ବ୍ରହ୍ମପୁର: କିଛି ବର୍ଷ ତଳର କଥା। ବ୍ରହ୍ମପୁର ଷ୍ଟାଡିୟମ୍ରେ ଆୟୋଜିତ ହୋଇଥାଏ ସ୍କୁଲସ୍ତରୀୟ ରାଜ୍ୟ ଖେଳକୁଦ ପ୍ରତିଯୋଗିତା। ବିଭିନ୍ନ ଜିଲ୍ଲାରୁ ବହୁ ବାଳକ ବାଳିକା ଉତ୍ସାହର ସହ ଅଂଶଗ୍ରହଣ କରିଥାନ୍ତି। ଉଦ୍ଯାପନୀ କାର୍ଯ୍ୟକ୍ରମ ଅପରାହ୍ଣରେ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ପୁରସ୍କାର ବିତରଣ ସମାରୋହ ସରିବା ପରେ ମଞ୍ଚ ଉପରେ ମୁଖ୍ୟ ଅତିଥି ଓ ଅନ୍ୟମାନେ ଉପସ୍ଥିତ ଥାଆନ୍ତି । ଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସଜବାଜ ଚାଲିଥାଏ। କ୍ରୀଡ଼ାବିତ୍ମାନେ ସାହାସ ଜୁଟାଇ ମୁଖ୍ୟ ଅତିଥିଙ୍କୁ ଅନୁରୋଧ କଲେ ମଞ୍ଚ ଉପରେ ତାଙ୍କ ସହ ପାଦରେ ପାଦ ମିଳାଇ ଟିକେ ନୃତ୍ୟରେ ସାମିଲ ହୁଅନ୍ତୁ। ପିଲାଙ୍କ ଆଗ୍ରହ ସେତେବେଳେ ଦ୍ଵିଗୁଣିତ ହୋଇଯାଇଥିଲା ଯେତେବେଳ ବିନା ଦ୍ବିଧାରେ ମୁଖ୍ୟ ଅତିଥି ସମ୍ମତି ଦେଇଥିଲେ। କେବଳ ସେତିକି ନୁହେଁ ପିଲାଙ୍କ ଅନୁରୋଧ ରକ୍ଷା କରିବା ସହ ନିଜ ଆଡୁ ରାଜ୍ୟ ଓ ଜାତିର ଆଗାମୀ ପିଢ଼ି ତଥା ଭବିଷ୍ୟତର ଉଦୀୟମାନ କ୍ରୀଡ଼ାବିତ୍ଙ୍କ ସହ ସେ ବି ହସଖୁସିରେ ମଉଜ ମଜଲିସରେ ସାମିଲ୍ ହୋଇଥିଲେ। ମଞ୍ଚ ଉପରେ ମୁଖ୍ୟ ଅତିଥିଙ୍କୁ ପିଲାଙ୍କ ସହ ଆନନ୍ଦ ମନରେ ନାଚିବା ଦେଖି ସମସ୍ତଙ୍କ ମୁହଁରେ ସ୍ମିତହାସ୍ୟ ଓ ଆନନ୍ଦ ଭାବ ଫୁଟି ଉଠିଥିଲା।
ସେହି ମୁଖ୍ୟ ଅତିଥି ଜଣକ ଥିଲେ ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ବା ୫ଟି ସଚିବ ଥିବା ଭି.କାର୍ତ୍ତିକେୟ ପାଣ୍ଡିଆନ। ସ୍ଵାଭିମାନ ସମ୍ପନ୍ନ ଅଥଚ ଆତ୍ମବଡ଼ିମା ଠାରୁ ବେଶ୍ ଦୂରରେ ଏକ ସରଳ, ସାଦାସିଧା ଜୀବନ ଜୀଇଁବାକୁ ପସନ୍ଦ କରୁଥିବା ଏଇ ପ୍ରଶାସନିକ ଅଧିକାରୀଙ୍କ ଗଞ୍ଜାମ ଜିଲ୍ଲାପାଳ ଭାବେ କାର୍ଯ୍ୟକାଳ ପ୍ରଗତିର ଏକ ଦୀର୍ଘ ପଥକୁ ସୂଚାଇଥାଏ। ତାଙ୍କର ସେହି ସରଳ, ଆମାୟିକ ତଥା ସଦିଚ୍ଛା ଭାବ ଆଜି ବି