ଆମ ଶାସ୍ତ୍ର ପୁରାଣରେ ନାରଦ ହେଉଛନ୍ତି ‘ଦେବର୍ଷି’। ‘ଶ୍ରୀମଦ୍ ଭାଗବତ’ରେ ତାଙ୍କୁ ବିଷ୍ଣୁଙ୍କର ମାନସପୁତ୍ର କୁହାଯାଇଥିବା ବେଳେ, ‘ବ୍ରହ୍ମବୈବର୍ତ୍ତ ପୁରାଣ’ରେ ବ୍ରହ୍ମାଙ୍କର ମାନସ ପୁତ୍ର କୁହାଯାଇଛି। ସେ ଦେବଅଂଶୀ ଓ ଦେବତା ପ୍ରକୃତି ବିଶିଷ୍ଟ ଋଷି। କେତେକଙ୍କ ମତରେ ଜ୍ୟେଷ୍ଠ କୃଷ୍ଣ ପ୍ରତିପଦା ତାଙ୍କର ଜନ୍ମତିଥି ହୋଇଥିବା ବେଳେ କିଛି ପୁରାଣ ଶାସ୍ତ୍ରରେ ଜ୍ୟେଷ୍ଠ କୃଷ୍ଣ ଦ୍ଵିତୀୟା ତିଥି ବୋଲି ଉଲ୍ଲେଖ ରହିଛି।
ନାରଦଙ୍କର ଅନ୍ୟ ଏକ ନାମ ହେଉଛି, ସେ ‘ଇଚ୍ଛାବିହାରୀ’। କାରଣ ନିଜର ଇଚ୍ଛା ଅନୁସାରେ, ସେ ସ୍ୱର୍ଗ-ମର୍ତ୍ତ୍ୟ-ପାତାଳ ପରିଭ୍ରମଣ କରିଥାଆନ୍ତି। ଏହା ପଛରେ ବ୍ରହ୍ମାଙ୍କର ଗୋଟିଏ ଅଭିଶାପ ଅଛି। ସେହି ଅଭିଶାପଟି ଏହିପରି।
ବ୍ରହ୍ମା ପ୍ରଜା ସୃଷ୍ଟି ପାଇଁ ଯେଉଁ ସନ୍ତାନମାନଙ୍କୁ ଜାତ କରିଥିଲେ, ନାରଦ ସେମାନଙ୍କୁ ତତ୍ତ୍ୱ ଉପଦେଶ ଦେଇ ସଂସାର-ବିରାଗୀ କରିଦେଲେ। ତେଣୁ ବ୍ରହ୍ମା ତାଙ୍କୁ ଅଭିଶାପ ଦେଇ କହିଥିଲେ, “ତୁମେ ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିପାରିବ ନାହିଁ। ଏଇଥିପାଇଁ ନାରଦ ତାଙ୍କ ‘ମନପବନ ଯାନ’ ଚଢ଼ି, ସଦାସର୍ବଦା ସ୍ୱର୍ଗ-ମର୍ତ୍ତ୍ୟ-ପାତାଳ ପରିଭ୍ରମଣ କରୁଥାଆନ୍ତି।
ଏହି ‘ମନପବନ ଯାନ’ର ଆକାର ଆଧୁନିକ ବ୍ୟୋମଯାନ ପରି; କିନ୍ତୁ ଓଡ଼ିଆରେ ତାହାକୁ ‘ଢ଼ିଙ୍କି’ ବୋଲି କୁହାଯାଇଛି।
‘ବୃହତ୍ କୁରାଳ ପୁରାଣ’ରେ ଏ ବାବଦରେ ଉଲ୍ଲେଖ ଅଛି- ବିଷ୍ଣୁଙ୍କ ଆଦେଶରେ ରୁଦ୍ରପାଳ ମର୍ତ୍ତ୍ୟକୁ ଆସି ରନ୍ଧନ ଲାଗି ହାଣ୍ଡି ଗଢ଼ିଥିଲେ। ସେତେବେଳେ ଲୋକେ ଧାନରୁ ଚୋପା ନ ଛଡ଼ାଇ ଖାଉଥିବାରୁ ଅଜୀର୍ଣ୍ଣ ରୋଗ ଭୋଗ କରୁଥିଲେ। ତେଣୁ ବିଷ୍ଣୁଙ୍କ ଆଦେଶରେ ରୁଦ୍ରପାଳ ମେରୁଗିରି ଶିଖରକୁ ଯାଇ ସୁରସେନ ଚକ୍ର ସାହାଯ୍ୟରେ ଗୋଟିଏ ବୃକ୍ଷ ଛେଦନ କଲେ। ତାହା ଢିଙ୍କି ହେଲା। ନାରଦ ସ୍ୱର୍ଗ ଓ ମର୍ତ୍ତ୍ୟ ମଧ୍ୟରେ ସଂଯୋଗ ରକ୍ଷାକାରୀ ଋଷି ହୋଇଥିବାରୁ, ସେହି ଢିଙ୍କିକୁ ବାହନ କରି, ସେଥିରେ ରୁଦ୍ରପାଳଙ୍କୁ ବସାଇ ମର୍ତ୍ତ୍ୟଲୋକକୁ ଆଣିଲେ। ଲୋକେ ସେହି ଢିଙ୍କିରେ କୁଟି ଧାନକୁ ଚାଉଳ କଲେ। କୁଟା ଚାଉଳରୁ ଭାତ ରନ୍ଧାହେଲା। ଏଣୁ ଆମେ ଖାଉଥିବା ଭାତ ପଛରେ ଦେବର୍ଷି ନାରଦଙ୍କର ଅବଦାନ ଅଛି ।
ନାରଦଙ୍କ ପୁର୍ଵ ଜନ୍ମ ସମ୍ବନ୍ଧରେ ଏକ ପୌରାଣିକ ଆଖ୍ୟା ରହିଛି । ସେହି କାହାଣୀ ଆଧାର ରେ ଥରେ ମହର୍ଷି ବ୍ୟାସଦେବ ନିଜ ଆଶ୍ରମରେ ଥାଆନ୍ତି । ଏହି ସମୟରେ ସେଠାରେ ଦେବର୍ଷି ନାରଦ ତାଙ୍କର ଚିରାଚରିତ ଢଙ୍ଗରେ ନାରାୟଣ.. ନାରାୟଣ. କହି ପହଞ୍ଚିଲେ । ସେହି ସମୟରେ ବ୍ୟାସଙ୍କ ମନରେ ସତ୍ସଙ୍ଗର ଲାଳସା ଜାଗ୍ରତ ହୋଇଥିଲା । ମହର୍ଷି ବ୍ୟାସ ନାରଦ ମୁନିଙ୍କୁ ପାଖରେ ଦେଖି ଖୁବ୍ ପ୍ରସନ୍ନ ହେଲେ ।
ନାରଦ ମହର୍ଷି ବ୍ୟାସଙ୍କୁ କୁଶଳ ସମାଚାର ପଚାରିଲେ । ତା’ପରେ ବ୍ୟାସଜୀ ହାତ ଯୋଡ଼ି କହିଲେ, ସବୁ ଭଲ । ଆଜି ଗଙ୍ଗାମାତା ଅତି ଶାନ୍ତ । ଏହି କାରଣରୁ ଗଙ୍ଗା ଦୁଇ ଜଣ ମହାନ୍ ସନ୍ଥଙ୍କୁ ତାଙ୍କ ତଟରେ ଏକାଠି କରିଛନ୍ତି । ଦେବର୍ଷି ଓ ମହର୍ଷିଙ୍କ ମଧୁର ମିଳନ ହୋଇଛି ।
ହଠାତ୍ ନାରଦ ପ୍ରଶ୍ନ କରିଲେ, ‘‘ ମହର୍ଷି , ଆପଣଙ୍କ ମୁଖ ମଣ୍ଡଳକୁ ଦେଖିଲେ ଲାଗୁଛି, ସତେ ଯେମିତି ଆପଣ ଚିନ୍ତିତ ଅଛନ୍ତି । ଆପଣଙ୍କର କି ଚିନ୍ତା ରହିଛି? ‘‘ ମହର୍ଷି ବ୍ୟାସଦେବ କହିଲେ, ’’ ଦେବର୍ଷି ! ଆପଣ ତ ସୂଯ୍ୟର୍ଙ୍କ ପରି ତିନି ଲୋକ ଭ୍ରମଣ କରୁଛନ୍ତି ଏବଂ ଯୋଗବଳରେ ପ୍ରାଣବାୟୁସମ ସମସ୍ତଙ୍କ ଭିତରେ ରହିଛନ୍ତି । ଯୋଗାନୁଷ୍ଠାନ ଓ ନିୟମ ପାଳନ ଦ୍ୱାରା ପରଂବ୍ରହ୍ମ ଓ ଶଦ୍ଦବ୍ରହ୍ମ ଉଭୟର ପ୍ରାପ୍ତି କରିବାରେ ମୁଁ ଅକ୍ଷମ, କୃପା ପୂର୍ବକ ମୋତେ ଏହାର ରାସ୍ତା ବତାନ୍ତୁ ।
ନାରଦ କହିଲେ, ‘‘ ମହର୍ଷି ଆପଣଙ୍କ ଭଳି ମହାନ୍ ଜ୍ଞାନୀ ଓ ବୁଦ୍ଧି ତଥା ଜଗଦ୍ଗୁରୁ ମୋତେ ପ୍ରଶଂସା କରି ଲଜ୍ଜିତ କରନ୍ତୁ ନାହିଁ । ଆପଣ ତ ସ୍ୱୟଂ ଭଗବାନଙ୍କ ସ୍ୱରୂପ ଅଟନ୍ତି , କିନ୍ତୁ ଆପଣ ନିଜର ସାମାନ୍ୟତ୍ରୁଟି ଲାଗି ଏଥିରୁ ସକ୍ଷମ ହୋଇ ପାରିନାହାଁନ୍ତି । ମହର୍ଷି ନିଜର ତ୍ରୁଟି ସଂପର୍କରେ ଜାଣିବାକୁ ଚାହିଁଲେ । ନାରଦ କହିଲେ ଯେ ପରଂବ୍ରହ୍ମ ପ୍ରାପ୍ତି ନିମିତ୍ତ ଶ୍ରୀକୃଷ୍ଣ ପ୍ରେମର ବଡ଼ ଆବଶ୍ୟକତା ରହିଛି । ଆପଣ କେବଳ କର୍ମ ଯୋଗ ଓ ଜ୍ଞାନ ଯୋଗ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି । ପରମାତ୍ମାଙ୍କ ପ୍ରତି ନିଜର ପ୍ରେମଭାବକୁ ଦର୍ଶାଇ ନାହାଁନ୍ତି । ପ୍ରେମ ବିନା ଜ୍ଞାନ ର ବା କି ମୂଲ୍ୟ?
କର୍ମଯୋଗୀ ମଧ୍ୟ ପ୍ରଭୁ-ପ୍ରେମୀ ହୋଇଥାଏ । ପ୍ରେମ ଥିଲେ ଜ୍ଞାନର ଆବଶ୍ୟକତା ନାହିଁ । ଯିଏ ଶ୍ରୀକୃଷ୍ଣଙ୍କୁ ଯେତେ ଅଧିକ ପ୍ରେମ କରିବ, ତା’ପ୍ରତି ଭଗବତ୍ କୃପା, ସେତେ ବରଷିବ । ପୁତନା ଭଗବାନଙ୍କୁ ବିଷ ଦେଲା, କିନ୍ତୁ ଶ୍ରୀକୃଷ୍ଣ ତାକୁ ବାସନା ରହିତ କରିଦେଲେ । ଶ୍ରୀକୃଷ୍ଣ ଲୀଳା ରେ କେବଳ ପ୍ରେମ ହିଁ ପ୍ରେମ ଅଛି ।