ଆସନ୍ତାକାଲି ଝାରସୁଗୁଡ଼ା ଉପନିର୍ବାଚନର ଭୋଟ୍ ଗଣତି | News Room Odisha

ଆସନ୍ତାକାଲି ଝାରସୁଗୁଡ଼ା ଉପନିର୍ବାଚନର ଭୋଟ୍ ଗଣତି

ଝାରସୁଗୁଡ଼ା – ଆସନ୍ତାକାଲି ଝାରସୁଗୁଡ଼ା ଉପନିର୍ବାଚନର ଭୋଟ୍ ଗଣତି । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି। ଏଥର କିଏ ବାଜିମାରିବ, ତାହା ମଧ୍ୟାହ୍ନ ସୁଦ୍ଧା ଜଣାପଡ଼ିଥିବା ସମ୍ଭାବନା ରହିଛି। ଗତକାଲି ୨୫୩ଟି ବୁଥରେ ମତଦାନ ହୋଇଥିଲା । ମତଦାନ ହାର ୭୯ ପ୍ରତିଶତରୁ ଅଧିକ ରହିଛି।

ଭୋଟ୍ ଗଣନା କରିବାକୁ ଥିବା କର୍ମଚାରୀଙ୍କୁ ଆଜି ଟ୍ରେନିଂ ଦିଆଯାଉଛି । ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଷ୍ଟ୍ରଙ୍ଗ ରୁମରେ କଡ଼ା ସୁରକ୍ଷାବଳୟ ଭିତରେ ଇଭିଏମକୁ ରଖାଯାଇଛି। ସୁରକ୍ଷା ବ୍ୟବସ୍ଥା ପାଇଁ ଷ୍ଟ୍ରଙ୍ଗରୁମରେ ସିସିଟିଭି ବ୍ୟବସ୍ଥା କରାଯାଇଥିବା ଝାରସୁଗୁଡା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଆସନ୍ତାକାଲି ସକାଳ ୮ଟାରେ ପ୍ଧଥମେ ପୋଷ୍ଟାଲ ବାଲାଟ୍ ଗଣତି କରାଯିବ। ପରେ ସାଢ଼େ ୮ଟାରୁ ଇଭିଏମ ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହେବ। ଭୋଟଗଣତି କେନ୍ଦ୍ରର ଚାରିପାଶ୍ୱର୍ରେ ଭୋଟଗଣତି ଦିନ ସମ୍ଭାବ୍ୟ ଜନଗହଳି ହେବାର ସମ୍ଭାବନା ଥିବାରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ମଇଦାନରେ ମୋଟ ୯ ଜଣ ପ୍ରାର୍ଥୀ ରହିଥିଲେ ମଧ୍ୟ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ବନ୍ଦିତା ହେଉଛି ।