ଜେଲ୍ ଗଲେ ବ୍ଲାଙ୍କ ଚେକ୍ ଜରିଆରେ ଲାଞ୍ଚ ନେଇଥିବା କରଞ୍ଜିଆ ତହସିଲଦାର | News Room Odisha

ଜେଲ୍ ଗଲେ ବ୍ଲାଙ୍କ ଚେକ୍ ଜରିଆରେ ଲାଞ୍ଚ ନେଇଥିବା କରଞ୍ଜିଆ ତହସିଲଦାର

ବାରିପଦା -୧୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିବା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତହସିଲଦାର ଚାର୍ଲ୍ସ ନାୟକଙ୍କୁ ଜେଲ୍ ପଠାଇ ଦିଆଯାଇଛି। କୋର୍ଟ ତାଙ୍କୁ ଜୁନ ୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ୨ଟି ବ୍ଲାଙ୍କ ଚେକ୍‌ ଜରିଆରେ ଲାଞ୍ଚ ନେଇଥିଲେ ଚାର୍ଲସ । ରାଜ୍ୟରେ ପ୍ରଥମ ଥର ପାଇଁ କୌଣସି ସରକାରୀ ଅଧିକାରୀ ବ୍ଲାଙ୍କ ଚେକ୍‌ରେ ଲାଞ୍ଚ ନେଇ ଧରାପଡ଼ିଛନ୍ତି।

ଭିଜିଲାନ୍ସ ଚଢ଼ାଉ ପରେ ତହସିଲଦାରଙ୍କ ୧ କୋଟି ୨୫ ଲକ୍ଷର ବ୍ୟାଙ୍କ ଜମା ଓ ଭଦ୍ରକରେ ୭୧ ଲକ୍ଷ ଟଙ୍କାର ୩ ମହଲା କୋଠା ମଧ୍ୟ ଠାବ ହୋଇଛି।

ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ -ଏନ୍‌ଏଚ୍‌ଆଇଏ ପକ୍ଷରୁ ଜମି ଅଧିଗ୍ରହଣ ବାବଦ ଚେକ୍ ପ୍ରଦାନ କରିବାକୁ ତହସିଲଦାର ଚାର୍ଲସ ନାୟକ ଜମି ହରାଇଥିବା ଜଣେ ବ୍ୟକ୍ତିଙ୍କୁ ୧୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଜମି ହରାଇଥିବା ସେହି ବ୍ୟକ୍ତିଙ୍କୁ କ୍ଷତିପୂରଣ ବାବଦକୁ ଏନ୍‌ଏଚ୍‌ଆଇଏ ୫୧ ଲକ୍ଷ ୭୫ ହଜାର ୮୧୦ ଟଙ୍କା ଦେଇଥିଲା । ତେବେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନଦେଲେ ସେହି ଟଙ୍କା ରିଲିଜ୍ କରିବେ ନାହିଁ ବୋଲି ତହସିଲଦାର ଚାର୍ଲସ ନାୟକ ତାଙ୍କୁ କହିଥିଲେ। ଦୁଇଟି ବ୍ଲାଙ୍କ ଚେକ୍‌ରେ ଏହି ଲାଞ୍ଚ ଅର୍ଥ ଦେବାକୁ ସେ କହିଥିଲେ। ସଂପୃକ୍ତ ବ୍ୟକ୍ତି ଜଣକ କୌଣସି ଉପାୟ ନ ପାଇ ତହସିଲଦାରଙ୍କ କହିବା ମୁତାବକ ୧୦ ଲକ୍ଷ ଓ ୨ ଲକ୍ଷ ଟଙ୍କାର ଦୁଇଟି ଚେକ୍ ଦେଇଥିଲେ ଯେଉଁଥିରେ ପେୟୀଙ୍କ ନାଁ ନଥିଲା ବା ସେହି ସ୍ଥାନଟି ଖାଲି ଥିଲା। ପରେ ତହସିଲଦାର ଅଥର ଅଲି ନାମକ ଜଣେ ସ୍ଥାନୀୟ ଠିକାଦାରଙ୍କୁ ସେହି ଦୁଇଟି ଚେକ୍ ଦେଇଥିଲେ। ଅଥର ଅଲି ଉକ୍ତ ଦୁଇଟି ଚେକ୍‌ର ପେୟୀଙ୍କ ସ୍ଥାନରେ ନିଜ ନାଁ ଲେଖି ସେଗୁଡ଼ିକୁ ବ୍ୟାଙ୍କରେ ଜମା କରିଥିଲେ।

ଏଣେ ତହସିଲଦାରଙ୍କ ବିରୋଧରେ ଭିଜିଲାନ୍ସରେ ଫେରାଦ ହୋଇଥିଲେ ସଂପୃକ୍ତ ବ୍ୟକ୍ତି । ଅଭିଯୋଗ ପାଇବା ପରେ ଭିଜିଲାନ୍ସର ପକ୍ଷରୁ ଗତକାଲି ଚାର୍ଲସ ନାୟକଙ୍କ କରଞ୍ଜିଆ ସ୍ଥିତ ସରକାରୀ ବାସଗୃହ, ଅଫିସ ଓ ଭଦ୍ରକ ସ୍ଥିତ ଘର ସମେତ ମୋଟ ୪ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ତହସିଲଦାର ଏହି ଲାଞ୍ଚ କାରବାରରେ ସଂପୃକ୍ତ ଥିବା ନେଇ ଯଥେଷ୍ଟ ପ୍ରମାଣ ପାଇବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା ।