ଆଇନ ଛାତ୍ରଙ୍କୁ ମାଡ଼ ମାରିବା ମାମଲାରେ ଆପ୍ ବିଧାୟକଙ୍କୁ ଅଜବ ଦଣ୍ଡ, ଦିନସାରା କୋର୍ଟରେ ଠିଆ ହୋଇ ରହିବାକୁ ନିର୍ଦ୍ଦେଶ | News Room Odisha

ଆଇନ ଛାତ୍ରଙ୍କୁ ମାଡ଼ ମାରିବା ମାମଲାରେ ଆପ୍ ବିଧାୟକଙ୍କୁ ଅଜବ ଦଣ୍ଡ, ଦିନସାରା କୋର୍ଟରେ ଠିଆ ହୋଇ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜଣେ ଆଇନ ଛାତ୍ରଙ୍କୁ ମାଡ଼ ମାରିବା ମାମଲାରେ ଆମ୍ ଆଦମୀ ପାର୍ଟିର ବିଧାୟକ ଅଖିଳେଶ ପତି ତ୍ରିପାଠୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦଣ୍ଡ ସ୍ବରୂପ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କୁ କୋର୍ଟ ପରିସରରେ ଦିନସାରା ଠିଆ ହୋଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ତାଙ୍କ ଉପରେ ୩୦,୦୦୦ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି କୋର୍ଟ।

ସୂଚନାନୁସାରେ, ଜରିମାନା ପରିମାଣରୁ ୬୫୦୦ ଟଙ୍କା କୋର୍ଟରେ ଜମା କରିବା ସହ ଅବଶିଷ୍ଟ ୨୩,୫୦୦ ଟଙ୍କା ଅଭିଯୋଗକାରୀଙ୍କୁ ଦେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆପ୍ ବିଧାୟକ ଅଖିଳେଶ ପତି ତ୍ରିପାଠୀଙ୍କ ବିରୋଧରେ ବିଭିନ୍ନ ଦଫା ସହ ଏସସି / ଏସଟି ଆକ୍ଟ ଅନୁଯାୟୀ ମଧ୍ୟ ମାମଲା ରୁଜୁ ହୋଇଥିଲା ।

ବିଧାୟକ ଅଖିଳେଶ ପତି ତ୍ରିପାଠୀ ୨୦୨୦ରେ ଜଣେ ଛାତ୍ରଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଆଘାତ ଦେଇଥିବା ଅଭିଯୋଗ ହୋଇଥିଲା। ମାର୍ଚ୍ଚରେ ତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ ।

ଅଭିଯୋଗ ଅନୁଯାୟୀ, ଫେବୃଆରୀ ୨୦୨୦ରେ ଯୁବକ ଜଣକ ତାଙ୍କ ଘରକୁ ଯାଉଥିବା ବେଳେ ଆପ୍ ବିଧାୟକ ତ୍ରିପାଠୀ ଓ ତାଙ୍କ ସମର୍ଥକ ତାଙ୍କୁ ଲାଲବାଗ୍ ସ୍ଥିତ ଝଣ୍ଡାଓ୍ବାଲାଁ ଚୌକ ଠାରେ ଅଟକାଇ ମାଡ଼ ମାରିଥିଲେ | ଆପ୍ ବିଧାୟକ ତାଙ୍କ ବିରୋଧରେ ଜାତିଆଣ ଆକ୍ଷେପ ବି କରିଥିଲେ ବୋଲି ଅଭିଯୋଗ ହୋଇଥିଲା ।