ଅନେକଙ୍କୁ ଅନୁପ୍ରାଣିତ କରିଥାଏ। ସଦା ହସ ହସ ମୁହଁ ଓ ପ୍ରସନ୍ନ ଚିତ୍ତ ସହ ଦେଖିବାକୁ ମିଳୁଥିବା ଏହି ଆଇଏଏସ୍ ଜଣକ ଅନ୍ୟମାନଙ୍କ ମୁହଁ, ମନ ଓ ହୃଦୟରେ ମଧ୍ୟ ହସ, ତୃପ୍ତି, ସନ୍ତୋଷ ଆଣିବା କୌଶଳ ବେଶ୍ ଜାଣନ୍ତି। ଜଣେ ପ୍ରଶାସକ ଭାବେ କେବଳ ଯେ ସମସ୍ୟାର ସମାଧାନ ପନ୍ଥା ବାହାର କରିବା କିମ୍ବା ଦୁଃଖୀଙ୍କ କଷ୍ଟ ଲାଘବ କରିବାରେ ସେ ନିଜକୁ ସୀମିତ ରଖିଛନ୍ତି ତା ନୁହେଁ, ବରଂ ଜଣେ ଦୂରଦୃଷ୍ଟି ସମ୍ପନ୍ନ, ସ୍ବର୍ଣ୍ଣିମ ଭବିଷ୍ୟତକୁ ନଜରରେ ରଖି ବର୍ତ୍ତମାନ ଠାରୁ ନିରନ୍ତର ଓ ଯୋଜନାବଦ୍ଧ ପ୍ରୟାସ କରିବାର ପନ୍ଥାକୁ ଆପଣାଇ ଆମ ରାଜ୍ୟ ତଥା ଏ ଓଡ଼ିଆ ଜାତିକୁ ଆଗକୁ ବଢ଼ାଇ ନେବା ତଥା ବିଶ୍ଵ ଦରବାରରେ ସୁନାମ ଅର୍ଜନ କରିବା, ସୁପ୍ରତିଷ୍ଠିତ କରିବା ପାଇଁ ସେ ଦିନରାତି, ମାସ ଓ ବର୍ଷତମାମ ନିଃସ୍ବାର୍ଥପର ଭାବେ କାର୍ଯ୍ୟରତ। ତାଙ୍କରି ସେଇ ଉଦ୍ୟମ ଲାଗି ଆଜି ରାଜ୍ୟବାସୀ ଓ ସେମାନଙ୍କ ପରିଜନ ଜନ୍ମ ପୂର୍ବରୁ ଆରମ୍ଭ କରି ମରଣ ପର ପର୍ଯ୍ୟନ୍ତ ଯାବତୀୟ ସରକାରୀ ସୁବିଧା ସୁଯୋଗ ହାତ ପାଆନ୍ତାରେ ପାଇ ପାରୁଛନ୍ତି। ବିପର୍ଯ୍ୟୟ ପରିଚାଳନା ହେଉ କି ମହିଳା ସଶକ୍ତୀକରଣ, କ୍ରୀଡ଼ା କ୍ଷେତ୍ର ହେଉ ବା ଆଧ୍ୟାତ୍ମିକ ପୀଠ ଅଥବା ପର୍ଯ୍ୟଟନସ୍ଥଳୀର ଉନ୍ନତି, ସମସ୍ତଙ୍କୁ ସୁଲଭ ସ୍ବାସ୍ଥ୍ୟ ସେବା ହେଉ ବା ହାଇସ୍କୁଲସ୍ତରରୁ ଉନ୍ନତ ଯୁଗପଯୋଗୀ ଶିକ୍ଷା, ବିକାଶର ଏମିତି କୋଉ ଗୋଟିଏ ଦିଗ ନାହିଁ ଯେଉଁଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଶକ୍ତ, ସକ୍ଷମ ଓଡ଼ିଶାର ସ୍ବପ୍ନକୁ ସାକାର କରିବା ପାଇଁ ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ଆନ୍ତରିକ ପ୍ରଚେଷ୍ଟାର ଛାପ ଛାଡ଼ି ଯାଇନାହାନ୍ତି।
