୭ ଜିଲ୍ଲାରେ ମାଓବାଦୀଙ୍କ ବନ୍ଦ ପାଳନ, ମୁକାବିଲା ପାଇଁ ସଜାଗ ସୁରକ୍ଷା ବାହିନୀ | News Room Odisha

୭ ଜିଲ୍ଲାରେ ମାଓବାଦୀଙ୍କ ବନ୍ଦ ପାଳନ, ମୁକାବିଲା ପାଇଁ ସଜାଗ ସୁରକ୍ଷା ବାହିନୀ

ଫୁଲବାଣୀ: କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ବୌଦ୍ଧ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଆଜି ୨୪ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି ମାଓବାଦୀ। ସିପିଆଇ (ମାଓବାଦୀ) ବାସଧାରା- ଘୁମୁସର- ନାଗାବଳି ଡିଭିଜିନାଲ୍‌ କମିଟି ଡାକରାରେ ଲାଲ୍‌ ବାହିନୀ ବିଭିନ୍ନ ଦାବି ରଖି ବନ୍ଦ ପାଳନରେ ସାମିଲ ହେବାକୁ ଲୋକଙ୍କୁ ଆହ୍ଵାନ ଦେଇଛି। ବିଶେଷ କରି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି, କୋଟଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ମାଓ ବାହିନୀ ବ୍ୟାନର୍‌, ପୋଷ୍ଟର୍‌ ମାରି ନିଜ ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରିଛନ୍ତି। ତେବେ ମାଓବାଦୀଙ୍କ ବନ୍ଦ ପାଳନର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରହିଛି ସୁରକ୍ଷା ବାହିନୀ। ଲାଲ୍‌ ବାହିନୀ ଯେଭଳି କୌଣସି ଅଘଟଣ ଘଟାଇ ନପାରିବ ସେଥିପାଇଁ ସତର୍କ ପୋଲିସ, ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ଏସ୍‌ଓଜି ବାହିନୀ ବିଭିନ୍ନ ସ୍ଥାନରେ ପଇଁତରା ମାରିବା ସହ ପ୍ରମୁଖ ସ୍ଥାନରେ ଖାନତଲାସ ଜାରି ରଖିଛନ୍ତି। ମାଓପ୍ରବଣ ଅଞ୍ଚଳରେ କମ୍ବିଂ ଅପରେସନ୍‌ ଜୋରଦାର କରାଯାଇଛି। ଅଘଟଣକୁ ଏଡ଼ାଇବା ପାଇଁ ସରକାରୀ ବସ୍‌ ଚଳାଚଳ ବନ୍ଦ ରଖାଯାଇଛି। କନ୍ଧମାଳ ଜିଲ୍ଲାର ମାଓପ୍ରବଣ ଅଞ୍ଚଳ କୋଟଗଡ଼, ବେଲଘର, ଦାରିଙ୍ଗବାଡ଼ି, ଗୋଛାପଡ଼ା ଅଞ୍ଚଳକୁ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି। ପୋଲିସ ବାହିନୀ ସନ୍ଦିଗ୍ଧ ବ୍ୟକ୍ତି ଓ ଗାଡ଼ି ମୋଟର ଯାଞ୍ଚ ଚଳାଇଛି। ଲୋକେ ଯେପରି ନିରାପଦରେ ରହିବେ ସେଥିପାଇଁ ତତ୍ପର ରହିଛି ସୁରକ୍ଷା ବାହିନୀ।

ଗତ ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ଜନ ଅଧିକାର ଦିବସ ପାଳିଥିଲେ ମାଓବାଦୀ। ସେହିକ୍ରମରେ ୧୨ ତାରିଖରେ ଫିରିଙ୍ଗିଆ ଥାନା ଅଞ୍ଚଳରେ ଜଣେ ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ହତ୍ୟା ମଧ୍ୟ କରିଥିଲେ। ତେବେ ମାଓବାଦୀଙ୍କ ଚଳାଚଳକୁ ପ୍ରତିହତ କରିବା ସକାଶେ ପୋଲିସ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସାଙ୍ଗକୁ ମାଓ ଗତିବିଧି ଉପରେ ନଜର ରଖିଛି। ନିକଟରେ ପୋଲିସ ଡିଜିଙ୍କ ଦ୍ଵାରା ଫୁଲବାଣୀରେ ବିଏସ୍‌ଏଫ୍‌ ମୁଖ୍ୟାଳୟ ଉଦ୍‌ଘାଟିତ ହୋଇଛି। ଏଣିକି ମାଓ ଦମନ ଅଭିଯାନରେ ବିଏସ୍‌ଏଫ୍‌ ଅଧିକ ଯୋଜନାବଦ୍ଧ ଭାବେ ନିୟୋଜିତ ହେବାକୁ ଯାଉଛି। ଆଉ ଲାଲ୍‌ ବାହିନୀକୁ ଯେକୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାରୁ ରୋକିବାକୁ ସମସ୍ତ ସୁରକ୍ଷା ବାହିନୀ ଯଥା ପୋଲିସ, ସିଆର୍‌ପିଏଫ୍‌, ବିଏସ୍‌ଏଫ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି।