ଅକ୍ଷୁର୍ଣ୍ଣ ଓ ଅତୁଟ ପରମ୍ପରାର ନିଦର୍ଶନ ବରପାଲିର ଶୀତଳ ଷଷ୍ଠୀ | News Room Odisha

ଅକ୍ଷୁର୍ଣ୍ଣ ଓ ଅତୁଟ ପରମ୍ପରାର ନିଦର୍ଶନ ବରପାଲିର ଶୀତଳ ଷଷ୍ଠୀ

ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ବାବା କପିଳେଶ୍ଵରଙ୍କ ଶୀତଳଷଷ୍ଠୀ ଯାତ୍ରା ମହୋତ୍ସବ ଚଳିତ ବର୍ଷ ୧୪୬ ତମ ବର୍ଷରେ ପଦାର୍ପଣ କରିଛି । ପଶ୍ଚିମ ଓଡ଼ିଶାର ଶୀତଳ ଷଷ୍ଠୀ ଯାତ୍ରା ଭାବରେ ସମ୍ବଲପୁର ଶୀତଳଷଷ୍ଠୀ ସର୍ବୋଚ୍ଚ ଶିଖର ମଣ୍ଡିତ କରିଥିବା ବେଳେ ଏହା ସରକାରୀ ଓ ବେସରକାରୀ ସବୁ ସ୍ତରରେ ଆକର୍ଷଣୀୟ ହୋଇଛି । ମାତ୍ର ସମ୍ବଲପୁର ରାଜବଂଶ ସହିତ ସମ୍ପୃକ୍ତ ଥିବା ବରପାଲି ଜମିଦାରଙ୍କ ପୃଷ୍ଠପୋଷକ ତା’ରେ ଆରମ୍ଭ ହୋଇଥିବା ଭଗବାନ ବାବା କପିଳେଶ୍ଵରଙ୍କ ଶୀତଳଷଷ୍ଠୀ ଯାତ୍ରାରେ ଆଜି ବି ପୂର୍ବ ପାରମ୍ପରିକତା ଓ ଆଧ୍ୟାତ୍ମିକତା ବଜାୟ ରହିଛି ।

ବାବାଙ୍କ ବିବାହ ପାଇଁ ଅକ୍ଷୟ ତୃତୀୟା ଦିନ ଥାଳଉଠା ନୀତି ସମ୍ପନ୍ନ ହେବା ଦିନରୁ ଶୈବ ଭକ୍ତ ତଥା ଶ୍ରଦ୍ଧାଳୁ କପିଳେଶ୍ବର ବାବା ଙ୍କ ନାମରେ ମାସାଧିକ କାଳ ସଂକଳ୍ପ ବ୍ରତ ଧାରଣ କରିଥାନ୍ତି । ବରପାଲି ରାଜା ନୃପରାଜ ସିଂ ମାନସିକ କରି ଆରମ୍ଭ କରିଥିବା ଶୀତଳଷଷ୍ଠୀରେ ଏବେ ବି ଲୋକେ ମାନସିକ ବ୍ରତ ଧାରଣ କରୁଛନ୍ତି । କେବଳ ଉତ୍ସବରେ ଯାତ୍ରା ସୀମିତ ନହୋଇ ଏକ ପରମ୍ପରା ଓ ଆଧ୍ୟାତ୍ମିକତା ପୃଷ୍ଠଭୂମିରେ ବରପାଲି ଶୀତଳ ଷଷ୍ଠୀ ଯାତ୍ରା ସମ୍ପନ୍ନ ହେଉଛି ବାବା କପିଳେଶ୍ଵରଙ୍କ ପ୍ରତି ସମର୍ପିତ ଥିବା କିଛି ବିଶେଷ ସେବାୟତ ଗୋଷ୍ଠୀ ଆଜି ପର୍ଯ୍ୟନ୍ତ ସେହି ରାଜପରମ୍ପରାକୁ ବଜାୟ ରଖି ନିଃଶୁଳ୍କ ସେବା ଯୋଗାଉଛନ୍ତି । ଯାତ୍ରା ସମୟରେ ଯେତେବେଳେ ଭଗବାନ ବାବା ମେଢ଼ରେ ବସି ବିଭିନ୍ନ ନୀତିକାନ୍ତି ପାଇଁ ଯାତ୍ରା କରନ୍ତି ମହାପ୍ରଭୁଙ୍କୁ କଞ୍ଜିଆ ଜାତିର ସେବକମାନେ କାନ୍ଧରେ ବୋହି ନିଅନ୍ତି । ମହାପ୍ରଭୁଙ୍କ ବିମାନ ଥରେ ଉଠିଲେ ତାହା ଯେତେ ସମୟ ହେଉନା କାହିଁକି ଆଉ ତଳେ ରଖାଯାଇନଥାଏ । ଆଧୁନିକ ଛାପ ଥିବା ଏହି ସମାଜରେ ଆଜି ବି ବରପାଲିର ଯାତ୍ରାରେ କାନ୍ଧରେ ବୋହିକି ନେବା ପରମ୍ପରା ଏକ ଆଧ୍ୟାତ୍ମିକ ଚେତନାର ବାର୍ତା ଦେଉଛି । ସେହିପରି ମେଢ଼କୁ ଠିକ ଭାବେ ସଜାଡ଼ି ରଖିବା ପାଇଁ ବରାଇ ଜାତିର ଲୋକେ ଦଉଡ଼ିରେ ବାନ୍ଧିବା ମଧ୍ୟ କାହିଁ କେଉଁ ସମୟରୁ ଚାଲି ଆସିଛି । ସମ୍ପୂର୍ଣ୍ଣ ଲୌକିକ ମତରେ ଲୋକାଚାର ନୀତିରେ ଜଗତ ଜନନୀ ମାତା ପାର୍ବତୀ ଓ ବାବା କପିଳେଶ୍ୱରଙ୍କ ବିବାହୋତ୍ସଵ ସମ୍ପନ୍ନ ହୋଇଥିଲେ ମଧ୍ୟ ପରମ୍ପରା ଓ ଆଧ୍ୟାତ୍ମିକତା ଅକ୍ଷୁର୍ଣ୍ଣ ଓ ଅତୁଟ ରହିଛି ।