ଶ୍ରୀଜଗନ୍ନାଥଙ୍କ ଜମି ଉପରେ ନିୟମ ଖିଲାପକାରୀ ୧୪୭ଟି କ୍ରସର ୟୁନିଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ  | News Room Odisha

ଶ୍ରୀଜଗନ୍ନାଥଙ୍କ ଜମି ଉପରେ ନିୟମ ଖିଲାପକାରୀ ୧୪୭ଟି କ୍ରସର ୟୁନିଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ 

ପୁରୀ – ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୁସମ୍ପଭିର ପରିଚାଳନା ଏବଂ ସୁରକ୍ଷା ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଖୋର୍ଦ୍ଧା ଏବଂ ବେଗୁନିଆ ଅଂଚଳରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି ଉପରେ ସମୁଦାୟ ୨୩୨ଟି କ୍ରସର ୟୁନିଟ ରେକର୍ଡ ଭୁକ୍ତ ହୋଇଥିବା ନେଇ ଜଣାପଡିଛି । ସେଥିମଧ୍ଯରୁ ୨୦୨୨-୨୩ ମସିହା ପାଇଁ ମାତ୍ର ୮୫ଟି ୟୁନିଟ ହିଁ ଶ୍ରୀମନ୍ଦିର ପ୍ରଶାସନ ସହ ବିଧିବଦ୍ଧ ବୁଝାମଣା ସ୍ବାକ୍ଷର କରିଛନ୍ତି । ୨୦୨୩-୨୪ ପାଇଁ ସମୁଦାୟ ୫୨ଟି କ୍ରସର ୟୁନିଟ ପକ୍ଷରୁ ନବୀକରଣ ଆବେଦନ ଦାଖଲ ହୋଇଛି । ତେଣୁ ଏହି ୟୁନିଟ ଗୁଡିକର ଆବେଦନ ତଥା ପ୍ରଣାମୀ ଦାଖଲକୁ ବିଚାରକୁ ନେଇ ବୁଝାମଣା ନବୀକରଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ଖିଲାପକାରୀ ୧୪୭ଟି ୟୁନିଟ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ବିଦ୍ୟୁତ ବିଭାଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବଗତ କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏହି କ୍ରମରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି ଉପରେ ଖୋର୍ଦ୍ଧା ଏବଂ ବେଗୁନିଆ ଅଂଚଳରେ ଥିବା ୧୪୭ଟି କ୍ରସର ୟୁନିଟକୁ ତୁରନ୍ତ ବନ୍ଦ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ଏସବୁ କ୍ରସରର ବିଦ୍ଯୁତ କାଟ ପାଇଁ ଟିପିସିଓଡିଏଲକୁ କୁହାଯାଇଥୁବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ମଧ୍ଯ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର ପାଇଁ କୁହାଯାଇଛି । ସେହିପରି ବକେୟା ଆଦାୟ ପାଇଁ ଓପିଡିଆର ଆକ୍ଟରେ ମାମଲା ରୁଜୁ ପାଇଁ ମଧ୍ଯ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି ।