କର୍ଣ୍ଣାଟକ ନିର୍ବାଚନ: ଅଧିକାଂଶ ଏକଜିଟ୍ ପୋଲରେ କଂଗ୍ରେସ ସଂଖ୍ୟାଗରିଷ୍ଠ ଦଳ | News Room Odisha

କର୍ଣ୍ଣାଟକ ନିର୍ବାଚନ: ଅଧିକାଂଶ ଏକଜିଟ୍ ପୋଲରେ କଂଗ୍ରେସ ସଂଖ୍ୟାଗରିଷ୍ଠ ଦଳ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବୁଧବାର ମତଦାନ ଶେଷ ହୋଇଛି । ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଏବେ ମେ ୧୩କୁ ଅପେକ୍ଷା । ହେଲେ ଭୋଟ୍ ଗଣତି ପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଏକଜିଟ୍ ପୋଲରେ କର୍ଣ୍ଣାଟକ ଝୁଲା ବିଧାନସଭା ଆଡକୁ ମୁହାଁଉଥିବା ପୂର୍ବାନୁମାନ କରାଯାଇଛି । ଅଧିକାଂଶ ଏକଜିଟ ପୋଲ୍ ଅନୁଯାୟୀ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହେବ । କିନ୍ତୁ ବିଜେପି ମଧ୍ୟ ବେଶି ପଛରେ ପଡ଼ିବନି ।

ଇଣ୍ଡିଆ ଟୁଡେ- ଏକ୍ସିସ୍ ମାଇ ଇଣ୍ଡିଆ ଏକଜିଟ୍ ପୋଲରେ କଂଗ୍ରେସ ବହୁମତ ହାସଲ କରିବ ବୋଲି ପୂର୍ବାନୁମାନ କରାଯାଇଛି । ଏହି ଏକଜିଟ୍ ପୋଲ୍ ଅନୁଯାୟୀ ୨୨୪ ଆସନରୁ କଂଗ୍ରେସ ୧୨୨-୧୪୦ ସିଟ୍ ପାଇବ । ବିଜେପିକୁ ୬୨-୮୦ ଆସନ ମିଳିପାରେ ଏବଂ ଜେଡିଏସ୍ ୨୦ ରୁ ୨୫ ଆସନ ପାଇବ ।

‘ଜି ନ୍ୟୁଜ୍’ ଏବଂ ‘ମ୍ୟାଟ୍ରିକ୍ସ’ ଏକଜିଟ୍ ସର୍ଭେରେ ୪୧% ଭୋଟ୍ ସହ କଂଗ୍ରେସ ପାଇଁ ୧୦୩ ରୁ ୧୧୮ଟି ସିଟ୍ ପୂର୍ବାନୁମାନ କରାଯାଇଛି। ଭାରତୀୟ ଜନତା ପାର୍ଟି ୩୬ ପ୍ରତିଶତ ଭୋଟ୍ ସହ ୭୯ ରୁ ୯୪ଟି ଆସନ ପାଇବ ଏବଂ ଜେଡିଏସ୍ ୧୭ ପ୍ରତିଶତ ଭୋଟ୍ ସହିତ ୨୫ ରୁ ୩୩ ଟି ସିଟ୍ ପାଇପାରେ ବୋଲି ଆକଳନ କରାଯାଇଛି।

‘ଟିଭି୯’ ଏବଂ ‘ପୋଲଷ୍ଟ୍ରାଟ୍’ ଦ୍ବାରା କରାଯାଇଥିବା ସର୍ଭେରେ କୁହାଯାଇଛି, କଂଗ୍ରେସ ୯୯ ରୁ ୧୦୯ ସିଟ୍ ପାଇପାରେ । ବିଜେପି ୮୮ ରୁ ୯୮ ଟି ଆସନ ପାଇବ । ଏହି ଏକଜିଟ୍ ପୋଲରେ ମଧ୍ୟ ଜେଡିଏସ୍ ୨୧ ରୁ ୨୬ଟି ଆସନ ପାଇପାରେ ବୋଲି ଆକଳନ କରାଯାଇଛି ।

‘ଏବିପି ନ୍ୟୁଜ୍’ ଏବଂ ‘ସି-ଭୋଟର’ର ଏକଜିଟ୍ ପୋଲ୍ ପୂର୍ବାନୁମାନ କରିଛି ଯେ କଂଗ୍ରେସ ୧୦୦ ରୁ ୧୧୨ ଆସନ ପାଇପାରେ, ବିଜେପି ୮୩ ରୁ ୯୫ ଏବଂ ଜେଡିଏସ୍ ୨୧ ରୁ ୨୯ ସିଟ୍ ପାଇପାରେ।

କର୍ଣ୍ଣାଟକ ବିଧାନସଭାର ସମସ୍ତ ୨୨୪ ଟି ଆସନ ପାଇଁ ମତଦାନ ବୁଧବାର ସନ୍ଧ୍ୟା ୬ଟାରେ ଶେଷ ହୋଇଛି । ଅପରାହ୍ନ ୫ଟା ପର୍ଯ୍ୟନ୍ତ ପ୍ରାୟ ୬୫.୬୯ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା ।

୨୦୧୮ ନିର୍ବାଚନରେ ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ୧୦୪ଟି ଆସନ ପାଇଥିଲା । କଂଗ୍ରେସକୁ ୮୦ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡାଙ୍କ ଜେଡିଏସକୁ ୩୭ଟି ଆସନ ମିଳିଥିଲା ।