଦାରିଦ୍ର୍ୟ ଯୋଗୁଁ ସେ ବାଧ୍ୟ ହୋଇ ଥରେ ଧାନ ଚୋରି କରିଥିଲେ । ଚୋରି କଲାବେଳେ ଅଢ଼ଙ୍ଗଗଡ଼ର ସାମନ୍ତରାଜା ରଘୁରାମ ଚ଼ମ୍ପପତି ରାୟ ତାଙ୍କୁ ଦେଖିଦେଇଥିଲେ । ରଘୁରାମ ଚୋରକୁ ଦଣ୍ଡ ଦିଆଯାଉ ବୋଲି ଆଜ୍ଞା କରିବାରୁ ଯଶୋବନ୍ତ ଜଗନ୍ନାଥଙ୍କୁ ଆକୁଳ ହୋଇ ବିନତି କଲେ । ଜଗନ୍ନାଥ ତାଙ୍କ ଡାକ ଶୁଣି ଯଶୋବନ୍ତଙ୍କ ଶରୀରରେ ପ୍ରକାଶିତ ହେଲେ । ଏହି ଦୃଶ୍ୟକୁ ରଘୁରାମ ହିଁ ଦେଖିପାରିଥିଲେ । ଏହା ଦେଖିଲାପରେ ରଘୁରାମ ଓ ତାଙ୍କ ସ୍ତ୍ରୀ ତିଳୋତ୍ତମା ଯଶୋବନ୍ତଙ୍କ ଶିଷ୍ୟ ହୋଇଗଲେ ।ଏହି କିମ୍ବଦନ୍ତୀ ଭଳି ଅନ୍ୟ ଏକ କଥା ମଧ୍ୟ ଶୁଣାଯାଏ ।
ବାରବର୍ଷ ବୟସରୁ ଯଶୋବନ୍ତ ସଂସାର ପ୍ରତି ଉଦାସୀନ ହୋଇପଡ଼ିଥିଲେ । ଏହା ପରେ ସେ ବହୁତ ବର୍ଷ ତୀର୍ଥ ପର୍ଯ୍ୟଟନରେ ଅତିବାହିତ କରିଥିଲେ । ସେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବା ପରେ ‘ଦାସ’ ଉପାଧି ଗ୍ରହଣ କରିଥିଲେ ।
ଯଶୋବନ୍ତ ଚୈତନ୍ୟ ଦେବଙ୍କ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ପ୍ରଭାବିତ ହୋଇ ଖ୍ରୀଷ୍ଟାବ୍ଦ ୧୫୦୯ରେ ପୁରୀ ଆସିଥିଲେ । ଓଡ଼ିଶାରେ ଚୈତନ୍ୟ ଦେବଙ୍କ ଅବସ୍ଥାନ ସମୟରେ ଯଶୋବନ୍ତ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ପୁରୀରେ ସେ ଦୀକ୍ଷା ନେଇଥିଲେ । ଦୀକ୍ଷା ନେଇ ନିଜ ଗ୍ରାମ ଅଢ଼ଙ୍ଗକୁ ଫେରିଆସିଥିଲେ ।
ସେତେବେଳେ ଅଢ଼ଙ୍ଗଗଡ଼ର ସାମନ୍ତ ରାଜା ଥିଲେ ରଘୁରାମ ଚମ୍ପପତି ରାୟ । ରଘୁରାମଙ୍କ ଭଗିନୀ ଅଞ୍ଜନା ଦେବୀଙ୍କ ସହ ଯଶୋବନ୍ତଙ୍କ ବିବାହ ହୋଇଥିଲା । କେତେକଙ୍କ ମତରେ ସଂସାର ପ୍ରତି ଯଶୋବନ୍ତଙ୍କ ବୀତସ୍ପୃହତା ଦେଖି ତାଙ୍କ ବାପା ମା ତାଙ୍କୁ ବିବାହିତ କରିଥିଲେ । ରଘୁରାମ ଯଶୋବନ୍ତ ଙ୍କ ପାଇଁ ଗୋଟିଏ ସୁନ୍ଦର ମଠ ନିର୍ମାଣ କରି ମଠ ର ପରିଚାଳନା ନିମନ୍ତେ ବହୁ ସମ୍ପତ୍ତି ଖଞ୍ଜିଥିଲେ । ଏ ମଠ ବର୍ତ୍ତମାନ ସୁଦ୍ଧା ଯଶୋବନ୍ତ ଦାସଙ୍କ ଉତ୍ତରାଧିକାରୀମାନଙ୍କଦ୍ୱାରା ପରିଚାଳିତ ହୋଇ ଆସୁଛି ।
ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଯଶୋବନ୍ତ ଦାସଙ୍କର ୭୫୦ ଶିଷ୍ୟ ଥିଲେ ବୋଲି ଶୁଣାଯାଏ । ଯଶୋବନ୍ତ ଜଣେ ସିଦ୍ଧ ବୈଷ୍ଣବ ଥିଲେ । ଏଣୁ ଯଶୋବନ୍ତଙ୍କ ଜୀବନ ସମ୍ବନ୍ଧରେ ବହୁ କିମ୍ବଦନ୍ତୀ ଶୁଣାଯାଏ । କିମ୍ବଦନ୍ତୀ ଅନୁସାରେ ଯଶୋବନ୍ତ କେତେକ କାଳ ରଘୁରାମଙ୍କ ଅଧୀନରେ ଗ୍ରମ କଟୁଆଳ କାର୍ଯ୍ୟ ଗ୍ରହଣ କରିଥିଲେ । ସେହି ସମୟରେ ଥରେ ଦେଶରେ ଶସ୍ୟହାନି ଘଟି ଭୀଷଣ ଦୁର୍ଭିକ୍ଷ ହୋଇଥିଲା । ଏକଦା ତାଙ୍କର ସ୍ତ୍ରୀ ପାୟସାନ୍ନ ଭୋଜନ କରିବାକୁ ଇଚ୍ଛା କରିବାରୁ ଯଶୋବନ୍ତ ଗ୍ରାମବାସୀ ଜନୈକ କୃଷକର ଧାନ କିଆରୀରେ ପଶି ଧାନ ଚୋରି କଲେ । ପାଚିଲା ଧାନ ଛିଣ୍ଡାଇଲା ବେଳେ ସେ ଶୁଣିଲେ ଯେ ପ୍ରତ୍ୟେକ ଧାନଶିଁଷା ସତେ ଯେପରି ବିକଳରେ ‘ରାମ ରାମ’ ଡାକୁଅଛି । ସେହି ଶବ୍ଦରେ କୃଷକ ଜାଗ୍ରତ ହୋଇ ଯଶୋବନ୍ତଙ୍କୁ ଧରିଲା ଓ ରାଜକୀୟ ବିଚାରାଳୟକୁ ନେଲା । ସେଠାରେ ରାଜା ସମସ୍ତ ବୃତ୍ତାନ୍ତ ଶୁଣି ଯଶୋବନ୍ତଙ୍କୁ ଦୋଷୀ ବୋଲି ଗ୍ରହଣ କରି ଦୋଷ ଅନୁସାରେ ଦଣ୍ଡବିଧାନ କରିଥିଲେ ।
ସାଲବେଗଙ୍କ ସହ ଭେଟ:- ସୁଦର୍ଶନ ଦାସଙ୍କ ରଚିତ ଗ୍ରନ୍ଥ ‘ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା’ରେ ଲିଖିତ ଅଛି ଯେ ଥରେ ଯବନ କବି ସାଲବେଗ ବୈଷ୍ଣବ ଦୀକ୍ଷିତ ହୋଇସାରିବା ପରେ ଯଶୋବନ୍ତଙ୍କ ଶକ୍ତି ବିଷୟରେ ଶୁଣିଲେ ଓ ତାଙ୍କୁ ପରୀକ୍ଷା କରିବା ପାଇଁ ଚାହିଁଲେ।