ତେବେ ଏହା କେବଳ ଆଜିର କଥା ନୁହେଁ, ବରଂ ଗଞ୍ଜାମ ଜିଲ୍ଲାପାଳ ଭାବେ ତାଙ୍କ ୪ ବର୍ଷର କାର୍ଯ୍ୟକାଳ ଦେଖିଲେ ସେଥିରୁ ସ୍ପଷ୍ଟ ହୋଇଯାଏ। ୨୦୦୭ ମସିହା ଏପ୍ରିଲ୍ ୯ ତାରିଖରେ ରାଜ୍ୟର କ୍ଷେତ୍ରଫଳ ଦୃଷ୍ଟିରୁ ବୃହତ୍ ଜିଲ୍ଲା ମୟୁରଭଞ୍ଜରୁ ଆସି ରାଜ୍ୟର ଅନ୍ୟତମ ଜନବହୁଳ ଓ ବିଶାଳ ଇଲାକା ବିଶିଷ୍ଟ ଜିଲ୍ଲା ଗଞ୍ଜାମର ଜିଲ୍ଲାପାଳ ଭାବେ ସେ ଦାୟିତ୍ଵ ଗ୍ରହଣ କରିଥିଲେ। ସେତେବେଳେ ଜିଲ୍ଲାର ପ୍ରମୁଖ ସହର ବ୍ରହ୍ମପୁରରେ ଚାଲିଥାଏ ଠାକୁରାଣୀ ଯାତ୍ରା। ଖରାଦିନେ ସେତେବେଳେ ବ୍ରହ୍ମପୁରରେ ଗୋଟିଏ ପଟେ ଜଳସଙ୍କଟ, ଆରପଟେ ଯାତ୍ରା ବେଳେ ଭକ୍ତଙ୍କ ପ୍ରବଳ ଭିଡ଼। ତଥାପି ନିଜ ବୁଦ୍ଧିମତାର ପରିଚୟ ଦେଇ ବ୍ରହ୍ମପୁରର ଆରାଧ୍ୟା ଦେବୀ ମା’ ବୁଢ଼ି ଠାକୁରାଣୀଙ୍କ ଯାତ୍ରାକୁ ସୂଚାରୁ ରୂପେ ସମ୍ପନ୍ନ କରାଇ ଥିଲେ। ତା ପର ଥର ଅର୍ଥାତ୍ ୨୦୦୯ ମସିହାରେ ମଧ୍ୟ ସମାନ ଢଙ୍ଗରେ ଯାତ୍ରା ସୁପରିଚାଳିତ ହୋଇଥିଲା। ଦ୍ଵିତୀୟତଃ, ଦୀର୍ଘ ବର୍ଷ ହେଲା ବ୍ରହ୍ମପୁରବାସୀ ଭୋଗି ଆସୁଥିବା ପାନୀୟ ଜଳସଙ୍କଟ ଦୂର କରିବା ପାଇଁ ସେ ଯୋଜନାବଦ୍ଧ ଭାବେ ପ୍ରୟାସ କରିଥିଲେ। ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟର ଫଳ ଏୟା ହୋଇଛି ଯେ କେବଳ ଆଜି ନୁହେଁ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ବ୍ରହ୍ମପୁରବାସୀଙ୍କୁ ଆଉ ଜଳସଙ୍କଟର କାଣିଚାଏ ମଧ୍ୟ ଦେଖିବାକୁ, ଭୋଗିବାକୁ ମିଳିବନି। ମୁଖ୍ୟମନ୍ତ୍ରୀଙ୍କ ହାତରେ ବ୍ରହ୍ମପୁରକୁ ଭେଟି ମିଳିଛି ଜାନିବିଲି ବୃହତ୍ ପାନୀୟ ଜଳ ପ୍ରକଳ୍ପ ରୂପରେ ଉପହାର। ପୁଣି ନିକଟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଛେଳିଗଡ଼ ଜଳପ୍ରକଳ୍ପ କାର୍ଯ୍ୟ ମଧ୍ୟ ସମୀକ୍ଷା କରି ପ୍ରକଳ୍ପକୁ ତ୍ବରାନ୍ବିତ କରିଛନ୍ତି ୫ଟି ସଚିବ। ସେଠାରୁ ମଧ୍ୟ ବ୍ରହ୍ମପୁରକୁ ପାନୀୟ ଜଳ ମିଳିବାକୁ ଯାଉଛି। ଆଜି ଜଳ ସମସ୍ୟା ସମସ୍ତ ଗଞ୍ଜାମ ଜିଲ୍ଲାର ବାସିନ୍ଦାଙ୍କ ପାଇଁ କେବଳ ଇତିହାସ ହୋଇ ରହି ଯାଇଛି।
ଦକ୍ଷିଣ ଓଡ଼ିଶାର ଭକ୍ତଜନଙ୍କ ଆରାଧ୍ୟା ମା’ ତାରାତାରିଣୀ। ଆଜିକୁ ପ୍ରାୟ ଦୁଇ ଦଶନ୍ଧି ତଳେ ପୁରୁଷୋତ୍ତମପୁର ନିକଟ ରଷିକୁଲ୍ୟା ନଦୀତଟରେ କୁମାରୀ ପର୍ବତ ଉପରେ ଏକ ଛୋଟ ମନ୍ଦିରରେ ପୂଜା ପାଉଥିଲେ ଦେବୀ। ଯଦିଓ ହଜାର ହଜାର ଭକ୍ତ ଦେବୀଙ୍କ ସ୍ବତନ୍ତ୍ର ପୂଜା ପାର୍ବଣ ବେଳେ ଛୁଟି ଆସୁଥିଲେ, ହେଲେ ସେମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ଅଭାବ ତ ପରିଲକ୍ଷିତ ହେଉଥିଲା। ଜିଲ୍ଲାପାଳ ଭାବେ ତାରାତାରିଣୀ ପୀଠକୁ ଏକ ଅନ୍ତର୍ଜାତୀୟସ୍ତରର ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବାକୁ ଚିନ୍ତା କରିଥିଲେ ଭି.କେ.ପାଣ୍ଡିଆନ। ନୂତନ ଭବ୍ୟ ମନ୍ଦିରର ନିର୍ମାଣର ଭୂମି ପୂଜା ବେଳେ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ। ଏହା ତାଙ୍କରି ନିଷ୍ଠାପର ପ୍ରୟାସ ଥିଲା ଯେ କେବଳ ଜିଲ୍ଲା ନୁହେଁ ରାଜ୍ୟର ହଜାର ହଜାର ଭକ୍ତ ନିଜ ଶକ୍ତି ମୁତାବକ ମନ୍ଦିରର ଉନ୍ନୟନ କାର୍ଯ୍ୟ ପାଇଁ ଶ୍ରଦ୍ଧାର ସହ ଅର୍ଥଦାନ କରିଥିଲେ। ଲୋକଙ୍କ ଅର୍ଥରେ ଆରମ୍ଭ ହୋଇଥିଲା ମନ୍ଦିରର ନବକଳେବର। ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶକ୍ରମେ ଓ ତାଙ୍କ ସଚିବ ଥିବା ପାଣ୍ଡିଆନଙ୍କ ତତ୍ତ୍ଵାବଧାନରେ ୧୦୦ କୋଟିରୁ ଅଧିକ ଟଙ୍କାର ସରକାରୀ ଅନୁଦାନ ମିଳିଥିଲା। ଆଜି ଯେକେହି ରୂପାନ୍ତରିତ ତାରାତାରିଣୀ ମନ୍ଦିରକୁ ଦେଖିବ ସେ ଯେ ଆଶ୍ଚର୍ଯ୍ୟଚକିତ ହୋଇ ରହିଯିବ ତାହା ନିଶ୍ଚିତ। ଓଡ଼ିଆ କଳା, କାରୁକାର୍ଯ୍ୟ ଓ ସ୍ଥାପତ୍ୟ କଳାର ଅନନ୍ୟ ନିଦର୍ଶନ ପାଲଟିଛି ଏହି ପୀଠ। ପୁଣି ଆଗାମୀ ଦିନରେ ରଷିକୁଲ୍ୟା ତଟର ଭବ୍ୟ ସୌନ୍ଦର୍ଯ୍ୟକରଣ ଯୋଜନା ମଧ୍ୟ କାର୍ଯ୍ୟକାରୀ ହୋଇ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଅଧିକରୁ ଅଧିକ ଆକୃଷ୍ଟ କରିବାକୁ ଯାଉଛି। କେବଳ ସେତିକି ନୁହେଁ, ବ୍ରହ୍ମପୁରର ଆରାଧ୍ୟା