ଏସଟିଏଫ ହାତରେ ଉଚ୍ଚଶିକ୍ଷିତ ଠକ, ଭିଜିଲାନ୍ସ ଏସପି ଭାବେ ପରିଚୟ ଦେଇ କରୁଥିଲା | News Room Odisha

ଏସଟିଏଫ ହାତରେ ଉଚ୍ଚଶିକ୍ଷିତ ଠକ, ଭିଜିଲାନ୍ସ ଏସପି ଭାବେ ପରିଚୟ ଦେଇ କରୁଥିଲା

ଭୁବନେଶ୍ବର – ନିଜକୁ ଜଣେ ଭିଜିଲାନ୍ସ ଏସପି ବୋଲି ପରିଚୟ ଦେଇ ଠକୁଥିବା ଜଣେ ଉଚ୍ଚଶିକ୍ଷିତ ଠକକୁ ଧରିଛି ଏସଟିଏଫ । ଜଣେ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ୧ କୋଟି ଟଙ୍କା ମାଗୁଥିବାର ଅଭିଯୋଗ ଆସିବା ପରେ ସେହି ଠକ ଧରାପଡ଼ିଥିବା ଜଣାଯାଇଛି। ସେହି ଠକ ଯୁବକଙ୍କ ନାଁ ହେଉଛି ମନୋଜ ମାଝୀ। ତାଙ୍କ ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ। ଚାକିରି କରାଇଦେବା ନାଁରେ ମନୋଜ ମାଝୀ ବି କୋଟିଏରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଆଜି ଏସଟିଏଫ୍ ତାଙ୍କୁ କୃଷ୍ଣପ୍ରସାଦରୁ ଗିରଫ କରିଛି । ସେ ପୁରୀ, ଖୋର୍ଦ୍ଧା ଓ କଟକର ବହୁ ପିଲାଙ୍କୁ ଠକିଥିବା ଅଭିଯୋଗ ହୋଇଛି। ତାଙ୍କ ଘରୁ ପିଲାଙ୍କ ନକଲି ଆଇକାର୍ଡ ଓ ନକଲି ନିଯୁକ୍ତିପତ୍ର ଜବତ ହୋଇଛି। ଗିରଫ ହେବା ପରେ ମନୋଜ ମାଝୀ ସ୍ବୀକାର କରିଛନ୍ତି ଯେ ସେ ନିଜକୁ ଜଣେ ଭିଜିଲାନ୍ସ ଏସପି ବୋଲି ପରିଚୟ ଦେଇ କେତେକ ସରକାରୀ ଅଧିକାରୀ ଓ ଠିକାଦାରଙ୍କୁ ବି ଠକିଛନ୍ତି। ମନୋଜ ମାଝୀ ଜଣେ ଉଚ୍ଚଶିକ୍ଷିତ ଯୁବକ । ସେ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ସହ ସେଠାରୁ ପିଏଚଡି ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।