ତାଙ୍କ ପରୀକ୍ଷା ରେ ଯଶୋବନ୍ତ ଉତ୍ତୀର୍ଣ୍ଣ ହେବାରୁ ସେ ତାଙ୍କ ପାଦ ଧୂଳି ଗ୍ରହଣ କରିଥିଲେ।ଏହି ସାଲବେଗ ଗୌଡ଼ୀୟ ସାଲବେଗଙ୍କଠାରୁ ଅଲଗା ବୋଲି ପ୍ରତୀୟମାନ ହୁଏ, ଯେହେତୁ ଗୌଡ଼ୀୟ ସାଲବେଗ ସପ୍ତଦଶ ଶତାବ୍ଦୀର ଲୋକ ଥିଲେ ଓ ତାଙ୍କ ଗୁରୁଙ୍କ ନାମ ଶ୍ୟାମାନନ୍ଦ ଥିଲା ।
ଦେହାବସାନ:-ଯଶୋବନ୍ତଙ୍କ ଦେହାବସାନ କେଉଁ ବର୍ଷରେ ହୋଇଥିଲେ ଏହା ଜାଣିବା ପାଇଁ କିଛି ଉପାଦାନ ମିଳୁନାହିଁ । ସେ ମାଘ ମାସ ଶୁକ୍ଳ ଷଷ୍ଠୀରେ ଇହଧାମ ତ୍ୟାଗ କରିଥିଲେ ବୋଲି ଜନଶ୍ରୁତିରେ ରହିଛି । ତାଙ୍କର ତିରୋଧାନ ଦିବସରେ ଅଢ଼ଙ୍ଗରେ ଗୋଟିଏ ବଡ଼ ମେଳା ଅନୁଷ୍ଠିତ ହୁଏ .।
ସାହିତ୍ୟିକ କୃତି:-ଯଶୋବନ୍ତଙ୍କ ରଚିତ ଭଜନ ଗୁଡ଼ିକ ବ୍ରହ୍ମଜ୍ଞାନମୂଳକ । ଏଗୁଡ଼ିକର ଭାଷା ସରଳ ହୋଇଥିବାରୁ ଏଗୁଡ଼ିକ ଓଡ଼ିଶାରେ ଗ୍ରାମେ ଗ୍ରାମେ ପ୍ରସିଦ୍ଧ ।
ଗୋବିନ୍ଦଚନ୍ଦ୍ର ଉପାଖ୍ୟାନ:-ଓଡ଼ିଆ ସାହିତ୍ୟରେ ଗାଥା କବିତା ଗୋଟିଏ ପ୍ରକାର କବିତା ଯେଉଁ ଥିରେ କୌଣସି ପୌରାଣିକ ଗାଥାକୁ ଗୀତିକବିତା ମାଧ୍ୟମରେ କୁହାଯାଏ । ଯଶୋବନ୍ତ ଦାସଙ୍କ ‘ଗୋବିନ୍ଦଚନ୍ଦ୍ର’ ଏହି ଶ୍ରେଣୀର ପ୍ରଥମ ରଚନା ବୋଲି କେତେଜଣଙ୍କ ମତ ରହିଛି । ଏହା ବଙ୍ଗଦେଶର ରାଜା ଗୋବିନ୍ଦଚନ୍ଦ୍ରଙ୍କ ଉପରେ ଆଧାରିତ । ଗୋବିନ୍ଦଚନ୍ଦ୍ରଙ୍କ ମାତା ମୁକୁତା ଦେଈ ହାଡ଼ିପାଙ୍କୁ ନିଜ ପୁତ୍ରର ଗୁରୁ କରାଇ ତାଙ୍କୁ ବ୍ରହ୍ମଜ୍ଞାନ ପ୍ରାପ୍ତି କରିବାକୁ ଉପଦେଶ ଦିଅନ୍ତି ଯଦ୍ୱାରା ତାଙ୍କ ଅକାଳମୃତ୍ୟୁ ଟଳିଯାଏ । ଯଶୋବନ୍ତଙ୍କ ପରେ ଏହି ବିଷୟରେ ଦୁଇଜଣ ଅଷ୍ଟାଦଶ ଶତାବ୍ଦୀର କବି ମଧ୍ୟ ରଚନା କରିଛନ୍ତି ।ସାହିତ୍ୟିକ ଦୃଷ୍ଟିକୋଣରୁ ଖୁବ ମୂଲ୍ୟବାନ ।ଏହା ଅନୁସରଣରେ ଟୀକାଗୋବିନ୍ଦ ଚନ୍ଦ୍ର ରଚିତ ।
ଶିବସ୍ୱରୋଦୟ:-ଏହା ଏକ ଶୈବ ତାନ୍ତ୍ରିକ ଗ୍ରନ୍ଥର “ସ୍ୱରୋଦୟଲେଶ”ର ଅନୁବାଦ ଅଟେ ।ଶିବ ପାର୍ବତୀଙ୍କ କଥୋପକଥନ ଶୈଳୀରେ ରଚିତ । ମୂଳଗ୍ରନ୍ଥ ପରି ଏହା ମଧ୍ୟ ୨୧ ଅଧ୍ୟାୟ ବିଶିଷ୍ଟ ।ସମଗ୍ର ଗ୍ରନ୍ଥର ପଦସଂଖ୍ୟା ୪୭୫ । ସ୍ୱରର ପ୍ରଶଂସା ,ନାଡିଜ୍ଞାନ,ନାଡିଚାଳନାର ଫଳାଫଳ ,ପ୍ରାଣାଦି ବାୟୁର ତତ୍ତ୍ୱ ନିରୂପଣ ,ସ୍ତ୍ରୀବଶୀକରଣ ଆଦି ଯୋଗସାଧନ ପ୍ରଣାଳୀ,ସ୍ୱରଜ୍ଞାନ ଆଦି ରଚିତ ।
ପ୍ରେମଭକ୍ତି ବ୍ରହ୍ମଗୀତା:-ଏଥିରେ ଶ୍ରୀକୃଷ୍ଣ ରାଧା ଓ ଅର୍ଜ୍ଜୁନଙ୍କୁ ଯୋଗମାର୍ଗ ବିଷୟରେ କହନ୍ତି । ପ୍ରେମ ଓ ଭକ୍ତିର ଏକ ସମନ୍ୱୟ । ବିଷୟବସ୍ତୁ ଆରମ୍ଭରେ ସୃଷ୍ଟିକ୍ରିୟା ବିବରଣୀ ପ୍ରଦତ୍ତ । ରାଧାକୃଷ୍ନଙ୍କ ଜନ୍ମ, ଯୁଗଳରୂପ, ନିତ୍ୟରାସ, ଜୀବ-ପରମ ବିହାର, ଶରୀର ମଧ୍ୟସ୍ଥ ସପ୍ତାବରଣତତ୍ତ୍ୱ, ଶ୍ରୀକ୍ଷେତ୍ର ମହିମା ଆଦି ବର୍ଣ୍ଣନା କରଯାଉଛି। ପାଞ୍ଚଟି ଅଧ୍ୟାୟରେ ସମାପ୍ତ ଓ ନବାକ୍ଷରୀ ବା ଗୁଜ୍ଜରୀ ବୃତ୍ତରେ ରଚିତ ।
ଯଶୋବନ୍ତ ଅନେକ ବ୍ରହ୍ମଜ୍ଞାନମୂଳକ ଭଜନ ରଚନା କରିଛନ୍ତି । ତାଙ୍କ ରଚନା ଭିତରୁ ଶିବସ୍ୱରୋଦୟ, ପ୍ରେମଭକ୍ତି ବ୍ରହ୍ମଗୀତା, ଦିବ୍ୟଦେହୀ, ଲୋହୀ ଗୀତା, ଗୋବିନ୍ଦଚନ୍ଦ୍ର ଓ ଯନ୍ତ୍ରବୋଲି ବିଶେଷ ଜନାଦୃତ । ଏହି ରଚନାଗୁଡ଼ିକରେ ସେ ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱ ଓ ଶୂନ୍ୟବ୍ରହ୍ମଙ୍କ ବିଷୟରେ ଲେଖିଛନ୍ତି । ‘ଭବିଷ୍ୟ ମାଳିକା’ ନାମକ ରଚନାରେ ସେ ଭବିଷ୍ୟ କାଳରେ କିପରି ଅଘଟଣ ହେବ ତାହା ବିଷୟରେ ଲେଖିଛନ୍ତି । ‘ଯନ୍ତ୍ରବୋଲି’ରେ ସେ ଯନ୍ତ୍ର ଓ ଅକ୍ଷର ମାଧ୍ୟମରେ କିପରି ବ୍ରହ୍ମଙ୍କୁ ପ୍ରାପ୍ତ କରିହେବ ଲେଖିଛନ୍ତି । ଯଶୋବନ୍ତ ଶୂନ୍ୟବ୍ରହ୍ମଙ୍କ ଉପାସକ ହେଲେ ମଧ୍ୟ ଜଗନ୍ନାଥଙ୍କୁ ନିଜ ଇଷ୍ଟଦେବତା ଭାବେ ମାନୁଥିଲେ ।