କୁକୁଡ଼ା ଚାଷ କଲା ମହିଳାଙ୍କୁ ସ୍ୱାବଲମ୍ବୀ  | News Room Odisha

କୁକୁଡ଼ା ଚାଷ କଲା ମହିଳାଙ୍କୁ ସ୍ୱାବଲମ୍ବୀ 

ସମ୍ବଲପୁର: ମହିଳା ସଶକ୍ତିକରଣକୁ ରାଜ୍ଯ ସରକାର ସର୍ବାଧିକ ଗୁରୁତ୍ବ ଦେଇ ଆସୁଛନ୍ତି। ଆଉ ଏହାର ସୁଫଳ ହେଲା ଯେ ବର୍ତ୍ତମାନ ରାଜ୍ୟର ଅଗଣିତ ମହିଳା ଆତ୍ମନିର୍ଭର ହୋଇପାରିଥିବା ବେଳେ ଏମାନଙ୍କ ଉତ୍ପାଦିତ ସାମଗ୍ରୀ ଏବେ ଦୁନିଆଁକୁ ଚହଟାଇଲାଣି। ସେହିପରି ସମ୍ବଲପୁର ଜିଲ୍ଲାର ଜମନକିରା ବ୍ଲକର ବହୁ ଅଞ୍ଚଳରେ ଜୀବିକା ମିଶନ ଦ୍ବାରା ବହୁ ମହିଳା ଗୋଷ୍ଠୀ ବେଶ୍ ଆର୍ଥିକ ସ୍ବଚ୍ଛଳ ହୋଇପାରିଛନ୍ତି। ବିଶେଷ କରି କୁକୁଡା ଚାଷ ଏବେ ବେଶ ଫଳପ୍ରଦ ହୋଇଛି।

ଜମନକିରା ବ୍ଲକ ଅଞ୍ଚଳରେ ବହୁ ମହିଳା ଗୋଷ୍ଟୀଙ୍କୁ ଜୀବିକା ମିଶନ ମାଧ୍ୟ୍ୟମରେ କୁକୁଡ଼ା ଚାଷ ପାଇଁ ପ୍ରୋତ୍ସାହନ ଯୋଗେଇ ଦିଆଯିବା ସହ କୁକୁଡ଼ା ଚିଆଁ ପ୍ରଦାନ କରାଯାଇଛି l କୁକୁଡ଼ା ଚାଷ କରି ଏବେ ବହୁ ମହିଳା ଗୋଷ୍ଠୀ ସ୍ୱାବଲମ୍ବୀ ହେବା ସହ ଆର୍ଥିକ ସ୍ଵଚ୍ଛଳ ହୋଇ ପାରିଛନ୍ତିl

ଜମନକିରା ବ୍ଲକ ଜୀବିକା ମିଶନ ପକ୍ଷରୁ ଘର ଅଗଣାରେ କୁକୁଡ଼ା ଚାଷର ଲକ୍ଷ୍ୟ ରଖି ଗାଁଗାଁ ମାନଙ୍କରେ କୁକୁଡ଼ା ପାଳନ ସମୂହ ଗୋଷ୍ଠୀ ଗଠନ କରାଯାଇ ମହିଳାମାନଙ୍କୁ କୁକୁଡ଼ା ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯିବା ସହ ଉନ୍ନତ ମାନର କୁକୁଡ଼ା ଚିଆଁ ଯୋଗେଇ ଦିଆଯାଇଛି। ଆଦିବାସୀ ଅଧ୍ୟୁଷିତ ଜମନକିରା ବ୍ଲକରେ ଜୀବିକା ମିଶନ ପକ୍ଷରୁ ଖରସନମାଲ, କସଡ଼ା, କେନାଢିପା, ଜମନକିରା, ଟିକିଲିପଡ଼ା, କଟଙ୍ଗପାଣି, ଭୋଜପୁର ଓ ଡ଼ିମିରିମୁଣ୍ଡା ଆଦି ମୋଟ ୮ ପଞ୍ଚାୟତରେ କୁକୁଡ଼ା ପାଳନ ସମୂହ ଗୋଷ୍ଠୀ ଗଠନ କରାଯାଇଥିବା ବେଳେ ପ୍ରତ୍ୟୋକ ଗୋଷ୍ଠୀରେ ଶହେ ଜଣ ମହିଳା ସଦସ୍ୟ ରହିଛନ୍ତି। ଜୀବିକା ମିଶନ ପକ୍ଷରୁ ଗୋଷ୍ଠୀର ପ୍ରତ୍ୟେକ ମହିଳାଙ୍କୁ ୨୫ଟି ଲେଖାଏଁ ଉନ୍ନତମାନର ରେନବୋରୋଷ୍ଟର କୁକୁଡ଼ା ଚିଆଁ ପ୍ରଦାନ କରାଯାଇଥିଲା। ଗୋଷ୍ଠୀ ମହିଳା ମାନେ ସେଗୁଡିକୁ ଯତ୍ନ କରି ଆର୍ଥିକ ସ୍ଵଚ୍ଛଳ ହୋଇପାରିଛନ୍ତି l କୁକୁଡ଼ା ଗୁଡିକ ପ୍ରାୟ ୩ମାସରେ ଦୁଇରୁ ଅଢେଇ କିଲୋ ଓଜନ ହୋଇଥିବା ବେଳେ କିଲୋ ପ୍ରତି ତିନି ଶହ ଟଙ୍କା ବଜାର ଦରରେ ସେମାନେ ବିକ୍ରି କରୁଛନ୍ତି। ଯାହାକୁ ନେଇ ମହିଳା ଗୋଷ୍ଠୀଙ୍କ ମଧ୍ୟ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। କୁକୁଡ଼ା ଚାଷରେ ଲାଭର ପରିମାଣକୁ ଆକଳନ କରି ମହିଳାମାନେ ନିଜସ୍ୱ ଉଦ୍ୟମରେ କୁକୁଡ଼ା ଚାଷ କରିବାକୁ ମଧ୍ୟ୍ୟ ଲକ୍ଷ୍ୟ ରଖିଛନ୍ତି।