ବ୍ରହ୍ମପୁରରେ ହେବ ସ୍ମାର୍ଟ ଫୁଟ୍‌ପାଥ୍‌, ପଦଯାତ୍ରା ହେବ ସୁଗମ  | News Room Odisha

ବ୍ରହ୍ମପୁରରେ ହେବ ସ୍ମାର୍ଟ ଫୁଟ୍‌ପାଥ୍‌, ପଦଯାତ୍ରା ହେବ ସୁଗମ 

ବ୍ରହ୍ମପୁର: ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ରେଶମ ସହର ସମେତ ଆଉ କିଛି ମହାନଗରରେ ନିର୍ମାଣ କରିବ ସ୍ମାର୍ଟ ଫୁଟ୍‌ପାଥ୍‌। ପଥଚାରୀଙ୍କ ସ୍ଵଚ୍ଛନ୍ଦ ଓ ନିରାପଦ ଯାତ୍ରା ଏହାର ଉଦ୍ଦେଶ୍ୟ। ମୁଖ୍ୟ ରାସ୍ତା ପାର୍ଶ୍ଵରେ ଚାଲି ଚାଲି ଯାଉଥିବା ଯାତ୍ରୀ ଯେଭଳି ସୁଗମରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ ସେଥିରେ ସହାୟକ ହେବ ସ୍ମାର୍ଟ ଫୁଟ୍‌ପାଥ୍‌। ବ୍ରହ୍ମପୁର ମହାନଗରରେ ପ୍ରଥମ ପର୍ଯ୍ୟାୟରେ ୪୫ କିମି ଏଭଳି ଫୁଟ୍‌ପାଥ୍‌ ରାସ୍ତା ତିଆରି କରାଯିବ। ସର୍ଭେ ଆରମ୍ଭ ହୋଇଛି, ସ୍ଥାନ ଚିହ୍ନଟ ପରେ ନିର୍ମାଣ କାମ ଆରମ୍ଭ ହୋଇ ୬ରୁ ୭ ମାସ ମଧ୍ୟରେ ସରିବ ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର୍‌ ଜେ.ସୋନାଲ୍‌।

ମହାନଗରରେ ଧିରେ ଧିରେ ଜନସଂଖ୍ୟା ବୃଦ୍ଧି ସହ ରାସ୍ତାରେ ଗାଡ଼ିମୋଟର ସଂଖ୍ୟା ବଢ଼ି ଚାଲିଛି। ପୁଣି ଜବରଦଖଲକାରୀଙ୍କ ଉପଦ୍ରବ। କେଉଁଠି ବୁଲା ବା ଉଠା ବେପାରୀ ନିଜ ପସରା ମେଲାଇ ରଖୁଛନ୍ତି ତ ଆଉ କେଉଁଠି ରକ୍ଷଣାବେକ୍ଷଣ ଅଭାବରୁ ଫୁଟ୍‌ପାଥ୍‌ ତାର ସ୍ବାତନ୍ତ୍ର୍ୟତା ହରାଇ ବସିଛି। ଏସବୁ ସମସ୍ୟାର ସମାଧାନ ସାଙ୍ଗକୁ ପାଦରେ ଚାଲି ଯାଉଥିବା ଲୋକଙ୍କ ସୁବିଧା ନିମନ୍ତେ ବିଏମ୍‌ସିରେ ସ୍ମାର୍ଟ ଫୁଟ୍‌ପାଥ୍‌ ନିର୍ମାଣ କରାଯିବ। ଏହାର ଓସାର ପ୍ରାୟ ୫ ଫୂଟ୍‌ ରହିବ। ସ୍ଵତନ୍ତ୍ର ଭାବେ ପେଭର୍‌ ବ୍ଲକ୍‌ ବିଛାଯିବ। ରାସ୍ତା ଓ ସ୍ମାର୍ଟ ଫୁଟ୍‌ପାଥ୍‌ ମଧ୍ୟରେ ଡିଭାଇଡର୍‌ ରହିବ ଯେମିତିକି ଗାଡ଼ିମୋଟର ଫୁଟ୍‌ପାଥ୍‌ ଉପରକୁ ଆସିପାରିବେ ନାହିଁ। ଏହା ଉପରେ ପଦଯାତ୍ରୀଙ୍କ ସମେତ କେବଳ ସାଇକେଲ୍‌ରେ ଯାଆସ କରୁଥିବା ଲୋକ ମଧ୍ୟ ସ୍ୱଚ୍ଛନ୍ଦରେ ଚଳାଚଳ କରିପାରିବେ। ରାସ୍ତାକଡ଼ରୁ ଜବରଦଖଲ ହଟିବ, ଫୁଟପାଥ୍‌କୁ ବିକଶିତ କରାଯିବ। ସ୍ବତନ୍ତ୍ର ଡିଜାଇନ୍‌ରେ ଏଭଳି ଫୁଟ୍‌ପାଥ୍‌ ନିର୍ମାଣ ପାଇଁ ସର୍ଭେ କରୁଛି ଏକ ଏଜେନ୍ସି।

ବ୍ରହ୍ମପୁରର ଗାନ୍ଧିନଗର ଉପର ରାସ୍ତା, ଅନ୍ଧପସରା ରୋଡ୍, କର୍ପୋରେସନ୍ ରୋଡ୍, ଗଜପତି ନଗର, ଗୋଦାବରୀଶ ନଗର, ଆମ୍ବପୁଆ, ଗିରିରୋଡ୍‌, ଲାଞ୍ଜିପଲ୍ଲୀ- ଆଙ୍କୁଲି ଆଦି ରାସ୍ତାରେ ସ୍ମାର୍ଟ ଫୁଟ୍‌ପାଥ୍‌ ନିର୍ମାଣ କରାଯିବାକୁ ଯୋଜନା ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ମହାନଗରର ଏମିତି ରାସ୍ତା ଚିହ୍ନଟ କରାଯାଉଛି ଯାହାକି ଜବରଦଖଲମୁକ୍ତ, ଚଉଡ଼ା ରହିଛି। ଏହାଦ୍ଵାରା କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ। ପରବର୍ତ୍ତୀ ସମୟରେ ଅନ୍ୟ ସ୍ଥାନରେ ମଧ୍ୟ ସ୍ମାର୍ଟ ଫୁଟ୍‌ପାଥ୍‌ ବିକଶିତ କରିବା ଯୋଜନା ରହିଛି।