ମାଲେସିଆରେ ସ୍କୁବା ଡାଇଭିଂରେ ନୂତନ କୀର୍ତ୍ତିମାନ କଲେ ଓଡିଆ ବାପ ଝିଅ | News Room Odisha

ମାଲେସିଆରେ ସ୍କୁବା ଡାଇଭିଂରେ ନୂତନ କୀର୍ତ୍ତିମାନ କଲେ ଓଡିଆ ବାପ ଝିଅ

ସମ୍ବଲପୁର: ଦୁବାଇରେ ରହୁଥିବା ଓଡିଆ ବାପା ଝିଅ ସ୍କୁବା ଡାଇଭର ଯୋଡି ୪୭ ବର୍ଷୀୟ ପ୍ରିୟଦର୍ଶୀ ପାଣିଗ୍ରାହି ଏବଂ ୧୨ ବର୍ଷୀୟ ତିସ୍ୟା ପାଣିଗ୍ରାହୀ ଏକ ସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛନ୍ତି। ୨୦୧୨ ମସିହାରୁ ସାର୍ଟିଫାଏଡ ଓପନ୍ ବାଟର ସ୍କୁବା ଡାଇଭର ଥିବା ପ୍ରିୟଦର୍ଶୀ ୨୯ ଏପ୍ରିଲରେ ମାଲେସିଆର ରେଡାଙ୍ଗ ଦ୍ବୀପରେ ୧୦୦ ଫୁଟ ସମୁଦ୍ରରେ ସ୍କୁବା ଡାଇଭିଂ କରିଛନ୍ତି। ସେ ୫ଟି ସାର୍ଟିଫାଏଡ ଡାଇଭ୍ ସମାପ୍ତ କରିବା ପରେ ୩୦ ଏପ୍ରିଲରେ ପିଏଡିଆଇର ଆଡଭାନସଡ ଓପନ ବାଟର ସ୍କୁବା ଡାଇଭର ଲାଇସେନ୍ସ ପାଇଁ ସଫଳତାର ସହ ଯାଗ୍ୟତା ଅର୍ଜନ କରିଛନ୍ତି।

ପ୍ରଫେସନାଲ ଆସୋସିଏସନ ଅଫ ଡାଇଭିଂ ଇନଷ୍ଟ୍ରକଟର୍ସ ବା ପିଏଡିଆଇ ହେଉଛି ବିଶ୍ବର ସର୍ବବୃହତ ସ୍କୁବା ଡାଇଭିଂ ଟ୍ରେନିଂ ଏବଂ ସାର୍ଟିଫିକେସନ ସଂସ୍ଥା। ଏହା ୧୮୬ଟି ଦେଶ ଏବଂ ଅଞ୍ଚଳରେ କାର୍ଯ୍ୟ କରେ, ଯେଉଥିରେ ୬୬୦୦ ରୁ ଅଧିକ ଡାଇଭ୍ ସେଣ୍ଟର୍ ଏବଂ ରିସାର୍ଟର ଏକ ବିଶ୍ବସ୍ତରୀୟ ନେଟବାର୍କ। ପିଏଡିଆଇର ଆଡଭାନସଡ ଓପନ୍ ବାଟର ସ୍କୁବା ଡାଇଭର ସାର୍ଟିଫିକେଟ ସହିତ, ଏହି ବାପା ଝିଅ ଯୋଡି ବର୍ତ୍ତମାନ ଆଡଭାନସଡ ସ୍କୁବା ଡାଇଭର ଭାବରେ ଯୋଗ୍ୟତା ଅର୍ଜନ କରିଛନ୍ତି। ଭାରତରେ ଥିବା ଖୁବ କମ ଆଡ଼ଭାନସ ସ୍କୁବା ଡ଼ାଇଭର ବାପା ଝିଅ ଯୋଡିଙ୍କ ମଧ୍ୟରୁ ପ୍ରିୟଦର୍ଶୀ ଓ ତିସ୍ୟାଙ୍କ ଯୋଡି ଅନ୍ୟତମ।

