ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଢେଙ୍କାନାଳ ଉତ୍ସବ ଅନୁଷ୍ଠିତ | News Room Odisha

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଢେଙ୍କାନାଳ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ବର : ଢେଙ୍କାନାଳ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ରାଜ୍ୟ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଢେଙ୍କାନାଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍ଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ଢେଙ୍କାନାଳ ଜିଲ୍ଲା କଳା , ସାହିତ୍ୟ , ସଂସ୍କୃତି ଓ ଐତିହ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନାଲକୋର ନିର୍ଦ୍ଦେଶକ ( କମର୍ସିଆଲ ) ସଦାଶିବ ସାମନ୍ତରାୟ ଏବଂ ଢେଙ୍କାନାଳ ସାଂସ୍କୃତିକ ପରିଷଦର ଉପଦେଷ୍ଟା କୃଷ୍ଣଚନ୍ଦ୍ର ଆଇଚ୍ ପ୍ରମୁଖ ଯୋଗ ଦେଇଥିଲେ । ଢେଙ୍କାନାଳ ସାଂସ୍କୃତିକ ପରିଷଦର ସଭାପତି ଡଃ . ସୌରେନ୍ଦ୍ର କୁମାର ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଂସ୍କୃତିକ ସମାରୋହରେ ଅନୁଷ୍ଠାନର ସଂପାଦକ ପ୍ରେମାନନ୍ଦ ବିଶ୍ବାଳ ଉତ୍ସବ ଆୟୋଜନ ସଂପର୍କରେ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ସ୍ମରଣିକା ‘ ଅନନ୍ୟ ଢେଙ୍କାନାଳ ’ ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରଫେସର ଡ . ଆଦିତ୍ୟ ପ୍ରସାଦ ଦାଶ , ସାରସ୍ବତ ସାଧକ ପଦ୍ମଶ୍ରୀ ପଣ୍ଡିତ ଡଃ . ଅନ୍ତର୍ଯ୍ୟାମୀ ମିଶ୍ର , ଚଳଚିତ୍ର ପ୍ରଯୋଜନ ଘନଶ୍ୟାମ ମହାପାତ୍ର , ଆରକ୍ଷୀ ଅଧିକାରୀ , ଆସିକା ଶ୍ରୀ ପ୍ରଶାନ୍ତ ସାହୁ , ପରିବେଶବିତ୍ ଶୁଭ୍ରାଂଶୁ ସତପଥ୍ , ସମାଜ ସେବିକା ସୁଶ୍ରୀ ଅଙ୍କିତା ସାହୁ ଏବଂ ସମାଜସେବୀ ଦଣ୍ଡଧର ପାଣିଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ଢେଙ୍କାନାଳ ଉତ୍ସବ ମାଧ୍ୟମରେ ଜିଲ୍ଲାର ସାଂସ୍କୃତିକ ଐତିହ୍ୟକୁ ଜିଲ୍ଲା ତଥା ରାଜ୍ୟରେ ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ଢେଙ୍କାନାଳ ଜିଲ୍ଲା ସାଂସ୍କୃତିକ ପରିଷଦର ସଂପାଦକ ପ୍ରେମାନନ୍ଦ ବିଶ୍ବାଳଙ୍କୁ ‘ ଢେଙ୍କାନାଳ ଗୌରବ ସମ୍ମାନ ‘ ରେ ସମ୍ବର୍ଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଗୁରୁ ଗୌରୀଶଙ୍କର ଦାଶଙ୍କ ନିର୍ଦ୍ଦେଶନାରେ ‘ ଦେବାଂଶୀ ଏକାଡେମୀ’ର କଳାକାରମାନେ ଓଡିଶୀ ନୃତ୍ୟ ଓ ଆଦିବାସୀ ନୃତ୍ୟ , ଡଃ . ଜୟଶ୍ରୀ ଧଳ , ଡଃ . ମୋନାଲିସା ପାଳ , ସୌମ୍ୟ ମହାନ୍ତିଙ୍କ ଦ୍ବାରା କଣ୍ଠ ସଂଗୀତ , ରୂପାଲୀ ପାଣି ଓ ଆୟୁଷ୍ଠାନ ମହାପାତ୍ରଙ୍କ ଦ୍ବାରା ଆଧୁନିକ ନୃତ୍ୟ , ନବଜୀବନ ନାଟ୍ୟ ଶାସ୍ତ୍ର ଅନୁଷ୍ଠାନ ଦ୍ବାରା ସମ୍ବଲପୁରୀ ଲୋକନୃତ୍ୟ , ଖେମୁଣ୍ଡି ଲୋକନାଟ୍ୟ ଏକାଡେମୀ , ଦିଗପହଣ୍ଡି ଦ୍ବାରା ମାଣିକ ( ମୁଖା ନୃତ୍ୟ ) , ଶିବ ପାର୍ବତୀ ଗୋଟିପୁଅ ନାଟ୍ୟ ପରିଷଦ , ସାକ୍ଷୀଗୋପାଳ ଦ୍ବାରା ଗୋଟିପୁଅ ନୃତ୍ୟ ଆଦି ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବସନ୍ତ କୁମାର ପଟ୍ଟନାୟକ ହାସ୍ୟରସ ପରିବେଷଣ କରିଥିଲେ । ଢେଙ୍କାନାଳ ସାଂସ୍କୃତିକ ପରିଷଦର କର୍ମକର୍ତ୍ତା ରୁଦ୍ର ପ୍ରସାଦ ମହାପାତ୍ରଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅବନୀକାନ୍ତ ମିଶ୍ର ମଂଚ ପରିଚାଳନା କରିଥିଲେ । ସଂପ୍ରତି ବିଶେଷ କରି ହେତ ନଗରୀ ଭୁବନେଶ୍ବର କଟକରେ ସ୍ଥାୟୀ ଭାବେ ରହୁଥିବା ଢେଙ୍କାନାଳ ଜିଲ୍ଲାର ଲୋକମାନଙ୍କ ମଧ୍ୟରେ ଜିଲ୍ଲାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଉଜ୍ଜୀବିତ କରିବା ନିମନ୍ତେ ଏହି ଏକ ଦିବସୀୟ ଉତ୍ସବ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ । ସାମନ୍ତ ଜ୍ୟୋତି ରଂଜନ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।