ଚୋରଙ୍କୁ ଗୋଡାଉଥିବା ବେଳେ ଜୀବନ ଚାଲିଗଲା  | News Room Odisha

ଚୋରଙ୍କୁ ଗୋଡାଉଥିବା ବେଳେ ଜୀବନ ଚାଲିଗଲା 

ସୁନ୍ଦରଗଡ଼ – ସୁନ୍ଦରଗଡ଼ ଜିଲ୍ଲା ହେମଗିରିରେ ଅଭାବନୀୟ ଘଟଣା। ଚୋରକୁ ଗୋଡାଉଥିବା ବେଳେ ସଡ଼କ ଦୁର୍ଘଟଣାରେ ଜଣେ ଚୋର ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ବାଙ୍କିବାହାଲ-ଟପରିଆ ରାସ୍ତାର ବିଲେଇମୁଣ୍ଡା ନିକଟ ଛତାବରରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ଗାଡିରୁ ଟାୟାର ଓ ଅନ୍ୟ ଯନ୍ତ୍ରାଂଶ ଚୋରି କରିବା ପାଇଁ ୩ ଜଣ ଚୋର ଆସିଥିଲେ । ଚୋରମାନେ ଗାଡିରୁ ଚୋରି କରୁଥିବା ବେଳେ ସେଠାରେ ନିୟୋଜିତ ଥିବା ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥାର କର୍ମଚାରୀମାନେ ବାଧା ଦେଇଥିଲେ । ଠିକା ସଂସ୍ଥାର କର୍ମଚାରୀ ଓ ଚୋରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଚୋରମାନେ ଦୌଡି ପଳାଇବାରୁ ସେମାନଙ୍କୁ ଧରିବା ପାଇଁ ଠିକା ସଂସ୍ଥାର ସୁପରଭାଇଜର ଓ ସିକ୍ୟୁରିଟି ଗାର୍ଡ ଗୋଡାଉଥିଲେ । ସେହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରଲର ଧକ୍କା ଦେବାରୁ ଜଣେ ଚୋର ସହ ଠିକା ସଂସ୍ଥାର ୨ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଠିକା ସଂସ୍ଥାର କର୍ମଚାରୀ ମାନସ କୁମାର ରଥ ଓ ପ୍ରିନ୍ସ ନାୟକ । ମାନସଙ୍କ ଘର ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ମହୁଲପାଲିରେ ହୋଇଥିବା ବେଳେ ପ୍ରିନ୍ସଙ୍କ ଘର ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ଉଡୁସୁ ଗାଁରେ । ଅନ୍ୟ ମୃତକ ଜଣଙ୍କ ହେଉଛନ୍ତି ହେମଗିରି ଥାନା ଅନ୍ତର୍ଗତ ବଲିଙ୍ଗା ଗାଁର ବୁଢା ଚିଟିକି । ସେ ଗାଡିରୁ ଟାୟାର ଓ ପାର୍ଟସ୍ ଚୋରୀ କରିବା ପାଇଁ ଆସିଥିଲେ ବୋଲି ଅଭିଯୋଗ ହୋଇଛି ।