ଶେରଗଡ଼ବାସୀଙ୍କୁ ମୁଖ୍ଯମନ୍ତ୍ରୀଙ୍କ ରଥଯାତ୍ରା ଭେଟି: ପୁରୀକୁ ଏସି ବସ୍ ସେବା ଆରମ୍ଭ | News Room Odisha

ଶେରଗଡ଼ବାସୀଙ୍କୁ ମୁଖ୍ଯମନ୍ତ୍ରୀଙ୍କ ରଥଯାତ୍ରା ଭେଟି: ପୁରୀକୁ ଏସି ବସ୍ ସେବା ଆରମ୍ଭ

ଛତ୍ରପୁର: ଶେରଗଡ଼ ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରଥଯାତ୍ରା ଉପହାର ଭେଟି। ଓଏସ୍ଆରଟିସି ତରଫରୁ ଆରମ୍ଭ ହୋଇଛି ଶେରଗଡ଼ରୁ ପୁରୀକୁ ସିଧାସଳଖ ଏସି ବସ୍ ଚଳାଚଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଏହାର ଶୁଭାଋମ୍ଭ କରିଛନ୍ତି। ଏହାଦ୍ବାରା ସମଗ୍ର ଶେରଗଡ଼ର ଜନସାଧାରଣଙ୍କୁ ସୁବିଧା ହେବ। ବିଶେଷ କରି କାର୍ତ୍ତିକ ମାସରେ ଯାଉଥିବା ହବିଷ୍ଯାଳିମାନଙ୍କୁ ଅଧିକ ସୁବିଧା ହେବ।

ଏହାକୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ଶେରଗଡ଼ ଜନତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ- ହିଞ୍ଜିଳି ଆମ ରାଜ୍ଯର ଆଦର୍ଶ ନିର୍ବାଚନ ମଣ୍ଡଳୀ ତଥା ଶେରଗଡ଼ ଓ ହିଞ୍ଜିଳି ଆଦର୍ଶ ବ୍ଲକ୍ ହୋଇଛି। ଏଥିଯୋଗୁଁ ଗଞ୍ଜାମ ଜିଲ୍ଲା ଜାତୀୟସ୍ତରରେ ପୁରସ୍କୃତ ହୋଇଛି। ଏହା କେବଳ ଜନସାଧାରଣଙ୍କ ସହଯୋଗ ଓ ସଦିଛା ତଥା ଭଲ ପାଇବା ଯୋଗୁଁ ହୋଇଛି। ୫ଟି ଯୋଜନାର ସଫଳ ରୂପାୟନ ଏଠାରୁ ଆରମ୍ଭ ହୋଇ ଆଜି ୪୦୦୦ ହାଇସ୍କୁଲରେ ସଫଳତାର ସହ କାର୍ଯକାରୀ ହୋଇ ବିଶେଷ ଫଳପ୍ରଦ ହୋଇଛି। ଏବେ କିଛି ଦିନ ହେଲା ମନ୍ଦିରମାନଙ୍କ ବିକାଶ କାର୍ଯ୍ୟ ଆରମ୍ଭ କରାଯାଇଛି। ଆଗାମୀ ଦିନରେ ଆହୁରି ବିକାଶ କରାଯିବ ବୋଲି କହି ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ରାଜ୍ଯ ବିକାଶରେ ମୋ ସହ ହାତ ମିଳାନ୍ତୁ ବୋଲି ଆହ୍ବାନ ଦେଇଥିଲେ ସେ।

ଶେରଗଡ଼ ବ୍ଲକର ସଡ଼କ ଯୋଗାଯୋଗ କ୍ଷେତ୍ରରେ ଯୋଡ଼ି ହୋଇଛି ନୂଆ ଫର୍ଦ୍ଦ। ଶେରଗଡ଼ରୁ ଏହି ଶୀତତାପ ନିୟନ୍ତ୍ରିତ ସରକାରୀ ଓଏସ୍ଆରଟିଏସ ବସ୍ ସେବାକୁ ଭିଡିଓ କନଫରେନ୍ସିଂ ଜରିଆରେ ପତାକା ଦେଖାଇ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କ ସହ ଭର୍ଚୁଆଲରେ ଉପସ୍ଥିତ ଥିଲେ ୫ଟି ସଚିବ ଭି.କେ.ପାଣ୍ଡିଆନ। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆସିକା ସାଂସଦ ପ୍ରମିଳା ବିଷୋୟୀ ମଞ୍ଚାସୀନ ଥିଲେ। ଜିଲ୍ଲାପାଳ ତାଙ୍କ ସ୍ବାଗତ ଭାଷଣରେ କହିଥିଲେ ଯେ- ଶେରଗଡ଼ ମାଟି ହେଉଛି କଳା ସଂସ୍କୃତିର ମାଟି। ଏହି ଠାରୁ ପୁରୀ ଶ୍ରୀଜଗନ୍ନାଥ ଧାମକୁ ସିଧାସଳଖ ସରକାରୀ ବସ ସେବା ଜରିଆରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ନିମନ୍ତେ ଜଗାଦର୍ଶନ ଭେଟି ଦେଇଛନ୍ତି। ଏଣୁ ଶେରଗଡ଼ବାସୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁବାଦ ପ୍ରଦାନ କରୁଛୁ।

ଆସିକା ସାଂସଦ ପ୍ରମିଳା ବିଷୋୟୀ କହିଥିଲେ ଆମ ନବୀନ ବାବୁ ରାଜ୍ୟର ମହିଳାମାନଙ୍କ ପାଇଁ ଆଜି ଏକ ନମ୍ବର ମୁଖ୍ଯମନ୍ତ୍ରୀ ହୋଇ ପାରିଛନ୍ତି। ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ମୁଖ୍ଯମନ୍ତ୍ରୀ କରିବା। ଓଏସ୍ଆରଟିସି ସାଧାରଣ ପରିଚାଳକ ବିଶିକେଶନ ଦେଉରୀ ଧନ୍ଯବାଦ ଦେବା ଆଳରେ ଓଏସ୍ଆରଟିସି ପକ୍ଷରୁ ଶେରଗଡ଼ – ପୁରୀ ସିଧାସଳଖ ଏସି ବସ୍ ସେବା ଆରମ୍ଭ ଅଞ୍ଚଳବାସୀଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ୍, ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାଏ, ବ୍ଲକ୍ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ଉପାଧ୍ୟକ୍ଷା ସୁଧାସ୍ମିତା ପଟ୍ଟନାୟକ ଉପସ୍ଥିତ ଥିଲେ।