ପ୍ରଫେସର ଅଶୋକ ଗାଙ୍ଗୁଲି ବ୍ରହ୍ମପୁର ଆଇଜର୍ ନିର୍ଦ୍ଦେଶକ  | News Room Odisha

ପ୍ରଫେସର ଅଶୋକ ଗାଙ୍ଗୁଲି ବ୍ରହ୍ମପୁର ଆଇଜର୍ ନିର୍ଦ୍ଦେଶକ 

ବ୍ରହ୍ମପୁର: ବ୍ରହ୍ମପୁର ଆଇଜର୍ (ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ)ର ନୂଆ ନିର୍ଦ୍ଦେଶକ ହୋଇଛନ୍ତି ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି। ସେ ମଙ୍ଗଳବାର ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି। ନିକଟ ଅତୀତରେ ବ୍ରହ୍ମପୁର ଆଇଜରର ପ୍ରଥମ ନିର୍ଦ୍ଦେଶକ ପ୍ର କେଭିଆର୍ ଚୈରୀଙ୍କ ହୃଦଘାତରେ ଅଚାନକ ମୃତ୍ୟୁ ପରେ ପ୍ର ଯୋଗିନ୍ଦ୍ର ଶର୍ମା ଏହି ଅନୁଷ୍ଠାନର ଭାରପ୍ରାପ୍ତ ଦାୟିତ୍ବ ତୁଲାଇ ଆସୁଥିଲେ। ପ୍ର. ଶର୍ମାଙ୍କ ଠାରୁ ପ୍ର ଗାଙ୍ଗୁଲି ଦାୟିତ୍ବ ଗ୍ରହଣ କରିଛନ୍ତି। ଆଇଜର୍ ତରଫରୁ ଅଫିସିଆଲ୍ ଟ୍ବିଟର୍ ପୃଷ୍ଠାରେ ଏହି ସୂଚନା ଦିଆଯାଇଛି। ଦାୟିତ୍ବ ଗ୍ରହଣ ପରେ କର୍ତ୍ତୃପକ୍ଷଙ୍କ ତରଫରୁ ତାଙ୍କୁ ଉପଢ଼ୌକନ, ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରାଯାଇ ଥିଲା।

ଏହାପରେ ସେ ଏହି ଉଚ୍ଚତର ଶିକ୍ଷାନୁଷ୍ଠାନର ପ୍ରଶାସନିକ ଅଧିକାରୀ, ଟିଚିଂ ଷ୍ଟାଫ୍, ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ।‌ କେନ୍ଦ୍ର ସରକାର ପ୍ର ଗାଙ୍ଗୁଲିଙ୍କ ନିଯୁକ୍ତ ପ୍ରକ୍ରିୟାକୁ ନିଶ୍ଚିତ କରିବା ପରେ ସେ ଗତ ସପ୍ତାହରେ ଲାଉଡିଗାଁସ୍ଥିତ ବ୍ରହ୍ମପୁର ଆଇଜର୍ ସ୍ଥାୟୀ କ୍ୟାମ୍ପସ୍ ପରିଦର୍ଶନ କରିଥିଲେ। ଏବେ ସେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି।