ଭଞ୍ଜନଗର ଠାକୁରାଣୀ ଯାତ୍ରା: ଖୋଲିଲା ଆକର୍ଷଣୀୟ ମେଢ଼ | News Room Odisha

ଭଞ୍ଜନଗର ଠାକୁରାଣୀ ଯାତ୍ରା: ଖୋଲିଲା ଆକର୍ଷଣୀୟ ମେଢ଼

ଭଞ୍ଜନଗର: ଠାକୁରାଣୀ ଯାତ୍ରା ପାଇଁ ଏବେ ଉତ୍ସବମୁଖର ଭଞ୍ଜନଗର ସହର। ଗୁରୁବାର ମା’ଙ୍କ ବିଶ୍ରାମ ଦିବସ ଥିଲା। ତେଣୁ ଦେବୀ ଦର୍ଶନ ଓ ପୂଜା ଅର୍ଚ୍ଚନା ପାଇଁ ଅସ୍ଥାୟୀ ମଣ୍ଡପରେ ଭକ୍ତମାନଙ୍କ ଭିଡ଼ ଜମିଥିଲା। ସେପଟେ ସହର ଆକର୍ଷଣୀୟ ତୋରଣ ଓ ଆଲୋକ ସଜ୍ଜାରେ ଝଲସି ଉଠୁଥିଲା ବେଳେ ତାହାର ଶୋଭା ବଢ଼ାଉଛି ବିଭିନ୍ନ ସାହିରେ ନିର୍ମିତ ମେଢ଼ ଓ କଳାକୁଞ୍ଜ। ସ୍ଥାନୀୟ ରେଡକ୍ରସ୍ ରୋଡ୍ ସାହିରେ ପ୍ରସ୍ତୁତ ହୋଇଛି ଅର୍ଦ୍ଧ ନାରୀଶ୍ବର ମେଢ, ମହାଲକ୍ଷ୍ମୀ ମେଢ, ନୃସିଂହନାଥ ଓ ଶିରିଡ଼ି ସାଇବାବା ମେଢ଼। ସନ୍ଧ୍ୟାରେ ସାହି ବାସିନ୍ଦା ଢୋଲ ମହୁରୀ ବଜାଇ ମା’ଙ୍କ ନିକଟକୁ ଆସି ପୂଜା ଆର୍ଚ୍ଚନା କରିବା ପରେ ଦେବୀଙ୍କ ଆଜ୍ଞାମାଳ ଧରି ଉକ୍ତ ମେଢ଼ ନିକଟରେ ପହଞ୍ଚି ଆଜ୍ଞାମାଳ ପ୍ରଦାନ କରିଥିଲେ। ପରେ ପରେ ଏସବୁ ମେଢ଼ ଖୋଲିଥିଲା।

ଗୁରୁବାର ସନ୍ଧ୍ୟା ଆଳତି ଲାଗି ମଧ୍ୟ ବେଶ୍ ଜନ ସମାଗମ ହୋଇଥିଲା। ତେଣେ କବି ସମ୍ରାଟ ରଙ୍ଗମଞ୍ଚରେ ମେଲୋଡି ଦର୍ଶକ ଓ ଶ୍ରୋତାଙ୍କୁ ମୁଗ୍ଧ କରିଥିଲା।