ଗଞ୍ଜାମ ଜିଲ୍ଲା ହେବ ଫ୍ଲାଓ୍ବାର୍ ହବ୍: ଲାଭବାନ ହେବେ ଫୁଲ ଚାଷୀ, ଏସଏଚଜି | News Room Odisha

ଗଞ୍ଜାମ ଜିଲ୍ଲା ହେବ ଫ୍ଲାଓ୍ବାର୍ ହବ୍: ଲାଭବାନ ହେବେ ଫୁଲ ଚାଷୀ, ଏସଏଚଜି

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବେ ବ୍ୟାପକ ମାତ୍ରାରେ ଗେଣ୍ଡୁ, ଗୋଲାପ, କିଆ ଫୁଲ ଚାଷ କରାଯାଉଛି। ତେବେ ବର୍ତ୍ତମାନ ଅର୍ଣ୍ଣାମେଣ୍ଟାଲ୍ ଫୁଲ (ସାଜସଜ୍ଜାରେ ବ୍ୟାପକ ବ୍ୟବହୃତ ହେଉଥିବା) ତଥା ଅଧିକ ଅର୍ଥକାରୀ ଫୁଲ ଚାଷକୁ ପ୍ରୋତ୍ସାହିତ କରାଯିବ। ମେରିଗୋଲ୍ଡ, ଟ୍ୟୁବରୋଜ୍, ଆନ୍ଥାରିୟମ୍, ଅର୍କିଡ୍ ଜାତୀୟ ଫୁଲ ଚାଷକୁ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, ଛତ୍ରପୁର ସହର ଉପକଣ୍ଠ, ଗଞ୍ଜାମ ବ୍ଲକରେ କରାଯିବ। ଏହାଦ୍ବାରା ଜିଲ୍ଲାର ଫୁଲଚାଷୀ ଲାଭବାନ ହୋଇପାରିବେ। ଅଧିକରୁ ଅଧିକ କୃଷକ ଏଥିପ୍ରତି ଆଗ୍ରହ ପ୍ରକାଶ କରିବେ ଓ ଗଞ୍ଜାମ ଜିଲ୍ଲା ଫୁଲ ଚାଷର ହବ୍ ପାଲଟିବ।

ଏ ନେଇ ବେଙ୍ଗାଲୁରୁର ଫ୍ଲୋରେନ୍ସ ଫ୍ଲୋରା ମାର୍କେଟିଂ ସହ ଗଞ୍ଜାମ ଜିଲ୍ଲା ପ୍ରଶାସନର ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଯେହେତୁ ଗଞ୍ଜାମ ଜିଲ୍ଲାର ଜଳବାୟୁ ଓ ଉର୍ବର ମୂର୍ତ୍ତିକା ଫୁଲଚାଷ ନିମନ୍ତେ ଅନୁକୂଳ ଅଟେ। ଏହାର ସଦୁପଯୋଗ କରିବା ସହ ଗଞ୍ଜାମ ଜିଲ୍ଲାର ଫୁଲ ଚାଷୀ ତଥା ଏ ଦିଗରେ ନିୟୋଜିତ ମହିଳା ଏସଏଚଜିଙ୍କୁ ଉପଯୁକ୍ତ ଜ୍ଞାନ କୌଶଳ ଯୋଗାଇ ଦିଆଯାଇ ପାରିଲେ ଜିଲ୍ଲାରେ ଫୁଲ ଚାଷ ବ୍ୟାପକ ହେବା ସହ ସେମାନଙ୍କ ଆର୍ଥିକ ବିକାଶ ଘଟିବ। ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ। ଏଣୁ ବିହନ ସଂରକ୍ଷଣରୁ ଆରମ୍ଭ କରି ଫୁଲ ବିକ୍ରୀ ପର୍ଯ୍ୟନ୍ତ ସମସ୍ତ ଜ୍ଞାନ କୌଶଳ ଓ ସହାୟତା ଯୋଗାଇ ଦେବ ବେଙ୍ଗାଲୁରୁର ଏହି ସଂସ୍ଥା। ଚାଷୀମାନଙ୍କୁ ବାଣିଜ୍ୟିକ ପୁଷ୍ପଲତା ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ନିଃଶୁଳ୍କରେ ବୈଷୟିକ ଜ୍ଞାନ କୌଶଳ ଓ ଅନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ପୁଣି ବିଭିନ୍ନ କ୍ଲଷ୍ଟର୍ ଜରିଆରେ ଫୁଲ ଚାଷକୁ ବ୍ୟାପକ କରାଗଲେ ଜିଲ୍ଲାର ଫୁଲ ଚାଷୀ ଲାଭବାନ ହୋଇପାରିବେ ବୋଲି ଧାର୍ଯ୍ୟ କରାଯାଇଛି। ଏହି ଅବସରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତି ଭାସନ୍, ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସମେତ ଫ୍ଲୋରେନ୍ସ ଫ୍ଲୋରା ମାର୍କେଟିଂର ଅଧିକାରୀମାନେ ଉପସ୍ଥିତ ଥିଲେ।