ପାଠପଢା ଖର୍ଚ୍ଚ ପାଇଁ ମୂଲ ଲାଗୁଥିବା ମେଧାବୀ ବଣ୍ଡା ଛାତ୍ରୀଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ | News Room Odisha

ପାଠପଢା ଖର୍ଚ୍ଚ ପାଇଁ ମୂଲ ଲାଗୁଥିବା ମେଧାବୀ ବଣ୍ଡା ଛାତ୍ରୀଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ

ଭୁବନେଶ୍ୱର- ଆଦିମ ବଣ୍ଡା ଜନଜାତିର ମେଧାବୀ ଛାତ୍ରୀ କରମା ମୁଦୁଲିଙ୍କ ସଂଘର୍ଷ ସଂପର୍କରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ସହାୟତାର ହାତ ବଢ଼ାଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ। କରମାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଛି ଜିଲ୍ଲା ପ୍ରଶାସନ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଧ୍ୟ କରମାଙ୍କୁ ଯୋଗାଇ ଦିଆଯିବ ସହାୟତା ।

ରମାଦେବୀ ମହିଳା ବଶ୍ବବିଦ୍ୟାଳୟ ଛାତ୍ରୀ ହେଉଛନ୍ତି କରମା ମୁଦୁଲି । ୨୦୨୧-୨୨ ବର୍ଷରେ ମାଲକାନଗିରି ଜିଲ୍ଲାରେ ସେ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ଟପ୍ପର ହୋଇଥିଲେ । ଏକ ଦାତବ୍ୟ ଅନୁଷ୍ଠାନର ସହାୟତାରେ ସେ ଭୁବନେଶ୍ୱରର ରମାଦେବୀ ମହିଳା କଲେଜରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଏକ ଅତି ଗରିବ ବଣ୍ଡା ପରିବାରରୁ ଆସିଥିବା କରମା ପାଠପଢା ଖର୍ଚ୍ଚ ବହନ କରିବା ପାଇଁ ଖରାଛୁଟିରେ ମାଲକାନଗିରିରେ ଦିନ ମଜୁରିଆ ଭାବେ କାମ କରୁଥିଲେ । ଦିନକୁ ସେ ୨୨୦ ଟଙ୍କା ରୋଜଗାର କରୁଥିଲେ । ତେବେ ଏ ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ମେଧାବୀ ଛାତ୍ରୀ କରମାଙ୍କୁ ସହାୟତାର ସୁଅ ଛୁଟିବାରେ ଲାଗିଛି।