ଭଞ୍ଜନଗର ଠାକୁରାଣୀ ଯାତ୍ରା: ଆଜି ବାପା ଘରେ ପୂଜା ଗ୍ରହଣ କରିବେ ଦେବୀ  | News Room Odisha

ଭଞ୍ଜନଗର ଠାକୁରାଣୀ ଯାତ୍ରା: ଆଜି ବାପା ଘରେ ପୂଜା ଗ୍ରହଣ କରିବେ ଦେବୀ 

ଭଞ୍ଜନଗର: ବୁଧବାର ମଧ୍ୟ ରାତ୍ରରେ ଆଗମନ ପରେ ଯାତ୍ରାଜନିତ କ୍ଲାନ୍ତି ଯୋଗୁଁ ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ମା’ ସାଆନ୍ତାଣୀ ଗୁରୁବାର ସମ୍ପୂର୍ଣ୍ଣ ବିଶ୍ରାମ ନେଇଥିଲେ। ପ୍ରଥମେ କୁଲାଡ଼ରୁ ଆସିଥିବା ମା’ ବ୍ୟାଘ୍ରଦେବୀ ଓ ପରେ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀ ଅସ୍ଥାୟୀ ପୀଠରେ ପ୍ରବେଶ କରି ଆଳତୀ ଗ୍ରହଣ ପରେ ବିଶ୍ରାମ ନେଇଥିଲେ। ଦିନସାରା ଭକ୍ତମାନେ ଅସ୍ଥାୟୀ ମଣ୍ଡପରେ ଦେବୀଙ୍କ ଦର୍ଶନ ଓ ପୂଜା ଅର୍ଚ୍ଚନା କରିଥିଲେ। ଏଥିପାଇଁ ସାରା ସହର ଏବେ ଚଳଚଞ୍ଚଳ। ବର୍ଷା ବି ଶ୍ରଦ୍ଧାଳୁଙ୍କ ଉତ୍ସାହକୁ ଫିକା କରିପାରିନି। ଭଞ୍ଜନଗରବାସୀଙ୍କ ମନରେ ବିପୁଳ ଉତ୍ସାହ ଉଦ୍ଦୀପନା ଭରି ଯାଇଛି।

ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ତାଙ୍କର ସହଧର୍ମିଣୀଙ୍କ ସହ ଠାକୁରାଣୀଙ୍କ ଦର୍ଶନ ଓ ପୂଜା ଅର୍ଚ୍ଚନା କରିଛନ୍ତି। ଆଜି ଦେବୀଙ୍କ ନଗର ପରିକ୍ରମା ଆରମ୍ଭ ହେବ। ମା’ ବ୍ୟାଘ୍ରଦେବୀ ଭଞ୍ଜ ରାଜବଂଶର ଅଧିଷ୍ଠାତ୍ରୀ ଦେବୀ ଥିବାରୁ ପ୍ରଥମ ଦିନରେ ମା’ ନିଜ ବାପଘର ଭଞ୍ଜଦେଓ ଘରେ ଭୋଗ ଗ୍ରହଣ କରିବେ। ସେହିପରି ମା’ ଠାକୁରାଣୀ ନିଜ ବାପଘର ଦେଶୀବେହେରାଙ୍କ ଘରେ ପୂଜା ଗ୍ରହଣ କରିବେ।