ବୟନିକାର ୬୭ତମ ପ୍ରତିଷ୍ଠା ଦିବସ : ୨୦୨୨-୨୩ରେ ୧୬୨ କୋଟି ଟଙ୍କାର ବ୍ୟବସାୟ | News Room Odisha

ବୟନିକାର ୬୭ତମ ପ୍ରତିଷ୍ଠା ଦିବସ : ୨୦୨୨-୨୩ରେ ୧୬୨ କୋଟି ଟଙ୍କାର ବ୍ୟବସାୟ

ଭୁବନେଶ୍ଵର – ଉତ୍କର୍ଷ କଳାର ରାଜ୍ୟ ଓଡିଶା ନିଜର କଳା ସଂସ୍କୃତି ଓ ସ୍ଥାପତ୍ୟ ପାଇଁ ବିଶ୍ଵବିଦିତ । ଉତ୍କଳୀୟ କଳା ସଂସ୍କୃତି ପାଇଁ ‘ହସ୍ତତନ୍ତ ବସ୍ତ୍ର’ ର ଭୂମିକା ସ୍ଵତନ୍ତ୍ର । ଭାରତର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଯୁଗଯୁଗରୁ ଓଡିଶା ହସ୍ତତନ୍ତ ବସ୍ତୁ ବିଶେଷ ଭାବେ “ବାନ୍ଧବସ୍ତ୍ର”ର ସ୍ଵତନ୍ତ୍ର ସ୍ଥାନ ରହିଆସିଛି । ଏହି ପ୍ରାଚୀନ କଳାକୁ ଉଜ୍ଜୀବିତ ରଖିଛନ୍ତି ଏହାକୁ ବଂଶାନୁକ୍ରମେ ବୃତ୍ତି ଭାବେ ଆଦରି ନେଇଥିବା ଓଡିଶାର ଅଗଣିତ ବୁଣାକାର । ରାଜ୍ୟର କୋଣ ଅନୁକୋଣରେ ଏହି ହସ୍ତତନ୍ତ ବସ୍ତ୍ର ପ୍ରସ୍ତୁତ କରୁଥିବା ଗ୍ରାମୀଣ କାରିଗର ଓ ସେମାନଙ୍କ ଦ୍ଵାରା ପଞ୍ଜିକୃତ ହୋଇ କାର୍ଯ୍ୟ କରୁଥିବା ପ୍ରାଥମିକ ବୁଣାକାର ସମିତିମାନଙ୍କ ପାଇଁ ବୟନିକା ବ୍ୟାପକ ବଜାର ସୃଷ୍ଟି କରିବାରେ ଦୀର୍ଘ ୬୭ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଅଛି । ୧୯୫୬ ମସିହାରେ ପ୍ରତିଷ୍ଠିତ ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିମିଟେଡ, ଯାହାକି ଆଜି ‘ବୟନିକା’ ନାମରେ ସୁଖ୍ୟାତି ଅର୍ଜନ କରିଅଛି । ବୟନିକା ଏହାର ୬୭ତମ ପ୍ରତିଷ୍ଠା ଦିବସ ସମାରୋହକୁ ଏହାର ସମସ୍ତ ଶାଖା ଓ ମୁଖ୍ୟ କାର୍ଯ୍ୟାଳୟରେ ପାଳନ କରିଛି । ବିକ୍ରୟ ଶାଖାମାନଙ୍କରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ / ଅତିରିକ୍ତ ଜିଲ୍ଲାପାଳ / ଉପଜିଲ୍ଲାପାଳ ଏବଂ ତହସିଲଦାରମାନେ ଉଦ୍‌ଘାଟନ କରିଛନ୍ତି । ବୟନିକାର ୱଷ୍ଟର୍ଣ୍ଣ ମାର୍କେଟ ବିଲ୍‌ଡିଂ, ଭୁବନେଶ୍ବରସ୍ଥିତ ବିକ୍ରୟ କେନ୍ଦ୍ରକୁ ଆଜି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ ଉଦ୍‌ଘାଟନ କରିଛନ୍ତି ।

ବୟନିକାର ୬୭ତମ ପ୍ରତିଷ୍ଠା ଦିବସ ସମାରୋହ “ବୟନ ଭବନ” ପ୍ରାଙ୍ଗଣରେ ଆଜି ସଂଧ୍ୟାରେ ପାଳିତ ହୋଇଯାଇଛି । ଏହି ସମାରୋହକୁ କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଓଡ଼ିଶା ବୟନ ଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶକ ସୋଭନ କ୍ରିଷ୍ଣ ସାହୁ, ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର, ବୟନିକା ପରିଚାଳନା ନିର୍ଦ୍ଦେଶକ ପ୍ରଣତି ଛୋଟରାୟ ଓ ବୟନିକା ପରିଚାଳନା କମିଟିର ସଭ୍ୟା / ସଭ୍ୟ ବୃନ୍ଦଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଛନ୍ତି ।

ବୟନିକା ୨୦୨୨-୨୩ ବର୍ଷରେ ନିଜର ପ୍ରତିଷ୍ଠିତ ବିକ୍ରୟ ଶାଖା ଏବଂ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ପ୍ରଦର୍ଶନୀରେ ଭାଗନେଇ ଓ ପ୍ରଦର୍ଶନୀର ଆୟୋଜନ କରି ୧୬୨ କୋଟି ଟଙ୍କାର ବ୍ୟବସାୟ କରିଛି । ୨୦୨୩- ୨୪ ବର୍ଷରେ ମୋଟ ୨୦୦ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ଯ ରଖାଯାଇଛି । ଏକ ହସ୍ତତନ୍ତ ସଂସ୍ଥା ହିସାବରେ ୧୬୨ କୋଟି ଟଙ୍କାର ବ୍ୟବସାୟ କରିବା, ଓଡିଶା ହସ୍ତତନ୍ତ ଶିଳ୍ପ କ୍ଷେତ୍ରରେ ନିଶ୍ଚିତ ଭାବେ ଏକ ମାଇଲଖୁଣ୍ଟ । ଆଗାମୀ ଦିନରେ ବୟନିକା ଏହାର ବ୍ୟବସାୟିକ ଅଭିବୃଦ୍ଧି ଘଟାଇବା ପାଇଁ ବଦ୍ଧ ପରିକର ହେବା ସଙ୍ଗେ ସଙ୍ଗେ ଏହି ସଂସ୍ଥା ସହ ଜଡିତ ଅଗଣିତ ବୁଣାକାରଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶକୁ ପରିବର୍ଦ୍ଧିତ କରିବା ପାଇଁ ଚେଷ୍ଟିତ । ବୟନିକା ଏହାର ୬୭ତମ ପ୍ରତିଷ୍ଠା ଦିବସରେ, ଓଡିଶାର ଅଗଣିତ ବୁଣାକାର ଭାଇଭଉଣୀ, ଏହାର ଗ୍ରାହକ ଏବଂ ପୃଷ୍ଠପୋଷକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।