ନବକିଶୋର ଦାସ ହତ୍ୟା ମାମଲା : ଏଫବିଆଇ ସହାୟତା ପାଇଁ କେନ୍ଦ୍ରକୁ ଚିଠି ଲେଖାନଯିବା ଖବରକୁ କ୍ରାଇମବ୍ରାଞ୍ଚର ଖଣ୍ଡନ | News Room Odisha

ନବକିଶୋର ଦାସ ହତ୍ୟା ମାମଲା : ଏଫବିଆଇ ସହାୟତା ପାଇଁ କେନ୍ଦ୍ରକୁ ଚିଠି ଲେଖାନଯିବା ଖବରକୁ କ୍ରାଇମବ୍ରାଞ୍ଚର ଖଣ୍ଡନ

ଭୁବନେଶ୍ୱର – ମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ଆମେରିକୀୟ ତଦନ୍ତ ଏଜେନ୍ସୀ ଏଫବିଆଇର ସହାୟତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖା ଯାଇନଥିଲା ବୋଲି କିଛି ଗଣମାଧ୍ୟମରେ ପ୍ରସାରିତ ଖବର ସଂପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କ୍ରାଇମବ୍ରାଞ୍ଚ କହିଛି । ଏହି ମାମଲାରେ ୩୬୦ ଡିଗ୍ରୀ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ । ମାମଲାରେ ଏଫବିଆଇର ସହାୟତା ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟକୁ ଚିଠି ମଧ୍ୟ ଲେଖାଯାଇଥିଲା । ଚିଠି ଲେଖାନଯାଇଥିବା ନେଇ ଗଣମାଧ୍ୟମରେ ପ୍ରସାରିତ ଖବର ସଂପୂର୍ଣ୍ଣ ମିଛ, ଦାୟିତ୍ୱହୀନ ଓ ଉଦ୍ଦେଶ୍ୟମୂଳକ ବୋଲି କ୍ରାଇମବ୍ରାଞ୍ଚ କହିଛି । ଫେବ୍ରୁଆରୀ ୨୨ରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଥିଲା ରାଜ୍ୟ ସରକାରଙ୍କ ଗୃହ ବିଭାଗ । ୧୮୭/C/୨୨.୦୨.୨୦୨୩ ନମ୍ବର ଚିଠିରେ କେନ୍ଦ୍ରକୁ ଅନୁରୋଧ କରାଯାଇ ଏଫବିଆଇ ସହାୟତା ମଗାଯାଇଥିଲା । ଗୃହ ମନ୍ତ୍ରାଳୟ ଜରିଆରେ ଏଫବିଆଇ ଳ ସହାୟତା ମଗାଯାଇଥିଲା । ପୂର୍ବରୁ ମଧ୍ୟ ଏଫ ବିଆଇ ବିଭିନ୍ନ ଘଟଣାରେ ସହାୟତା କରିଛି ।

ଚିଠି ଲେଖା ଯାଇନଥିବା ଭଳି ଅସମର୍ଥିତ ଖବର ପ୍ରସାରଣ ନକରିବାକୁ କ୍ରାଇମବ୍ରାଞ୍ଚ ପ୍ରେସ ରିଲିଜ ଜରିଆରେ ଅନୁରୋଧ କରିଛି । ତଦନ୍ତ ସମୟରେ ନବକିଶୋର ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ମାନସିକ ଅସୁସ୍ଥତା ପାଇଁ ଔଷଧ ଖାଉଥିଲେ ବୋଲି ପରିବାର ଲୋକେ କହିଥିଲେ । ଏହା ପରେ ତାଙ୍କର ଚିତ୍କିସା କରାଯାଇଥିଲା । ଡାକ୍ତରୀ ବିଶେଷଜ୍ଞ ଦଳ ଗୋପାଳଙ୍କୁ ମାନସିକ ସୁସ୍ଥ ବୋଲି ଦର୍ଶାଇଥିଲେ ମଧ୍ଯ ଅଧିକ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ । ଯେହେତୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଓ ସମ୍ବେଦନଶୀଳ ମାମଲା । ତେଣୁ ଏକ୍ସପର୍ଟଙ୍କ ମତାମତ ତଦନ୍ତ ପାଇଁ ନିଆଯାଇଥିଲା ।

ଭାରତ ସରକାରଙ୍କ ଦିଲ୍ଲୀରେ ଥିବା କ୍ରେନ୍ଦ୍ରୀୟ ପରୀକ୍ଷା ଗାର, ଗୁଜୁରାଟର ଫରେନସିକ ଲାବ ଓ କଟକ ଏସସିବି ମେଡିକାଲ କଲେଜର ସହାୟତା ନିଆଯାଇଥିଲା ।

ଯେହେତୁ ରାଜ୍ୟ ସରକାର କୌଣସି ବିଦେଶୀ ଏଜେନ୍ସୀକୁ ସିଧାସଳଖ ଅନୁରୋଧ କରିପାରିବେ ନାହିଁ । ତେଣୁ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ସାହାଯ୍ୟ ଲୋଡା ଯାଇଥିଲା ବୋଲି କ୍ରାଇମବ୍ରାଞ୍ଚ ସ୍ପଷ୍ଟୀକରଣ ଦେଇଛି ।