ସମ୍ବିଧାନ ପୀଠର ଗୁରୁତ୍ୱପୂର୍ଣ୍ଣ ରାୟ, ତତ୍କାଳ ଛାଡ଼ପତ୍ର ପାଇଁ ମଞ୍ଜୁରି ଦେଇପାରିବେ ସୁପ୍ରିମକୋର୍ଟ | News Room Odisha

ସମ୍ବିଧାନ ପୀଠର ଗୁରୁତ୍ୱପୂର୍ଣ୍ଣ ରାୟ, ତତ୍କାଳ ଛାଡ଼ପତ୍ର ପାଇଁ ମଞ୍ଜୁରି ଦେଇପାରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଛାଡ଼ପତ୍ର ମାମଲାରେ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଯଦି ପତି-ପତ୍ନୀଙ୍କ ସମ୍ପର୍କ ସୁଧୁରିବା ସମ୍ଭାବନା ନାହିଁ, ତେବେ ସୁପ୍ରିମକୋର୍ଟ ସମ୍ପୃକ୍ତ ବିବାହକୁ ରଦ୍ଦ ପୂର୍ବକ ତତ୍କାଳ ଛାଡ଼ପତ୍ର ପାଇଁ ମଞ୍ଜୁରି ଦେଇପାରିବେ ।

କୋର୍ଟ କହିଛନ୍ତି ଯେ ଯଦି ସମ୍ପର୍କ ସୁଧୁରିବା ଆଶା ନାହିଁ, ତେବେ ଛାଡ଼ପତ୍ର ପାଇଁ ଦମ୍ପତିଙ୍କୁ ହିନ୍ଦୁ ବିବାହ ଆଇନ ମୁତାବକ ବାଧ୍ୟତାମୂଳକ ୬ ମାସ ଅପେକ୍ଷା କରିବା ଆବଶ୍ୟକ ନାହିଁ।

ଜଷ୍ଟିସ ସଞ୍ଜୟ କିଶନ କୌଲ କହିଛନ୍ତି, “ଧାରା ୧୪୨ ଅନୁଯାୟୀ ପ୍ରଦତ୍ତ ସ୍ବତନ୍ତ୍ର କ୍ଷମତା ପ୍ରୟୋଗ କରି ସୁପ୍ରିମକୋର୍ଟ ତତ୍କାଳ ଛାଡ଼ପତ୍ର ଦେଇପାରିବେ । ଧାରା ୧୪୨କୁ ମୌଳିକ ଅଧିକାର ସହ ଯୋଡ଼ି ଦେଖାଯିବା ଉଚିତ୍ | ବିବାହ ନିୟମ ଅନୁଯାୟୀ ଛାଡ଼ପତ୍ର ପାଇଁ ୬ ମାସ ଅପେକ୍ଷା କରିବା ଆବଶ୍ୟକ ନାହିଁ। ଯଦି ସମ୍ପର୍କ ସୁଧୁରିବା ସମ୍ଭାବନା ନାହିଁ, ତେବେ ସେହି ବିବାହ ତୁରନ୍ତ ରଦ୍ଦ ହୋଇପାରିବ |

ଧାରା ୧୪୨ ଅନୁଯାୟୀ ଦିଆଯାଇଥିବା ସ୍ବତନ୍ତ୍ର କ୍ଷମତାର ଉପଯୋଗ କରି କୋର୍ଟ ଏହି ମାମଲାରେ ତୁରନ୍ତ ଛାଡପତ୍ରକୁ ଅନୁମତି ଦେବେ ଯାହା ଦ୍ଵାରା ଏହି ମାମଲାରେ ନ୍ୟାୟ ହୋଇପାରିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।