ମାତ୍ର ୧୦ବର୍ଷ ବୟସରେ ୨୦୨୦ ମସିହାରେ ତିସ୍ୟା ଓଡିଶାର ସର୍ବ କନିଷ୍ଠ ସ୍କୁବା ଡାଇଭର ହୋଇଥିଲେ ଏବଂ ୨୦୨୨ରେ ନିଜର ୧୨ତମ ଜନ୍ମ ଦିନକୁ ୭୦ ଫୁଟ ସମୁଦ୍ର ଗର୍ଭରେ ପାଳନ କରି ଓଡ଼ିଶାର ସର୍ବକନିଷ୍ଠ ଆଡଭାନସଡ ଓପନ ବାଟର ସ୍କୁବା ଡାଇଭର ହୋଇଥିଲେ। ପ୍ରିୟଦର୍ଶୀ ଜଣେ ଓପନ ବାଟର ସ୍କୁବା ଡାଇଭର ଥିଲେ ଯାହା ତାଙ୍କୁ କେବଳ ୧୮ ମିଟର ପର୍ଯ୍ୟନ୍ତ ଡାଇଭ କରିବାକୁ ଅନୁମତି ଦେଉଥିଲା। ତିସ୍ୟାର କୀର୍ତ୍ତି ତାଙ୍କୁ ଉତ୍ସାହିତ କରିଥିଲା ଏବଂ ତା’ପରେ ସେ ନିଜେ ତାଲିମ ନେଇ ଆଡଭାନସଡ ଓପନ ବାଟର ଲାଇସେନସ ହାସଲ କରିପାରିଛନ୍ତି। ଏହି ଆଡ଼ଭାନସଡ଼ ଲାଇସେନସ ତାଙ୍କୁ ୩୦ ମିଟର (ପ୍ରାୟ ୧୦୦ ଫୁଟ) ପର୍ଯ୍ୟନ୍ତ ଡ଼ାଇଭ କରିବାକୁ ଅନୁମତି ଦିଏ।

ପ୍ରିୟଦର୍ଶୀ କହିଛନ୍ତି ଯେ, ‘ଏହି ଆଡଭାନସଡ ଓପନ ବାଟର ସ୍କୁବା ଡାଇଭର ଲାଇସେନସ ମାତେ ଖୁସି ଦେଇଛି। ଏହି ଲାଇସେନସ ସହିତ ମୁଁ ମୋ ଝିଅର ଡାଇଭିଂ ଯୋଗ୍ୟତା ସହିତ ସମକକ୍ଷ ହୋଇପାରିଛି। ଏବଂ ମୁଁ ଅପେକ୍ଷା କରିଛି, ତିସ୍ୟା ଯେତେବେଳେ ୧୫ବର୍ଷ ବୟସର ହୋଇଯିବ ଆମେ ଦୁହେଁ ଏକାଠି ୧୦୦ ଫୁଟ ପର୍ଯ୍ୟନ୍ତ ସ୍କୁବା ଡାଇଭିଂ କରିବୁ। ତିସ୍ୟା ଯେଉ ସହଜତାର ସହ ତାର ଆଡଭାନସଡ଼ କୋର୍ସ ଶେଷ କରିଛି ଏବଂ ଆଗକୁ ଡାଇଭିଂ ତାଲିମ ଜାରି ରଖିବାର ଇଚ୍ଛା ମତେ ଏଡଭାନ୍ସଡ଼ କୋର୍ସ କରିବା ପାଇଁ ପ୍ରେରଣା ଯୋଗାଇଛି। ଯେଉଥିରେ ମୁଁ ୧୦୦ ଫୁଟ ପର୍ଯ୍ୟନ୍ତ ବୁଡି ଡାଇଭିଂ କରିଥିଲି , ଯାହା ଦ୍ବାରା ଆମେ ସମାନ ଗଭୀରତାରେ ଏକାଠି ଡାଇଭିଂ କରିପାରିବୁ।
ପ୍ରିୟଦର୍ଶୀଙ୍କୁ ତାଲିମ ଦେଇଛନ୍ତି ପିଏଡିଆଇର ପ୍ରଶିକ୍ଷକ ତଥା ମାଲେସିଆ ନାଗରିକ ମହମ୍ମଦ ଶ୍ୟାଫିକ। ଶ୍ୟାଫିକ୍ କହିଛନ୍ତି ଯେ, ପ୍ରିୟଦର୍ଶୀ ଜଣେ ଭଲ ଛାତ୍ର। ଯାହା ତାଲିମ ଦିଆଯାଏ ସେ ତାକୁ ଖୁବ୍ ଶୀଘ୍ର ଶିଖିଯାଆନ୍ତି। ପାଣିରେ ଭାସିବାରେ ନିୟନ୍ତ୍ରଣ ଓ ଗୋଟିଏ ଜାଗାରେ ସ୍ଥାୟୀ ହୋଇରହିବା ସେ ବେଶ ଭଲ ଭାବରେ ଶିଖିଯାଇଛନ୍ତି। ମୁଁ ଆଶା କରୁଛି ଏହି ବାପା ଝିଅ ଯୋଡି ଅଧିକରୁ ଅଧିକ ଲୋକଙ୍କୁ ଡାଇଭିଂ ପ୍ରତି ଆକୃଷ୍ଟ କରିବେ ଏବଂ ଆମର ସାମୁଦ୍ରିକ ଜୀବଙ୍କୁ ରକ୍ଷା କରିବାରେ ସାହାଯ୍ୟ କରିବେ।
ଦକ୍ଷିଣ ଚୀନ ସମୁଦ୍ରର ମାଲେସିଆ ଉପକୂଳରେ ଥିବା ରେଡାଙ୍ଗ ଦ୍ବୀପରେ ଏହି ଡାଇଭ କରିଥିଲେ ପ୍ରିୟଦର୍ଶୀ। ରେଡାଙ୍ଗ ଏହାର ସାମୁଦ୍ରିକ ଜୀବନ, ସ୍ଫଟିକ ସ୍ବଚ୍ଛ ଜଳ ଏବଂ ଧଳା ବାଲୁକା କୂଳ ପାଇଁ ପ୍ରସିଦ୍ଧ। କୋରାଲ ଟ୍ରାଏଙ୍ଗଲ’ (ଫିଲିପାଇନସ, ଇଣ୍ଡାନେସିଆ ଏବଂ ପାପୁଆ ନ୍ୟୁ ଗିନିର ସୀମାବର୍ତ୍ତୀ ଅଞ୍ଚଳ ଯେଉଠାରେ ବିଶ୍ବର ସର୍ବ।ଧିକ ସଂଖ୍ୟକ ସାମୁଦ୍ରିକ ପ୍ରଜାତି ଦେଖାଯାନ୍ତି)ରେ ମିଳୁଥିବା ୮୦% ପ୍ରଜାତି ରେଡାଙ୍ଗର ଦେଖାଯାନ୍ତି। ଭୁବନେଶ୍ବର ଜନ୍ମିତ ପ୍ରିୟଦର୍ଶୀ ଏବଂ ସମ୍ବଲପୁର ଜନ୍ମିତ ତିସ୍ୟା ଦୁବାଇରେ ରହୁଥିବା ଓଡ଼ିଆ। ଏହି ବାପା ଝିଅ ଯୋଡି ସାର୍କର ଅତି ନିକଟରେ ସ୍କୁବା ଡାଇଭିଂ କରିବା, ନୂଆଁଖାଇ ଅବସରରେ ଗଭୀର ସମୁଦ୍ର ଭିତରୁ ଶୁଭେଚ୍ଛା ବାର୍ତ୍ତ। ପଠାଇବା ଭଳି ସ୍କୁବା ଡାଇଭିଂ କରି ନିକଟରେ ଖବରରେ ରହିଥିଲେ। ପୂର୍ବତନ ମନ୍ତ୍ରୀ ତଥା ସାଂସଦ ସ୍ବର୍ଗତଃ ଶ୍ରୀବଲ୍ଲଭ ପାଣିଗ୍ରାହୀ ଏବଂ ଶିକ୍ଷାବିତ ସ୍ବର୍ଗତଃ ସୁନନ୍ଦା ପାଣିଗ୍ରାହୀଙ୍କ ନାତୁଣୀ ତିସ୍ୟା। ସମ୍ବଲପୁରର ପୂର୍ବତନ ବିଧାୟିକା ଡକ୍ଟର ରାସେଶ୍ବରୀ ପାଣିଗ୍ରାହୀଙ୍କ ବି ନାତୁଣୀ ହେବେ ତିସ୍ୟା।