ଝାରସୁଗୁଡାର ଉନ୍ନତି ପାଇଁ ବିଜେଡିର ଉଦ୍ୟମକୁ ଆହୁରି ଜୋରଦାର କରାଯିବ : ନବୀନ  | News Room Odisha

ଝାରସୁଗୁଡାର ଉନ୍ନତି ପାଇଁ ବିଜେଡିର ଉଦ୍ୟମକୁ ଆହୁରି ଜୋରଦାର କରାଯିବ : ନବୀନ 

ଭୁବନେଶ୍ୱର -ଝାରସୁଗୁଡ଼ା ଉପନିର୍ବାଚନରେ ବିଜୁ ଜନତା ଦଳର ବିପୁଳ ବିଜୟ ପାଇଁ ଝାରସୁଗୁଡ଼ାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳର ବିଜୟ ଝାରସୁଗୁଡ଼ାବାସୀ ଓ ମହିଳାଶକ୍ତିର ବିଜୟ ବୋଲି ଅଭିହିତ କରିଛନ୍ତି ବିଜେଡି ସୁପ୍ରିମୋ। ଏଥିପାଇଁ ଝାରସୁଗୁଡ଼ାବାସୀଙ୍କ ନିକଟରେ ସେ ଋଣୀ ବୋଲି ନବୀନ କହିଛନ୍ତି। ଏହି ବିଜୟ ପାଇଁ ବିଜେଡିର ଲକ୍ଷ ଲକ୍ଷ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ। ଝାରସୁଗୁଡ଼ା ଅଞ୍ଚଳର, ଉନ୍ନତି ପାଇଁ ବିଜୁ ଜନତା ଦଳ ତାର ଉଦ୍ୟମକୁ ଆହୁରି ଜୋରଦାର କରିବ । ଝାରସୁଗୁଡ଼ା ପାଇଁ ନବ ବାବୁ ଆରମ୍ଭ କରିଥିବା, ବିକାଶର ଧାରାକୁ ଆହୁରି ଆଗକୁ ନିଆଯିବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ।

ପଦ୍ମପୁର ଉପନିର୍ବାଚନ ବେଳେ, ବିରୋଧି ଦଳ ଆମର ମା’ ମାନଙ୍କୁ, ଅସମ୍ମାନ କରିଥିଲେ। ପଦ୍ମପୁରରେ, ଆମର ମହିଳା ପ୍ରାର୍ଥୀଙ୍କୁ, ଖରାପ ଭାଷାରେ, ଗାଳି କରୁଥିଲେ। ପଦ୍ମପୁର ହେଉ ବା ଝାରସୁଗୁଡ଼ା, ସବୁଠାରେ ସେମାନେ ବାପାଙ୍କୁ ହରେଇଥିବା ଝିଅମାନଙ୍କୁ ଗାଳି କରିଛନ୍ତି। ପ୍ରତ୍ୟେକ ଉପ ନିର୍ବାଚନ ରେ ସେମାନେ ମିଶନ ଶକ୍ତିର ନେତ୍ରୀ,ତଥା ତୃଣମୂଳସ୍ତରରେ କାମ କରୁଥିବା, ମାଆମାନଙ୍କୁ ସବୁବେଳେ ସମାଲୋଚନା କରି ଆସୁଛନ୍ତି ବୋଲି ନବୀନ କହିଛନ୍ତି।

ଓଡ଼ିଶାବାସୀ କେବେବି ମାଆମାନଙ୍କ ପ୍ରତି ଏଭଳି ଅସମ୍ମାନକୁ ବରଦାସ୍ତ କରିନାହାନ୍ତି। ଇତିହାସ ସାକ୍ଷୀ ରହିଛି ବୋଲି ନବୀନ କହିଛନ୍ତି।

ଆମର ଝିଅମାନେ ଆମର ଗର୍ବ । ବିଜୁ ଜନତା ଦଳ ସବୁବେଳେ ପବ୍ଲିକ ଲାଇଫରେ ମାଆମାନଙ୍କ ଯୋଗଦାନକୁ ଉତ୍ସାହିତ କରିଆସିଛି ।ସେମାନଙ୍କ ଅଧିକାର ପାଇଁ ଦୃଢ଼ ଭାବରେ ସେମାନଙ୍କ କଥା କହିବା ପାଇଁ ମିଶନ ଶକ୍ତି ମଞ୍ଚ ଯୋଗାଇ ଦେଇଛି । ହାଣ୍ଡିଶାଳ ଚାରିକାନ୍ଥରୁ ସେମାନଙ୍କୁ ବାହାରକୁ ଆଣି ମିଶନ ଶକ୍ତି ସେମାନଙ୍କୁ ସଶକ୍ତ କରିଛି ।

ବିରୋଧି ଦଳ ସବୁବେଳେ ମାଆ ମାନଙ୍କ ସଶକ୍ତୀକରଣକୁ ବିରୋଧ କରି ଆସୁଛି। ଏହା ଏକ ବିପଦଜନକ ଧାରା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡିଶାବାସୀ ଏଭଳି ବ୍ୟବହାରକୁ ସବୁବେଳେ ନାପସନ୍ଦ କରି ଆସିଛନ୍ତି। ଅଗ୍ରାହ୍ୟ କରିଛନ୍ତି ବୋଲି ବିଜେଡି ସୁପ୍ରିମୋ କହିଛନ୍ତି। ସମସ୍ତେ ମିଳିମିଶି ଓଡିଶାର ଉନ୍ନତି ପାଇଁ, ଆମ ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ, ଆମ ସାଂସ୍କୃତିକ ସମ୍ମାନ ଓ ମା’ ମାନଙ୍କ ସମ୍ମାନ, ମା’ ମାନଙ୍କ ଅଧିକାର ସୁରକ୍ଷା ପାଇଁ, କାମ କରିଚାଲିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।