ରାଷ୍ଟ୍ରପତିଙ୍କ ଜାତି ଉପରେ ମନ୍ତବ୍ୟ ପାଇଁ ଖଡ଼ଗେ, କେଜ୍ରିୱାଲଙ୍କ ବିରୋଧରେ ମାମଲା ରୁଜୁ | News Room Odisha

ରାଷ୍ଟ୍ରପତିଙ୍କ ଜାତି ଉପରେ ମନ୍ତବ୍ୟ ପାଇଁ ଖଡ଼ଗେ, କେଜ୍ରିୱାଲଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ନୂଆ ସଂସଦ ଭବନକୁ ନେଇ ବିବାଦ ଥମୁନି । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନୂଆ ସଂସଦ ଭବନର ଉଦଘାଟନକୁ ବିରୋଧ କରୁଛନ୍ତି ବିରୋଧୀ ଦଳ । ଏହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରନ୍ତୁ ବୋଲି ସେମାନେ ଦାବି କରୁଛନ୍ତି । ଅନ୍ୟପକ୍ଷରେ ନୂଆ ସଂସଦ ଭବନର ଉଦଘାଟନ ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜାତି ଉପରେ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ବିନୀତ ଜିନ୍ଦଲ ନାମକ ଜଣେ ଓକିଲ କେଜ୍ରିୱାଲ ଓ ଖଡ଼ଗେଙ୍କ ବିରୋଧରେ ଏହି ମାମଲା ଦାୟର କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ କେଜ୍ରିୱାଲ ଓ ଖଡ଼ଗେ ବିଭିନ୍ନ ସମ୍ପ୍ରଦାୟ / ଗୋଷ୍ଠୀ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ନୂଆ ସଂସଦ ଗୃହର ଉଦଘାଟନ ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜାତିର ଉଦାହରଣ ଦେଇ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିଲେ । ଏନେଇ ଖଡ଼ଗେ, କେଜ୍ରିୱାଲ ଓ ଅନ୍ୟମାନଙ୍କ ବିରୋଧରେ ଆଇପିସି ଧାରା ୧୨୧,୧୫୩ଏ, ୫୦୫ ଏବଂ ୩୪ ଅନୁଯାୟୀ ମାମଲା ରୁଜୁ ହୋଇଛି।

କେଜ୍ରିୱାଲ ଓ ଖଡ଼ଗେ କହିଥିଲେ ଯେ ରାଷ୍ଟ୍ରପତି ଜଣେ ଦଳିତ ହୋଇଥିବାରୁ ତାଙ୍କୁ ନୂଆ ସଂସଦ ଭବନର ଉଦଘାଟନୀ ଉତ୍ସବକୁ ନିମନ୍ତ୍ରଣ କରାଯାଇ ନାହିଁ। ଏନେଇ ଉଭୟ ନେତା ବିରୋଧର ସମ୍ମୁଖୀନ ହୋଇଥିଲେ ଏବଂ ବିଜେପିର କିଛି ନେତା ମଧ୍ୟ ସେମାନଙ୍କୁ ସମାଲୋଚନା କରିଥିଲେ ।

କଂଗ୍ରେସ ସହ ୨୦ଟି ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ନୂଆ ସଂସଦ ଭବନର ଉଦଘାଟନକୁ ବିରୋଧ କରିଛନ୍ତି। ସେମାନେ ଉଦଘାଟନ ଉତ୍ସବକୁ ବର୍ଜନ କରିବାକୁ ଘୋଷଣା କରିଛନ୍ତି ।