ଆଜିଠୁ ପାଣିପାଗରେ ପରିବର୍ତ୍ତନ ସମ୍ଭାବନା, ବଙ୍ଗୋପ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ | News Room Odisha

ଆଜିଠୁ ପାଣିପାଗରେ ପରିବର୍ତ୍ତନ ସମ୍ଭାବନା, ବଙ୍ଗୋପ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ବର – କାଳବୈଶାଖୀ ପ୍ରଭାବରେ ଗତ କିଛି ଦିନ ରାଜ୍ୟରେ ମେଘୁଆ ପାଗ ଓ ବର୍ଷା ଲାଗି ରହିଥିବା ବେଳେ ଆଜିଠାରୁ ଏଥିରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି । ରାଜ୍ୟରେ ଖରା ବଢ଼ିବା ସହ ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଖରାଟିଆ ରହିବ।

ଅନ୍ୟପଟେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ଆସନ୍ତାକାଲି ଏକ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ଧୀରେଧୀରେ ଅଧିକ ଘନୀଭୂତ ହୋଇ ୮ ତାରିଖ ସୁଦ୍ଧା ଏକ ଅବପାତର ରୂପ ନେଇପାରେ । ଧୀରେଧୀରେ ଅବପାତଟି ଉତ୍ତର ଦିଗରେ ଗତି କରିବା ସହ ଅଧିକରୁ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିପାରେ । ଲଘୁଚାପ ସୃଷ୍ଟି ପରେ ହିଁ ବାତ୍ୟାର ଗତିପଥ, ତୀବ୍ରତା ନେଇ ଅଧିକ ସ୍ପଷ୍ଟ କହି ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।