ଗଞ୍ଜାମ ଜିଲ୍ଲାର ୨୨୮ ପଞ୍ଚାୟତକୁ ମିଳିଲା ବୃହତ୍ ପାନୀୟ ଜଳ ପ୍ରକଳ୍ପ  | News Room Odisha

ଗଞ୍ଜାମ ଜିଲ୍ଲାର ୨୨୮ ପଞ୍ଚାୟତକୁ ମିଳିଲା ବୃହତ୍ ପାନୀୟ ଜଳ ପ୍ରକଳ୍ପ 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ୧୨ଟି ବ୍ଲକ୍ ଅନ୍ତର୍ଗତ ୨୨୮ଟି ପଞ୍ଚାୟତ ବୃହତ୍ ପାନୀୟ ଜଳ ପ୍ରକଳ୍ପରେ ସାମିଲ ହୋଇଛନ୍ତି। ଆଗାମୀ ୨୪ ମାସ ମଧ୍ୟରେ ଏହି ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ କରାଯିବ। ଫଳରେ ୯ ଲକ୍ଷ ୯୨ ହଜାରରୁ ଅଧିକ ଲୋକଙ୍କ ପାଖରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚି ପାରିବ। ଖରା ଦିନ ହେଉ ଅବା ବର୍ଷା ଅଥବା ଶୀତ ଋତୁ ଲୋକଙ୍କୁ ଆଉ ଜଳ କଷ୍ଟ ଭୋଗିବାକୁ ପଡ଼ିବ ନାହିଁ। ଘରକୁ ହିଁ ଜଳଯୋଗାଣ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ଅନୁମୋଦନ ଦେଇଛନ୍ତି।

ଜଗନ୍ନାଥପ୍ରସାଦ ବ୍ଲକ୍ ଅନ୍ତର୍ଗତ ୨୪ଟି ପଞ୍ଚାୟତର ୮୬ଟି ଗ୍ରାମ, ସୋରଡ଼ା ବ୍ଲକ୍ ଅନ୍ତର୍ଗତ ୨୩ଟି ପଞ୍ଚାୟତର ୧୨୦ଟି ଗାଁ, ଭଞ୍ଜନଗର ବ୍ଲକ୍ ଅନ୍ତର୍ଗତ ୨୩ଟି ପଞ୍ଚାୟତର ୮୮ଟି ଗ୍ରାମ, ପୋଲସରା ବ୍ଲକ୍ ଅନ୍ତର୍ଗତ ୨୨ଟି ପଞ୍ଚାୟତର ୫୫ଟି ଗ୍ରାମ, ଆସିକା ବ୍ଲକ୍ ଅନ୍ତର୍ଗତ ୨୨ଟି ପଞ୍ଚାୟତର ୪୬ଟି ଗ୍ରାମ, ଧରାକୋଟ ବ୍ଲକ୍ ଅନ୍ତର୍ଗତ ୨୦ଟି ପଞ୍ଚାୟତର ୧୯୦ଟି ଗାଁ, ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ୧୯ଟି ପଞ୍ଚାୟତର ୫୯ଟି ଗ୍ରାମ, ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ୧୯ଟି ପଞ୍ଚାୟତର ୪୩ଟି ଗ୍ରାମ, ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ୧୮ଟି ପଞ୍ଚାୟତର ୬୩ଟି ଗ୍ରାମ, ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ୧୮ଟି ପଞ୍ଚାୟତର ୪୪ଟି ଗ୍ରାମ, କବିସୂର୍ଯ୍ୟନଗର ବ୍ଲକ୍ ଅନ୍ତର୍ଗତ ୧୭ଟି ପଞ୍ଚାୟତର ୪୧ଟି ଗ୍ରାମ, ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ୩ଟି ପଞ୍ଚାୟତର ୨୬ଟି ଗ୍ରାମ ଏଥିରୁ ଲାଭବାନ ହୋଇପାରିବେ।

ବ୍ରହ୍ମପୁର ସ୍ଥିତ ଜିଲ୍ଲା ବିଜେଡି ଜିଲ୍ଲା ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦଳୀୟ ନେତୃବୃନ୍ଦ ଦେଇଛନ୍ତି। ଏହି ଅବସରରେ ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ଛତ୍ରପୁର ବିଧାୟକ ସୁବାସ ବେହେରା, ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳେଇ, ଡେପୁଟି ମେୟର୍ ଇ.ବିବେକ ରେଡ୍ଡୀ ଓ ଅନ୍ୟ ବହୁ ଦଳୀୟ ନେତୃବୃନ୍ଦ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଏଭଳି ପ୍ରକଳ୍ପ ଭେଟି ଦେଇଥିବାରୁ ସେମାନେ ତାଙ୍କୁ ଜନସାଧାରଣଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ମଧ୍ୟ ଜିଲ୍ଲାର ବିକାଶ ପ୍ରତି ଏଭଳି ନଜର ରଖି ଜିଲ୍ଲାବାସୀଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିବେ ବୋଲି ଆଶାବ୍ୟକ୍ତ କରିଛନ୍ତି।