ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ସର୍ବଧର୍ମ ସମନ୍ବୟର ପ୍ରତିଫଳନ  | News Room Odisha

ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ସର୍ବଧର୍ମ ସମନ୍ବୟର ପ୍ରତିଫଳନ 

ଭଞ୍ଜନଗର: ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଦେଖିବାକୁ ମିଳିଛି ଭାତୃତ୍ବ ଭାବ, ସର୍ବଧର୍ମ ସମନ୍ବୟର ପ୍ରତୀକ। ଯାତ୍ରା ଅବସରରେ ସହରର ଖ୍ରୀଷ୍ଟିଆନ୍ ସାହିରେ ପ୍ରଭୁ ଯୀଶୁଙ୍କ ଏକ ସୁନ୍ଦର ପ୍ରତିମୂର୍ତ୍ତି ଉନ୍ମୋଚିତ କରାଯାଇଛି। ସେହିପରି ଜାମିଆ ମସଜିଦ୍ ଆଗରେ ମୁସଲିମ ସମ୍ପ୍ରଦାୟ ମକ୍କା-ମଦିନାର ଏକ ସୁଦୃଶ୍ୟ ସ୍ତମ୍ଭ ସହ କୋରାନ୍ ଧର୍ମଗ୍ରନ୍ଥର ଏକ ପ୍ରତିକୃତି ଉଦଘାଟିତ ହୋଇଛି। ସେପଟେ ଭଞ୍ଜନଗର ଏନ୍ଏସି ପୁରୁଣା ପରିବା ବଜାର ଗଳି ସାମ୍ନାରେ ମା’ ବ୍ୟାଘ୍ରଦେବୀ, ମା’ ଠାକୁରାଣୀ ଓ ମା’ କାଳୀଙ୍କ ପ୍ରତିମୂର୍ତ୍ତି ସମ୍ବଳିତ କାରୁକାର୍ଯ୍ୟ ମଧ୍ୟ ଦେଖଣାହାରୀଙ୍କ ମନୋରଞ୍ଜନ ସକାଶେ ଲୋକାର୍ପିତ ହୋଇଛି। ଏସବୁ କାର୍ଯ୍ୟକ୍ରମରେ ଆମ ରାଜ୍ୟ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ, ନଗରପାଳ ଗୋପବନ୍ଧୁ ମହାପାତ୍ର, ଏନ୍ଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୈାରବ କର, ବିଭିନ୍ନ ସମ୍ପ୍ରଦାୟର ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ମୁସଲିମ ଓ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ପାଇଁ ଏହି ପଦକ୍ଷେପ ବେଶ୍ ଆନନ୍ଦିତ କରିଛି।

ଏଥିସହ ବାଚସ୍ପତି ଆରୁଖ ଜଳସମ୍ପଦ ବିଭାଗ ସାଂସ୍କୃତିକ କର୍ମଚାରୀ ସଂଘ (ବିଡେକା) ଭବନ ଉଦଘାଟନ କରିଛନ୍ତି। ବିଡେକା ଭବନରେ ଅନୁଷ୍ଠାନ ପକ୍ଷରୁ ସମସ୍ତ ପ୍ରକାର ସାମାଜିକ ତଥା ସେବା କାର୍ଯ୍ୟକ୍ରମ ସଞ୍ଚାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ବିଡେକା ସମ୍ପାଦକ ସନ୍ତୋଷ କୁମାର ଗୈାଡ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।