ମା’ ବୁଢ଼ି ଠାକୁରାଣୀଙ୍କ ମନ୍ଦିର ମଧ୍ୟ ବିକାଶର ବ୍ଲୁପ୍ରିଣ୍ଟ୍ରେ ସ୍ଥାନ ପାଇଛି। ଶୀଘ୍ର ଏହି ମନ୍ଦିରର ନବୀକରଣ ହୋଇ ରାଜ୍ୟର ଅନ୍ୟାନ୍ୟ ଶକ୍ତିପୀଠ ଭଳି ଏହି ସ୍ଥାନ ମଧ୍ୟ ଆକର୍ଷଣୀୟ ମନ୍ଦିରର ରୂପ ନେବ। ନିକଟରେ ଠାକୁରାଣୀ ଯାତ୍ରା ଦର୍ଶନ ବେଳେ ଭି.କେ.ପାଣ୍ଡିଆନ ତାଙ୍କର ଏଠି ଜିଲ୍ଲାପାଳ କାର୍ଯ୍ୟକାଳ ସମୟର ସ୍ମୃତିଚାରଣ କରି ଏହି ସଙ୍କେତ ଦେଇଛନ୍ତି।
ଗଞ୍ଜାମ ଜିଲ୍ଲାପାଳ ଭାବେ ପାଣ୍ଡିଆନଙ୍କ ଆଉ ଏକ କାର୍ଯ୍ୟ ଚିରକାଳ ସ୍ମରଣୀୟ ରହିବ। ଯେମିତିକି ସମସ୍ତଙ୍କୁ ଜଣା ଯେ ଗଞ୍ଜାମ ହେଉଛି ଦେଶର ଟପ୍- ୧୦ ତଥା ରାଜ୍ୟର ସର୍ବାଧିକ ଏଡ୍ସ୍ପ୍ରବଣ ଜିଲ୍ଲା। ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇ ସେଠାରୁ ଏଚ୍ଆଇଭି- ଏଡ୍ସ୍ ସଂକ୍ରମିତ ହୋଇ ଫେରୁଥିବା ଲୋକଙ୍କ ସମେତ ବିଭିନ୍ନ କାରଣରୁ ଜିଲ୍ଲାରେ ଏଡ୍ସ୍ ବ୍ୟାଧି ଏକ ସ୍ବାସ୍ଥ୍ୟ ସଙ୍କଟ ରୂପେ ରହି ଆସିଛି। ତେବେ ଅନେକ ଛୁଆ ଯେଉଁମାନଙ୍କ ମାତା କିମ୍ବା ପିତା କିମ୍ବା ଉଭୟେ କୌଣସି କାରଣରୁ ଏଡ୍ସ୍ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ, ସେମାନଙ୍କ ଅନାଥ ଓ ଅବୋଧ ଶିଶୁ ଏକ ସମ୍ବେଦନଶୀଳ ତଥା ଦୟନୀୟ ଅବସ୍ଥାରେ ପହଞ୍ଚି ଯାଇଥାନ୍ତି। ଏପରିକି ନିଜ ପରିବାର ଲୋକ ମଧ୍ୟ ସେମାନଙ୍କୁ ଆପଣାଇବାକୁ ପଛଘୁଞ୍ଚା ଦେଇଥାନ୍ତି । ସେଭଳି ନିଷ୍ପାପ ଓ ଅନାଥ ଶିଶୁଙ୍କ ପାଇଁ ପାଣ୍ଡିଆନ ଗୋପାଳପୁର ଠାରେ ଆରମ୍ଭ କରିଥିଲେ ଶ୍ରଦ୍ଧା ସଞ୍ଜୀବନି। ଏଭଳି ପିଲାଙ୍କ କେବଳ ଯେ ଉପଯୁକ୍ତ ଯତ୍ନ ନିଆଯାଉଛି ତା ନୁହେଁ, ବରଂ ସେମାନଙ୍କୁ ଶିକ୍ଷା ଓ ତାଲିମ ଜରିଆରେ ଆତ୍ମନିର୍ଭରଶୀଳ କରି ନିଜ ଗୋଡ଼ରେ ଠିଆ ହୋଇ ନିଜ ଭବିଷ୍ୟତ ଗଢ଼ିବାକୁ ଦକ୍ଷ କରି ଗଢ଼ି ତୋଳାଯାଉଛି। ସେଥିପାଇଁ ତ ଏହି ଆଶ୍ରମର ଅନ୍ତେବାସୀଙ୍କ ପାଇଁ ପାଣ୍ଡିଆନ୍ ଜଣେ ଦେବଦୂତ ଠାରୁ କମ୍ ନୁହଁନ୍ତି। ଉକ୍ତ ଆଶ୍ରମର ଜଣେ ଅନ୍ତବାସିନୀ ଯିଏକି ବ୍ରହ୍ମପୁର ସରକାରୀ ଆଇଟିଆଇରେ ଦ୍ବିତୀୟ ବର୍ଷ ଛାତ୍ରୀ ଅଟନ୍ତି ନିକଟରେ ସେ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଉଦଘାଟନ ବେଳେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ବିଦେଶ ଯାତ୍ରା କରିଥିଲେ। ସେଠି ବିଭିନ୍ନ ସ୍ଥାନ ପରିଭ୍ରମଣ କରି ଜ୍ଞାନ ଆହରଣ ସୁଯୋଗ ପାଇଥିଲେ। ପଢ଼ା ଶେଷ ହୋଇନଥିବା ସତ୍ତ୍ବେ ସେ କ୍ୟାମ୍ପସ୍ ଚୟନରେ ନିଯୁକ୍ତି ପାଇପାରିଛନ୍ତି। ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ତାଙ୍କୁ ଏକ୍ସପୋଜର୍ ଭିଜିଟ୍ ନିମନ୍ତେ ସୁଯୋଗ ମିଳିଥିଲା। ତାଙ୍କର ଏହି ଅନନ୍ୟ ଯାତ୍ରା ପଛରେ ବି ରହିଛି ୫ଟି ସଚିବଙ୍କ ପ୍ରୟାସର ନିଆରା ଉଦାହରଣ ।
ଦାଦନ ସମସ୍ୟା ଲାଗି ଅପଯଶ ଆପଣାଇଥିଲା ଗଞ୍ଜାମ। କର୍ମନିଯୁକ୍ତି ଅଭାବରୁ ଏହି ଜିଲ୍ଲାର ଲୋକେ ଗୁଜରାଟର ସୁରଟ, ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡୁ ଆଦି ରାଜ୍ୟକୁ ମଜୁରୀ ଖଟିବାକୁ ଯାଉଥିଲେ। ହେଲେ ଏହା ପାଣ୍ଡିଆନଙ୍କ କରିସ୍ମା ଥିଲା ଯେ ମନରେଗାକୁ ସଫଳତାର ସହ କାର୍ଯ୍ୟକାରୀ କରାଇ କେବଳ ଯେ ଦାଦନ ସମସ୍ୟାକୁ ହ୍ରାସ କରିଥିଲେ ଓ ଲୋକଙ୍କୁ ନିଜ ଅଞ୍ଚଳରେ କର୍ମନିଯୁକ୍ତି ସୁଯୋଗ ଦେଇଥିଲେ ତା ସହ ୨୦୦୮ ମସିହାରେ ଗଞ୍ଜାମ ଦେଶରେ ମନରେଗା କାର୍ଯ୍ୟକାରିତାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ପୁରସ୍କୃତ ହୋଇଥିଲା। ଆହୁରି ମଧ୍ୟ ଋଗଣପ୍ରାୟ ଅବସ୍ଥାକୁ ଆସି ଯାଇଥିବା ଆସିକା ଚିନିକଳର ପୁନରୁଦ୍ଧାର କରି ସେ ଜିଲ୍ଲାର ଆଖୁଚାଷୀଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କରିବା ସହ ଶିଳ୍ପାୟନ ଦିଗରେ ଗଞ୍ଜାମ ଜିଲ୍ଲାକୁ ଆଉ ଏକ ସୁଯୋଗ ଆଣି ଦେଇଥିଲେ।
ଜଣେ ପ୍ରଶାସନିକ ଅଧିକାରୀ ବା ଜିଲ୍ଲାପାଳ ଭାବେ ଆଇନଶୃଙ୍ଖଳା କିମ୍ବା ମାଓ ମୁକାବିଲା କ୍ଷେତ୍ରରେ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ହେଲେ ଜଣେ ସମ୍ବେଦନଶୀଳ ଓ ଦକ୍ଷ ନେତୃତ୍ବସମ୍ପନ୍ନ ପ୍ରଶାସକ ଭାବେ ନିଜ ଦାୟିତ୍ୱ ନିର୍ବାହର ଅଦ୍ବିତୀୟ ପରାକାଷ୍ଠା ସେ ଦେଖାଇଥିଲେ ଯେତେବେଳେ ମାଓବାଦୀମାନେ ପଡ଼ୋଶୀ ନୟାଗଡ଼ ଜିଲ୍ଲାରେ ରକ୍ତପାତ ଘଟାଇବା ପରେ ଗଞ୍ଜାମ ଜିଲ୍ଲା ସୀମାରେ ପଶି ଭଞ୍ଜନଗର ନିକଟ ଗସମା ଜଙ୍ଗଲରେ ପୋଲିସ ବାହିନୀ ସହ ମୁହାଁମୁହିଁ ହୋଇଥିଲେ। ପାଣ୍ଡିଆନ ଜିଲ୍ଲାପାଳ ଭାବେ ଭଞ୍ଜନଗର ସହରରେ ଉପସ୍ଥିତ ରହି ପୋଲିସ ବାହିନୀର କେବଳ ଯେ ସାହାସ ବୃଦ୍ଧି କରିଥିଲେ ତା ନୁହେଁ ବରଂ ମୃତାହତ ପୋଲିସ କର୍ମୀଙ୍କ ପରିବାର ପ୍ରତି ସମ୍ମାନ ଓ ସମ୍ବେଦନା ଜଣାଇ ଉପଯୁକ୍ତ ଦାୟିତ୍ବ ସମ୍ପାଦନ କରିଥିଲେ। କେବଳ ଜିଲ୍ଲାପାଳ ଥିବା ସମୟରେ ନୂହେଁ, ପରବର୍ତ୍ତୀ ସମୟରେ ମଧ୍ୟ ପାଣ୍ଡିଆନଙ୍କ ଯୋଗୁଁ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ଵ କରୁଥିବା ଗଞ୍ଜାମ ଜିଲ୍ଲା ସେ ହାଇସ୍କୁଲ ରୂପାନ୍ତରୀକରଣ ହେଉ ବା ସ୍ଵାସ୍ଥ୍ୟସେବାର ବିକାଶ ହେଉ, କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ହେଉ ବା ମିଶନ୍ ଶକ୍ତି ଜରିଆରେ ଏସ୍ଏଚ୍ଜି ଗୋଷ୍ଠୀଙ୍କୁ ଆର୍ଥିକ ସ୍ଵାବଲମ୍ବୀ ଓ ସାମାଜିକ ସଶକ୍ତ କରିବା ହେଉ, ପ୍ରତିଟି କ୍ଷେତ୍ରରେ ବିକାଶର ମଡେଲ୍ ସାଜି ଦ୍ରୁତ ଗତିରେ ଉନ୍ନତିର ଦୂରତା ଅତିକ୍ରମ କରିବାରେ ଲାଗିଛି। ସେଥିପାଇଁ ତ ଆଜି ଭିତ୍ତିଭୂମି କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଅନ୍ୟ ଜିଲ୍ଲା ତଥା ଅନ୍ୟ ରାଜ୍ୟ ପାଇଁ ଏକ ଉଦାହରଣ ଭାବେ ନିଜକୁ ପ୍ରସ୍ତୁତ କରିପାରିଛି। ଏଠାକୁ ବିଭିନ୍ନ ବର୍ଗର ଲୋକ ଆସି ବିକାଶର ନମୁନା ଦେଖୁଛନ୍ତି, ନିଜ ଅଞ୍ଚଳରେ ତାହାର ସଫଳ ପ୍ରୟୋଗ କରିବାକୁ ଶିକ୍ଷା ଗ୍ରହଣ କରୁଛନ୍ତି।