ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ | News Room Odisha

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ – ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ରାଜ୍ୟର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ସମସ୍ୟା ସେ ପ୍ରଧାନମନ୍ତ୍ରୀଙ୍କ ଠାରେ ଉପସ୍ଥାପନ କରିଥିଲେ । ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର କାମ ସାରିବା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ନବୀନ । ଯାତ୍ରୀ ଓ ବିମାନ ସଂଖ୍ୟା ବୃଦ୍ଧି ଯୋଗୁ ଭୁବନେଶ୍ବର ଏୟାରପୋର୍ଟ ଉପରେ ଅଧିକ ଚାପ ପଡ଼ୁଛି। ତେଣୁ ଶ୍ରୀଜଗନ୍ନାଥ ଏୟାରପୋର୍ଟ କାମ ସାରିବାକୁ ପ୍ରଧାନମନ୍ତ୍ରୀ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବିମାନବନ୍ଦର ପାଚେରୀ ପାଇଁ ଚିହ୍ନଟ କାମ ସରିଯାଇଛି। ଏହା ଜାଣିବା ପରେ ପ୍ରଧାନମନ୍ତ୍ରୀ ସମସ୍ତ ପ୍ରକାର ସହଯୋଗର ଆଶ୍ୱାସନା ଦେଇଛନ୍ତି ।

ରାଜ୍ୟରେ ୮ଟି ଅସଂପୂର୍ଣ୍ଣ ଜାତୀୟ ରାଜପଥ ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ମଧ୍ୟ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।

ଭାରତ ନେଟ୍‌-୨ ଜରିଆରେ ପଞ୍ଚାୟତରେ ଇଣ୍ଟରନେଟ ସେବା ଯୋଗାଇବା ଓ ରାଜ୍ୟରେ ପଞ୍ଚାୟତ ସ୍ତରରେ ବ୍ୟାଙ୍କିଙ୍ଗ ସେବା ବୃଦ୍ଧି ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କଠାରେ ଦାବି କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର କୌଣସି ରାଜନୈତିକ ଆଲୋଚନା ହୋଇନାହିଁ। ତୃତୀୟ ସାମ୍ମୁଖ୍ୟ ଗଠନ ଉଦ୍ୟମରେ ସେ ନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।