ଆଦିବାସୀବହୁଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ଆମୂଳଚୁଳ ପରିବର୍ତ୍ତନ ଆଣିବ ୫-ଟି ରୂପାନ୍ତରିତ ସ୍ମାର୍ଟ ସ୍କୁଲ | News Room Odisha

ଆଦିବାସୀବହୁଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ଆମୂଳଚୁଳ ପରିବର୍ତ୍ତନ ଆଣିବ ୫-ଟି ରୂପାନ୍ତରିତ ସ୍ମାର୍ଟ ସ୍କୁଲ

ଫୁଲବାଣୀ/ପାରଳାଖେମୁଣ୍ଡି: ଦୁର୍ଗମ ଭୌଗଳିକ ସ୍ଥିତି ସାଙ୍ଗକୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଓ ଗଜପତି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଅନ୍ୟ ଉନ୍ନତ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସହ ସମତୁଲ ହେବାକୁ ଏବେ ପ୍ରସ୍ତୁତ। କାହିଁକିନା ଉଭୟ ଜିଲ୍ଲାର ଯଥାକ୍ରମେ ୭୭ ଗୋଟି ଓ ୮୦ଗୋଟି ହାଇସ୍କୁଲ ଏବେ ନୂଆ କରି ୫-ଟି ରୂପାନ୍ତରଣ ଅନ୍ତର୍ଗତ ସ୍ମାର୍ଟ ସ୍କୁଲରେ ପରିଣତ ହୋଇଛି ଯାହାକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଲୋକାର୍ପିତ କରିଛନ୍ତି। ଉଭୟ ଜିଲ୍ଲା ପାଇଁ ଏହା ଥିଲା ରାଜ୍ୟ ସରକାରଙ୍କ ୫-ଟି ଯୋଜନା ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରୀକରଣ ପ୍ରକ୍ରିୟାର ତୃତୀୟ ପର୍ଯ୍ୟାୟ।

କନ୍ଧମାଳ ଜିଲ୍ଲାରେ ଲୋକାର୍ପିତ ହୋଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୬୩ ଗୋଟି ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ୧୪ ଗୋଟି ଉଚ୍ଚ ବିଦ୍ୟାଳୟ। ତୃତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଦାରିଙ୍ଗବାଡି ବ୍ଲକ୍ ଓ ଫିରିଙ୍ଗିଆ ବ୍ଲକର ୧୧ ଗୋଟି ଲେଖାଏଁ, ବାଲିଗୁଡ଼ାର ୧୦, ଫୁଲବାଣୀ, ରାଇକିଆ ଓ ଟିକାବାଲିର ୭ ଗୋଟି ଲେଖାଏଁ, କେ.ନୂଆଗାଁର ୬, ଚକାପାଦ, ଖଜୁରୀପଡା ଓ କୋଟଗଡ଼ର ୪ ଗୋଟି ଲେଖାଏଁ, ଜି.ଉଦୟଗିରି ଓ ତୁମୁଡିବନ୍ଧ ବ୍ଲକର ୩ ଗୋଟି ଲେଖାଏଁ ୫-ଟି ହାଇସ୍କୁଲ ଲୋକାର୍ପିତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦ ଗୋଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୭୩ ଗୋଟି ବିଦ୍ୟାଳୟ ସ୍ମାର୍ଟ ସ୍କୁଲ ହୋଇସାରିଛି। ଏଯାବତ୍ ଜିଲ୍ଲାର ମୋଟ ୧୬୦ ଗୋଟି ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ ହୋଇସାରିଛି। ସେହିପରି ଗଜପତି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୫ ଗୋଟି ଓ ଦ୍ଵିତୀୟ ପର୍ଯ୍ୟାୟରେ ୩୧ ଗୋଟି ଉଚ୍ଚ ବିଦ୍ୟାଳୟର ୫-ଟି ରୂପାନ୍ତରଣ ଘଟି ସାରିଛି। ଏଯାବତ୍ ଜିଲ୍ଲାର ୧୧୬ ଗୋଟି ହାଇସ୍କୁଲ ଆଧୁନିକ ଶିକ୍ଷା ଭିତ୍ତିଭୂମି ସମ୍ପନ୍ନ ହୋଇପାରିଛି।

