ହିଞ୍ଜିଳି ଯାତ୍ରାରେ ୫ଟି ସଚିବ, ଲକ୍ଷ୍ମୀନୃସିଂହଙ୍କ ଦର୍ଶନ କଲେ  | News Room Odisha

ହିଞ୍ଜିଳି ଯାତ୍ରାରେ ୫ଟି ସଚିବ, ଲକ୍ଷ୍ମୀନୃସିଂହଙ୍କ ଦର୍ଶନ କଲେ 

ଛତ୍ରପୁର: ହିଞ୍ଜିଳି ଠାରେ ଅନୁଷ୍ଠିତ ତିନିଦିନିଆ ଶ୍ରୀଲକ୍ଷ୍ମୀନୃସିଂହ ଯାତ୍ରାର ଶେଷ ସନ୍ଧ୍ୟାରେ ଠାକୁରଙ୍କ ଦର୍ଶନ କରିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ୍। ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍.ଭିନୀଲ କ୍ରିଷ୍ଣା ମଧ୍ୟ ଯାତ୍ରାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଶନିବାରରୁ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଛନ୍ତି। ରାତି ପ୍ରାୟ ୯ଟା ୩୦ରେ ସେ ହିଞ୍ଜିଳି ରାଜବାଟୀସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ପହଞ୍ଚି ଥିଲେ। ସେଠାରେ କେଉଟ ବାଡ଼ ଓ ରଙ୍ଗଣୀ ବାଡ଼ ଯାତ୍ରା କମିଟି କର୍ମକର୍ତ୍ତା ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଇଥିଲେ। ପାଣ୍ଡିଆନ ଓ ଅନ୍ୟମାନେ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିଥିଲେ। ଦୀର୍ଘ ୮୨ ବର୍ଷ ଧରି ହୋଇ ଆସୁଥିବା ଯାତ୍ରା ସମ୍ପର୍କରେ ୫ଟି ସଚିବଙ୍କୁ ଅବଗତ କରାଯାଇଥିଲା। ମନ୍ଦିର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଉନ୍ନତି ନିମନ୍ତେ ୫ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଯାତ୍ରା କମିଟି କର୍ମକର୍ତ୍ତା ଓ ସ୍ଥାନୀୟ ନେତୃବୃନ୍ଦ।

୫ଟି ସଚିବ ହିଞ୍ଜିଳିରେ ରାତ୍ରୀଯାପନ କରି ରବିବାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁଇ ଗୋଟି ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବେ। ୫-ଟି ସଚିବଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ୍, ଗଞ୍ଜାମ ଏସପି ଜଗମୋହନ ମୀନା, ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରସନ୍ନ ପାତ୍ର, ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ପ୍ରତିନିଧି ଶରତ କୁମାର ମହାପାତ୍ର, ନଗରପାଳ ସୁବାସ ଚନ୍ଦ୍ର ପଲେଇ ଉପସ୍ଥିତ ଥିଲେ।