ଏଣିକି ଉପାନ୍ତ ତଥା ଦୁର୍ଗମ ଅଞ୍ଚଳର ପିଲାମାନେ ମଧ୍ୟ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ଉଚ୍ଚ ବିଦ୍ୟାଳୟରେ ପଢ଼ିବା ସୁଯୋଗ ପାଇବେ। ନିଜ ଜୀବନକୁ ଉତ୍ତମ ରୂପେ ଗଢ଼ି ତୋଳିବାକୁ ସମର୍ଥ ହୋଇପାରିବେ। ଅନ୍ୟ ଜନବହୁଳ ଓ ଅପେକ୍ଷାକୃତ ବିକଶିତ ତଥା ସମତଳ ଇଲାକାରେ ଥିବା ଜିଲ୍ଲାରେ ଘରୋଇ ଇଂରାଜୀ ବା ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ମୋଟା ଅଙ୍କର ଅର୍ଥ ଦେଇ ସ୍ୱଚ୍ଛଳ ତଥା ବଡ଼ ଓ ମଧ୍ୟମ ବର୍ଗ ପରିବାରର ପିଲାଏ ଭଲ ଶିକ୍ଷା ପାଇ ପାରୁଛନ୍ତି। କିନ୍ତୁ କନ୍ଧମାଳ ଓ ଗଜପତି ଭଳି ବଣ ପାହାଡ଼ ଭର୍ତ୍ତି ଓ ଆଦିବାସୀ ବହୁଳ ଜିଲ୍ଲାରେ କାଁ ଭାଁ ଏଭଳି ସ୍କୁଲ ରହିଛି। ପୁଣି ଏଭଳି ଜିଲ୍ଲାର ସାଧାରଣ କୁହନ୍ତୁ ବା ଆଦିବାସୀ ପରିବାରର ପିଲାଙ୍କ ପାଇଁ ଏପରି ସ୍କୁଲରେ ପଢ଼ିବା ଏକ ସ୍ବପ୍ନ ଭଳି ଲାଗୁଥିଲା। ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ତଥା ତାହାର ବାସ୍ତବ ରୂପାୟନ ସେମାନଙ୍କ ଏହି ସ୍ବପ୍ନକୁ ସତ୍ୟ କରି ଦେଖାଇଛି। ମୁଖ୍ୟମନ୍ତ୍ରୀଙ୍କ କହିବା ପ୍ରକାରେ ପିଲାମାନେ ବଡ଼ ବଡ଼ ସ୍ୱପ୍ନ ଦେଖନ୍ତୁ ଏବଂ ଜୀବନର ସବୁ ଆହ୍ୱାନକୁ ସାମ୍ନା କରିବା ପାଇଁ ଆତ୍ମବିଶ୍ୱାସ ସହ ଆଗକୁ ବଢ଼ନ୍ତୁ। ସେଥିପାଇଁ ଆବଶ୍ୟକ ଥିବା ଗୁଣାତ୍ମକ ଶିକ୍ଷା ସରକାରୀ ବିଦ୍ୟାଳୟମାନଙ୍କରେ ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାର ସ୍ମାର୍ଟ ସ୍କୁଲ ଯୋଜନା ହାତକୁ ନେଇଛନ୍ତି। ଯେଉଁ ଦେଶ, ସମାଜ ଓ ଗାଁରେ ସେମାନେ ଜନ୍ମ ନେଇଛନ୍ତି ତାର ଉନ୍ନତି ପାଇଁ କାମ କରନ୍ତୁ।

ଫୁଲବାଣୀ ସଦର ବ୍ଲକ୍ ଅନ୍ତର୍ଗତ ଗୁମାଗଡ଼ ନୃସିଂହନାଥ ଉଚ୍ଚ ବିଦ୍ୟାଳୟରେ ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏଥିରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଫୁଲବାଣୀ- ବାଲିଗୁଡ଼ା- ଜି.ଉଦୟଗିରି ବିଧାୟକ ଅଙ୍ଗଦ କହଁର, ଚକ୍ରମଣି କହଁର ଓ ସାଲୁଗା ପ୍ରଧାନ ଉପସ୍ଥିତ ଥିଲେ। ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ପ୍ରମୋଦିନୀ ନାୟକ ନିଜର ଅନୁଭୂତି ବର୍ଣ୍ଣନା କରି କିଭଳି ତାଙ୍କ ବିଦ୍ୟାଳୟ ରୂପାନ୍ତରୀକରଣ ହେବା ପରେ ଉନ୍ନତମାନର ଆଧୁନିକ ଶିକ୍ଷା ମିଳିପାରିଛି ତାହା କହିଥିଲେ।ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ରାୟଗଡ଼ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ହୋଇଥିଲା। ସେଠି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରୀ ମମତା ଗମାଙ୍ଗ ଶିକ୍ଷା କ୍ଷେତ୍ରରେ ଏଭଳି ଉତ୍ତମ ବ୍ୟବସ୍ଥା ଭେଟି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି।